ଭୁବନେଶ୍ବର/ବିଞ୍ଝାରପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଅଙ୍ଗାଳ ଗାଁର ନାବାଳିକାଙ୍କୁ ହୋଇଥିବା ଏସିଡ୍ ଆକ୍ରମଣକୁ ୮ ବର୍ଷ ବିତିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିପାରିଲାନାହିଁ। ବରଂ ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଇ ପୀଡ଼ିତାଙ୍କ ବାପାଙ୍କୁ ଆକ୍ରମଣ କରାଯାଇଛି ଏବଂ ଏଥିପାଇଁ ତାଙ୍କଠାରେ ଅସ୍ତ୍ରୋପଚାର କରିବାକୁ ପଡ଼ିଛି। ତେବେ ଏହି ଅଭିଯୋଗ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଯାଜପୁର ଜିଲ୍ଲା ପୁଲିସକୁ ରିପୋର୍ଟ ମଗାଯାଇଛି। ତଦନ୍ତ ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି ବୋଲି ଥାନା ବିଞ୍ଝାରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ଯାଜପୁରରୁ ଯାଇ ଦିଲ୍ଲୀରେ ପାଇପ ମିସ୍ତ୍ରୀ କାର୍ଯ୍ୟ କରୁଥିବା ଏହି ଅଭିଯୋଗକାରୀ ଜଣାଇଛନ୍ତି ଯେ ୨୦୧୪ ଜୁନ ୧୧ ତାରିଖରେ ତାଙ୍କ ୧୪ ବର୍ଷିୟା ଝିଅକୁ ତାଙ୍କ ଗାଁର ଦୁଇ ଜଣ ଦୁବୃର୍ତ୍ତ ଏସିଡ୍ ମାଡ଼ କରିଥିଲେ। ଫଳରେ ଝିଅର ଦୁଇ ହାତ, ଆଖି ଏବଂ ମୁହଁ ଜଳିଯାଇଥିଲା। ତାଙ୍କ ପୁଅ ସହିତ ଗଣ୍ଡଗୋଳକୁ ନେଇ ସେମାନେ ଏଭଳି ଅମାନବୀୟ କାର୍ଯ୍ୟ କରିଥିଲେ। ଥାନାରେ ଅଭିଯୋଗ ଏବଂ ଆଇନ ସହାୟତା ପ୍ରାଧିକରଣର ଚାପ ପରେ ସହଯୋଗୀ ଅଭିଯୁକ୍ତ ସୌମ୍ୟରଞ୍ଜନକୁ ପୁଲିସ ଗିରଫ କରିଥିଲା। କିନ୍ତୁ ୩ ମାସ ପରେ ହାଇକୋର୍ଟ ତାକୁ ଜାମିନ ଦେଇଥିଲେ। ଅଢ଼େଇ ବର୍ଷ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇନଥିଲା। ପରେ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ରାୟ ଅଦାଲତରେ ଆତ୍ମସମର୍ପଣ କରିଥିଲା ସତ, କିନ୍ତୁ ପ୍ରାୟ ୧୫ ଦିନ ପରେ ତାକୁ ମଧ୍ୟ ଜାମିନ ମିଳିଯାଇଥିଲା।
ଅଭିଯୋଗକାରୀଙ୍କ କହିବା ଅନୁଯାୟୀ ଏହି ସମୟ ମଧ୍ୟରେ ତାଙ୍କ ଝିଅ ଏବଂ ପରିବାରକୁ ଖୁବ୍ ବଦନାମ କରାଯାଇଥିଲା। ଘର ସମ୍ମୁଖରେ ବିଭିନ୍ନ ପ୍ରକାର ଫଟୋ ଲଗାଯାଇଥିଲା। ଝିଅର ଚିକିତ୍ସା ପାଇଁ ଅର୍ଥ ଅଭାବରୁ ପରିବାର ଲୋକେ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ଦିଆଯାଇନଥିଲା। ପୀଡ଼ିତାଙ୍କ ବାପା ଜାତୀୟ ମାନବାଧିକାର ଆୟୋଗ, ଶିଶୁ ସୁରକ୍ଷା ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆର୍ଥିକ ସହାୟତା ମିଳିଥିଲା। ଏହାପରେ କଟକ ଏସ୍ସିବିରେ ଝିଅର ଅସ୍ତ୍ରୋପଚାର କରାଯାଇଥିଲା। ପରିତାପର କଥା ନାବାଳିକାଙ୍କୁ ଏହି କାରଣରୁ ଅଧାରୁ ପାଠ ଛାଡ଼ିବାକୁ ପଡ଼ିଛି। ଏତିକିରେ ପରିବାରର ଦୁର୍ଦ୍ଦଶା ସରିନାହିଁ। ଗାଁରେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ସେ କହିଛନ୍ତି। ଅନ୍ୟଦିଗରେ ଏହି ଏସିଡ୍ ମାଡ଼ ମାମଲା ୭ ବର୍ଷ ହେଲା ଏସ୍ଡିଜେଏମ୍ଙ୍କ ଅଦାଲତରେ ଚାଲିଛି। ରାୟ ପ୍ରକାଶ ପାଉନାହିଁ। ତେଣୁ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ପରିବାର ଘୋର ମାନସିକ ପୀଡ଼ା ଭୋଗୁଥିବା କହିଛନ୍ତି।