କଟକ : ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ଲାଗି ଭୁବନେଶ୍ବର ୟୁନିଟ-୪ରେ କଟାଯାଇଥିବା ମୂଲ୍ୟବାନ ଓ ପୁରୁଣା ଗଛର ମୂଲ୍ୟ ନିର୍ଦ୍ଧାରଣ କରିବ ଏକ ବିଶେଷଜ୍ଞ କମିଟି। ଗଛ କଟାଯିବା ନିଷ୍ପତ୍ତି ବିରୋଧରେ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଚାରି ସପ୍ତାହ ଭିତରେ ଏହି ପ୍ରକ୍ରିୟା ଶେଷ କରାଯିବ। ଏ ନେଇ ସରକାର ଅତିରିକ୍ତ ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୧୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଏଥିସହିତ, ବନବିଭାଗ ଗଛ କାଟିବାକୁ କେଉଁ ଗାଇଡ୍ଲାଇନ୍ ଆଧାରରେ ଅନୁମତି ଦେଇଥିଲା ସେ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି। ବିଧାୟକଙ୍କ ଅଟ୍ଟାଳିକା ନିର୍ମାଣ ପାଇଁ ଗଛ କାଟିବା ସଂପର୍କିତ ଅନୁମତି ଦେବାବେଳେ ଡିଏଫ୍ଓ କିଛି ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ପାଳନ କରିଥିଲେ ବା ନାହିଁ, ସେ ନେଇ ସତ୍ୟପାଠରେ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ସରକାର ବିଧାୟକଙ୍କ ରହିବା ଲାଗି ୟୁନିଟ-୪ରେ ବହୁତଳ ଅଟ୍ଟାଳିକା ନିର୍ମାଣ କରୁଛନ୍ତି। ଏଥିପାଇଁ ନିଷ୍ପତ୍ତି ନିଆଯିବା ବେଳେ ସଂପୃକ୍ତ ସ୍ଥାନରେ ଥିବା ୮୭୦ଟି ପୁରୁଣା ଗଛଗୁଡ଼ିକ ବିଷୟରେ କିଛି ଚିନ୍ତା କରାଯାଇ ନାହିଁ ଓ ବିନା ଉପଯୁକ୍ତ ଅନୁମତିରେ ପୁରୁଣା ଗଛ ସବୁ କଟାଯାଉଛି ବୋଲି ଦର୍ଶାଇ ହାଇକୋର୍ଟରେ ଏହି ଆବେଦନ ଦାୟର ହୋଇଛି। ଗଛକଟା ହେବାଦ୍ବାରା ରାଜଧାନୀର ପରିବେଶ ଉପରେ କ’ଣ ପ୍ରଭାବ ପଡ଼ିବ ଆକଳନ କରାଯାଇନାହିଁ। ବିକଳ୍ପ ବ୍ୟବସ୍ଥା ପ୍ରସଙ୍ଗରେ ମଧ୍ୟ କିଛି ଚିନ୍ତା କରାଯାଇନାହିଁ। ଏଥିସହିତ କଟାଯାଇଥିବା ଗଛର ମୂଲ୍ୟ ନିର୍ଦ୍ଧାରଣ ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ଗାଇଡ୍ଲାଇନ୍ ଅନୁସାରେ କରାଯାଇ ନାହିଁ ବୋଲି ଅାବେଦନକାରୀ ଜୟନ୍ତୀ ଦାସ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/tree-cutting.jpg)