ମାହାଙ୍ଗା ଡବଲ ମର୍ଡର ଘଟଣା: ହାଜର ହେଲେନି ପ୍ରତାପ ଜେନା

ଆଇନଜୀବୀଙ୍କ ମାଧ୍ୟମରେ ଉପସ୍ଥିତ ରହିବାକୁ ଅନୁମତି ଲୋଡ଼ି ପିଟିସନ, ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ହାଇକୋର୍ଟ ଗଲେ ପ୍ରତାପ ଜେନା

କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନା ଅଦାଲତରେ ହାଜର ହୋଇ ନାହାନ୍ତି। ସ୍ବାସ୍ଥ୍ୟଗତ କାରଣରୁ ସେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ପାରୁ ନାହାନ୍ତି ବୋଲି ଅଦାଲତରେ ତାଙ୍କର ଓକିଲ ଦର୍ଶାଇଛନ୍ତି। କେବଳ ସେତିକି ନୁହେଁ, ବ୍ୟକ୍ତିଗତ ଭାବେ ହାଜର ନ ହୋଇ ଓକିଲଙ୍କ ଜରିଆରେ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ ଅନୁମତି ଲୋଡ଼ି ଶ୍ରୀ ଜେନାଙ୍କ ତରଫରୁ ସିଆରପିସିର ଧାରା ୨୦୫ରେ ଏକ ପିଟିସନ୍ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ‌ ଅଧୀନରେ ସେ ଚିକିତ୍ସିତ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲର ମେଡିସିନ ବିଭାଗ ଆସୋସିଏଟ ପ୍ରଫେସର ତାଙ୍କୁ ଏକ ମାସ ବେଡ୍ ରେଷ୍ଟ ପାଇଁ ପରାମର୍ଶ ଦେଇଛନ୍ତି।

ଏଭଳି ସ୍ଥିତିରେ ତାଙ୍କୁ ବ୍ୟକ୍ତିଗତ ହାଜିରାରୁ ମୁକ୍ତ କରାଯାଉ। ଓକିଲଙ୍କ ମାଧ୍ୟମରେ ସେ ଅଦାଲତରେ ଉପସ୍ଥିତ ରହିବାକୁ ସର୍ତ୍ତମୂଳକ ଅନୁମତି ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଶ୍ରୀ ଜେନାଙ୍କ ଏହି ଆବେଦନ ଉପରେ ଅଭିଯୋଗକାରୀ ରଣଜିତ ବରାଳଙ୍କ ତରଫରୁ କିନ୍ତୁ ଲିଖିତ ଆପତ୍ତି ଅଦାଲତରେ ଦାଖଲ କରାଯାଇଛି। ଶ୍ରୀ ଜେନା ନିଜ ନିର୍ବାଚନମଣ୍ଡଳୀ ଆଖପାଖରେ ରହୁଛନ୍ତି। ତେଣୁ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ତାଙ୍କର କୌଣସି ଅସୁବିଧା ନାହିଁ। ଏଥିସହିତ ଶ୍ରୀ ଜେନାଙ୍କ ପକ୍ଷରୁ ଦାଖଲ ଚିକିତ୍ସା ସଂପର୍କିତ ତଥ୍ୟକୁ ନେଇ ଶ୍ରୀ ବରାଳଙ୍କ ପକ୍ଷରୁ ପ୍ରଶ୍ନ ଉଠାଯାଇଥିଲା। ଶ୍ରୀ ଜେନାଙ୍କ ଧାରା ୨୦୫ ପିଟିସନ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ବରାଳଙ୍କ ତରଫରୁ ଦର୍ଶାଯିବା ସହିତ ଜାମିନବିହୀନ ଗିରଫ ପରୱାନା ଜାରି ପାଇଁ ନିବେଦନ କରାଯାଇଥିଲା। ସାଲେପୁର ଜେଏମଏଫସି ଅଦାଲତ‌ରେ ଶ୍ରୀ ଜେନାଙ୍କ ତରଫରୁ ଦୁଇ ସପ୍ତାହ ମହଲତ ଲୋଡି ମଧ୍ୟ ଆଉ ଏକ ପିଟିସନ୍ ଦାଖଲ କରାଯାଇଥିଲା। ଅଦାଲତ ଉଭୟପକ୍ଷକୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି।

