ଜେଲ୍‌ରେ କଏଦୀଙ୍କ ମୃତ୍ୟୁ ମାମଲା: ନୋଟିସ୍‌ ଜାରି କଲେ ଏନ୍‌ଏଚ୍‌ଆରସି

ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ ସିଆଡମାଳ ଗାଁରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ କମଳ ଲୋଚନ ଦଣ୍ଡସେନାଙ୍କ ଫେବ୍ରୁଆରି ୧୭ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଜୟପୁର ଉପକାରାଗା‌ରରେ ରହିଥିବା କମଳ ଲୋଚନ ହଠାତ୍‌ ଅସୁସ୍ଥ ହୋଇଥିଲେ ଏବଂ କିଛି ଘଣ୍ଟା ପରେ ମୃତ୍ୟୁ ହୋଇଥିବାରୁ ସନ୍ଦେହ ପ୍ରକାଶ ପାଇଥିଲା। ଅନ୍ୟପଟେ ମାନବାଧିକାର କର୍ମୀ ଅନୁପ ପାତ୍ର ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆରସି)ଙ୍କ ଦ୍ବାରସ୍ଥ ହୋଇଥିଲେ। ଦାଖଲ ମାମଲାର ଶୁଣାଣି ପାଇଁ ଏନ୍‌ଏଚ୍‌ଆରସି ଗ୍ରହଣ କରିଥିଲେ। ଶୁଣାଣି ପୂର୍ବରୁ ତଦନ୍ତ ରିପୋର୍ଟ ୬ସପ୍ତାହ ମଧ୍ୟରେ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଜେଲ ଅଧୀକ୍ଷକ, ଓଏଚ୍‌ଆରସି ସଚିବ, ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଓଏଚ୍‌ଆରସି ଯଦି ପୂର୍ବରୁ ଏହି ମାମଲାକୁ ସଂଜ୍ଞାନରେ ନେଇ ମାମଲା ରୁଜୁ କରିଛନ୍ତି ତେବେ ତାହାର ବିବରଣୀ ଦେବାକୁ ମଧ୍ୟ କୁହାଯାଇଛି।

ସୂଚନାଯୋଗ୍ୟ, ୨୦୧୮ମସିହା ଡିସେମ୍ବର ମାସରେ ଜୟପୁର ସଦର ଥାନା ଅର୍ନ୍ତଗତ ସିଆଡିମାଳ ଗାଁର ଜଣେ ମହିଳା ଓ ତାଙ୍କ ସ୍ବାମୀଙ୍କୁ ଦୁଇ ଅଭିଯୁକ୍ତ କମଳ ଲୋଚନ ଏବଂ ରମେଶ ଦଣ୍ଡସେନା ପ୍ରଚୁର ମଦ୍ୟପାନ କରାଇଥିଲେ। ସ୍ବାମୀ ନିଶାସକ୍ତ ହେବାପରେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିଲେ। ନିସ୍ତୁକ ମାଡ଼ ମାରିବାରୁ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟ ମେଡିକାଲ କଲେଜରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସ କମଳ ଲୋଚନ ଓ ରମେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ଅଭିଯୁକ୍ତ କମଳ ଲୋଚନ ଜୟପୁର ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ୪ବର୍ଷ ୨ମାସ ରହିଥିଲେ। କିନ୍ତୁ ଗତ ୧୬ତାରିଖ ବିଳମ୍ବିତ ରାତିରେ କମଳ ଲୋଚନ ହଠାତ୍‌ ଅସୁସ୍ଥତା ଅନୁଭବ କରିଥିଲେ। ତେଣୁ ସକାଳ ୫ଟାରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିଲା। ତେବେ ରାସ୍ତାରେ କମଳ ଲୋଚନଙ୍କ ମୃତ୍ୟୁ ହୋଇଯାଇଥିଲା। ଜୟପୁର ଟାଉନ ଥାନା ପୁଲିସ ଅପମୃତ ମାମଲା ରୁଜୁ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଥା ଏକାଧିକ ଡାକ୍ତରଙ୍କ ଦ୍ବାରା ଶବ ବ୍ୟବଚ୍ଛେଦ କରାଇଥିଲା।

ସମ୍ବନ୍ଧିତ ଖବର