ଭୁବନେଶ୍ୱର: ଯେଉଁଠି ନୃତ୍ୟ ଓ ସଂଗୀତର ଦେବୀଙ୍କ ଆରାଧନା ହେବା କଥା ସେଠି ଏବେ ଛାତ୍ରୀଙ୍କ ଇଜ୍ଜତ ବାଜିରେ ଲାଗୁଛି। ରାଜଧାନୀର ଉତ୍କଳ ସଂଗୀତ ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷ( ଛଉ ନୃତ୍ୟ ବିଭାଗ) ଛାତ୍ରୀଙ୍କୁ ଜଣେ ସହପାଠୀ ଓ ଜଣେ ପୁରାତନ ଛାତ୍ର ନିଶା ବଟିକା ଖୁଆଇ ନଗ୍ନ ଭିଡିଓ ଓ ଫଟୋ ଉତ୍ତୋଳନ କରିଥିବା ନେଇ ସଂଗିନ ଅଭିଯୋଗ ହୋଇଛି। ଅଚେତ ଅବସ୍ଥାରେ ଉଦ୍ଧାର ହେବା ପରେ ସଂପୃକ୍ତ ଛାତ୍ରୀ ଜଣକ ଏବେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ସଂଧ୍ୟାରେ ଛାତ୍ରୀଙ୍କ ବାପା ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସଂପୃକ୍ତ ଯୁବକମାନଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି। ପୁଲିସ ଆଜି ହସ୍ପିଟାଲ ଯାଇ ଛାତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ସଂଗୀତ ମହାବିଦ୍ୟାଳୟକୁ ଯାଇ ଛାତ୍ରୀଙ୍କ କେତେକ ସହପାଠୀ ଓ କର୍ତୃପକ୍ଷଙ୍କୁ ମଧ୍ୟ ପଚରାଉଚରା କରିଛି। ଏହି ଘଟଣା ଆଜି ଜଣାପଡ଼ିବା ପରେ ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ଝିଅର ପରୀକ୍ଷା ଥିଲା। ତାଙ୍କୁ ସେ ନିଜେ ମହାବିଦ୍ୟାଳୟକୁ ଛାଡ଼ିବାକୁ ଯାଇଥିଲେ। ଦିନ ପ୍ରାୟ ସାଢ଼େ ୧୨ଟାବେଳେ ତାଙ୍କ ବଡ଼ ଝିଅ ମହାବିଦ୍ୟାଳୟରୁ ସାନ ଝିଅକୁ ଘରକୁ ନେଇ ଆସିଥିଲା। ତେବେ ଘରେ ପହଞ୍ଚିବା ପରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲା। ଏଭଳି ଘରେ ଦୁଇ ଦୁଇ ଥର ଚେତାଶୂନ୍ୟ ହେବା ପରେ ଘର ଲୋକେ ବ୍ୟସ୍ତ ହୋଇ ପଡ଼ିଥିଲେ। ସେମାନେ ତାକୁ ପଚାରିବାରୁ ଝିଅ କହିଥିଲା ଯେ କଲେଜର ଜଣେ ସହପାଠୀ ଓ ଜଣେ ପୁରାତନ ଛାତ୍ର ତା’କୁ ଚକୋଲେଟ ଭଳି ଏକ ବଟିକା ଖାଇବାକୁ ଦେଇଥିଲେ। ଏହି ବଟିକା ଖାଇବା ପରେ ପରେ ସେ ଚେତାଶୂନ୍ୟ ଭଳି ଅନୁଭବ କରିଥିଲା। ପରେ ନିଜକୁ ସେ ମହାବିଦ୍ୟାଳୟର ଟଏଲେଟ ଭିତରେ ପାଇଥିଲା। ଚେତା ଫେରିବା ପରେ ସେ ଅନୁଭବ କରିଥିଲା ଯେ ତାକୁ ଉଲଗ୍ନ କରି ମୋବାଇଲ୍‌ ଫୋନ୍‌ରେ ଫଟୋ ଓ ଭିଡିଓ ସୁଟିଂ କରାଯାଇଛି। ଝିଅ ମୁହଁରୁ ଏହା ଶୁଣିବା ପରେ ପରିବାର ଲୋକ ହତବାକ୍‌ ହୋଇ ଯାଇଥିଲେ। ଝିଅ ଅସୁସ୍ଥ ଅନୁଭବ କରୁଥିବାରୁ ଘର ଲୋକେ ତା’କୁ ପ୍ରଥମେ ୟୁନିଟ-୩ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ।

Advertisment

ପୀଡ଼ିତା ଛାତ୍ରୀଙ୍କ ବାପାଙ୍କ କହିବା ଅନୁଯାୟୀ ମହାବିଦ୍ୟାଳୟର ଜଣେ ପୁରାତନ ଛାତ୍ର ସମୀର ରଂଜନ ମହାନ୍ତି ଏଭଳି ଅନେକ ଝିଅଙ୍କୁ ନିଶା ବଟିକା ଖୁଆଇ ଚେତାଶୂନ୍ୟ କରିବା ପରେ ମୋବାଇଲ୍‌ ଫୋନ୍‌ରେ ଭିଡିଓ ଓ ଫଟୋ ଉତ୍ତୋଳନ କରିଆସୁଛି। ପରେ ଛାତ୍ରୀମାନଙ୍କୁ ବ୍ଲାକମେଲ୍‌ କରି ଟଙ୍କା ଉର୍ପାଜନ କରୁଛି ନଚେତ ସେମାନଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରାଉଛି। ତେଣୁ ତାଙ୍କ ଝିଅ କ୍ଷେତ୍ରରେ ସମୀର ଏଭଳି କାଣ୍ଡ କରିଥିବା ସେ ସନ୍ଦେହ କରୁଛନ୍ତି। ତେବେ ଏଭଳି ଅଭିଯୋଗ ସମ୍ପର୍କରେ ଖାରବେଳନଗର ଥାନା ଏସିପି ଅନୁପ କାନୁନ୍‌ଗୋ କହିଛନ୍ତି, ପୁଲିସ ଟିମ୍‌ ହସ୍ପିଟାଲ ଯାଇ ଛାତ୍ରୀଙ୍କୁ ପଚରାଉଚରା କରିଥିଲା। ଛାତ୍ରୀ ଜଣକ ପୁଲିସକୁ କହିଥିଲେ କି, ସେ ପରୀକ୍ଷା ପାଇଁ ଠିକ୍‌ ଭାବେ ଖିଆପିଆ କରି ନ ଥିଲେ। ସକାଳୁ ସେ କିଛି ନ ଖାଇ ମହାବିଦ୍ୟାଳୟକୁ ଚାଲି ଆସିଥିଲେ। ଯେଉଁଥିପାଇଁ ତାଙ୍କୁ ଦୁର୍ବଳ ଲାଗିଥିଲା। ଦୁଇ ଜଣ ସହପାଠୀ ତାଙ୍କୁ ଏକ ଚକୋଲେଟ ଖାଇବାକୁ ଦେଇଥିଲେ। ଏହି ଚକୋଲେଟ ଖାଇବା ପରେ ସେ ଚେତା ହରାଇଥିଲେ। ତେବେ ଛାତ୍ରୀଙ୍କ ବାପା ସଂଗିନ ଅଭିଯୋଗ କରିବାରୁ ପୁଲିସ ମାମଲା ରୁଜୁ କରିଛି। ଅଭିଯୋଗ ଉପରେ ତଦନ୍ତ ଚାଲିଛି ବୋଲି ଏସିପି ଶ୍ରୀ କାନୁନଗୋ କହିଛନ୍ତି।