ଅନ୍ୟପଟେ ଶ୍ରୀ ବରାଳଙ୍କ ତରଫରୁ ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତରେ ଏକ ପୃଥକ ପିଟିସନ ଦାଖଲ କରାଯାଇ ମାହାଙ୍ଗା ଡବଲ ମର୍ଡର ସଂପର୍କିତ ମୂଳ ରେକର୍ଡକୁ ଏହି କଂପ୍ଲେନ କେସ୍ ରେକର୍ଡ ସହିତ ସଂଲଗ୍ନ କରିବାକୁ ନିବେଦନ କରାଯାଇଛି। ମାହାଙ୍ଗା ଡବଲ ମର୍ଡରକୁ ନେଇ ମାହାଙ୍ଗା ଥାନାରେ ୨୦୨୧ରେ ରୁଜୁ ମାମଲାର ତଦନ୍ତ ପରେ ଅଦାଲତରେ ରିପୋର୍ଟ ଦାଖଲ କରାଯାଇଥିଲା। ଅନ୍ୟପକ୍ଷରେ ବର୍ତ୍ତମାନ ବିଚାର ଚାଲିଥିବା କଂପ୍ଲେନ୍ କେସ ପ୍ରୋଟେଷ୍ଟ୍‌ ପିଟିସନ ଆଧାରରେ ରୁଜୁ ହୋଇଛି। ଉଭୟ ମାମଲାରେ ସମାନ ପ୍ରସଂଗ ‌ରହିଛି। ତେଣୁ ମାମଲାର ନିରପେକ୍ଷ ଟ୍ରାଏଲ୍‌ ପାଇଁ ଉଭୟ ରେକର୍ଡ ସଂଲଗ୍ନ ହେବା ଆବଶ୍ୟକ ବୋଲି ଶ୍ରୀ ବରାଳଙ୍କ ପିଟିସନରେ ଦର୍ଶାଯାଇଛି। ଏହି ପିଟିସନ ଉପରେ ଯଦି କିଛି ଆପତ୍ତି ଥାଏ ତେବେ ଶ୍ରୀ ଜେନାଙ୍କ ତରଫରୁ ଲିଖିତ ଭାବେ ତାହା ଦାଖଲ କରାଯାଇ ପାରିବ। ଏଭଳି ସ୍ଥିତିରେ କିନ୍ତୁ ମାହାଙ୍ଗା ଡବଲ ମର୍ଡର ମାମଲାରେ ଶ୍ରୀ ଜେନା ଆଜି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ସୂଚନା ମିଳିଛି। ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ସେ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନର କିନ୍ତୁ ଶୁଣାଣି ହୋଇନାହିଁ।

ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨(ହତ୍ୟା), ୧୨୦-ବି (ଅପରାଧିକ ଷଡୟନ୍ତ୍ର), ୫୦୬ (ହତ୍ୟା ଧମକ)ରେ ସାଲେପୁର ଜେଏମଏଫସି ଅଦାଲତ ୨୦୨୩, ସେପ୍ଟେମ୍ବର ୨୫ରେ କଗନିଜାନ୍ସ ଗ୍ରହଣ କରିଥିଲେ। ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ଉପଲବ୍ଧ ରେକର୍ଡରୁ ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ ଆପାତତଃ ମାମଲା ହେଉଛି ବୋଲି ଅଦାଲତ କହିବା ସହିତ କଗନିଜାନ୍ସ ଗ୍ରହଣ କରିଥିଲେ। ଏହାପରେ ସ୍ବତନ୍ତ୍ର ମେସେଞ୍ଜରଙ୍କ ମାଧ୍ୟମରେ ଶ୍ରୀ ଜେନାଙ୍କୁ ସମନ୍ ଜାରି ପାଇଁ ଅଭିଯୋଗକାରୀ ରଣଜିତ ବରାଳଙ୍କ ତରଫରୁ ଦାୟର ଆବେଦନକୁ ଅଦାଲତ ଗ୍ରହଣ କରିଥିଲେ। ଅଦାଲତ ସ୍ବତନ୍ତ୍ର ମେସେଞ୍ଜରଙ୍କ ମାଧ୍ୟମରେ ଶ୍ରୀ ଜେନାଙ୍କୁ ସମନ୍ ଜାରି ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ଶ୍ରୀ ଜେନାଙ୍କ ନାମକୁ ନେଇ ଏହି ମାମଲା ଚାଲିଛି। ଏହି ମାମଲାର ଶ୍ରୀ ଜେନାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ଓ ଆବେଦନକାରୀ ରଣଜିତ ବରାଳଙ୍କ ତରଫରୁ ଆଇନଜୀବୀ ପ୍ରବୀଣ କାନୁନଗୋ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର