କଟକ: ୨୦୦୮ରେ ସିପିଆଇ(ମାଓବାଦୀ) ନେତାଙ୍କୁ ଦେବା ପାଇଁ ଏକ ବୋଲେରୋ ଗାଡ଼ିରେ ନିଆଯାଉଥିବା ୧୨ ଲକ୍ଷ ଟଙ୍କା ଜବତ ଘଟଣାରେ ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ସିବିଆଇ ଜଜ୍ ଅଦାଲତ ଚାରି ଅଭିଯୁକ୍ତଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏ ସଂପର୍କିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଅଭିଯୁକ୍ତ ଏନ.ଭି.ଜେ.ରାଓ, ସି.ଡି.ପଣ୍ଡା, ଏସ.ପି.ପଣ୍ଡା ଓ ପି.ଆର. ରାଓଙ୍କ ବିରୋଧରେ ଅଦାଲତ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ଏଥିସହିତ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ବ୍ରହ୍ମପୁର ଜେଲରେ ଥିବା ସବ୍ୟସାଚୀ ପଣ୍ଡା ଓରଫ ସୁନୀଲ ଓରଫ ଶରତଙ୍କୁ ହାଜର କରାଯିବା ପ୍ରସଙ୍ଗରେ ରିମାଇଣ୍ଡର ଜାରି କରିବାକୁ ଅଦାଲତ କହିଛନ୍ତି। ଏହି ପ୍ରସଂଗରେ ପୂର୍ବରୁ ବ୍ରହ୍ମପୁର ଅତିରିକ୍ତ ଦୌରା ଜଜ୍ ଓ ଗଜପତି ଦୌରା ଜଜ ଅଦାଲତଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଏ ନେଇ କୌଣସି ସୂଚନା ହସ୍ତଗତ ହୋଇ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ସଂପୃକ୍ତ ଅଦାଲତଙ୍କୁ ଏହି ପ୍ରସଂଗରେ ରିମାଇଣ୍ଡର ଜାରି କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପ୍ରଡକ୍ସନ ୱାରେଣ୍ଟ ଜାରି କରି ଭୁବନେଶ୍ବର ସ୍ବତନ୍ତ୍ର ଜେଲରେ ଥିବା ଡି.କେଶବ ରାଓ ଓରଫ ଆଜାଦ ଓରଫ ମହେଶ ଓରଫ ଆନନ୍ଦ ଓରଫ ଶଙ୍କର ଓରଫ ବାବୁଲା ଓରଫ କନକରାଙ୍କୁ ହାଜର କରିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଲାଗି ଡିସିପିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଗିରଫ ପରୱାନା ଜାରି କରାଯାଇଥିବା ଚାରି ଅଭିଯୁକ୍ତଙ୍କ ସହିତ ଭୁବନେଶ୍ବର ସ୍ବତନ୍ତ୍ର ଜେଲରେ ଥିବା ଆଜାଦକୁ ପରବର୍ତ୍ତୀ ତାରିଖରେ ହାଜର କରାଯିବ।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୮, ଡିସେମ୍ବର ୨୯ରେ ପୁଲିସ ନିକଟରେ ସୂଚନା ପହଞ୍ଚିଥିଲା ଯେ ବିପୁଳ ପରିମାଣର ଟଙ୍କା ସିପିଆଇ(ମାଓବାଦୀ) ନେତା ସବ୍ୟସାଚୀ ପଣ୍ଡା, ଆଜାଦ ଓ ଉଦୟଙ୍କ ସହିତ ଅନ୍ୟ କ୍ୟାଡରଙ୍କ ଦେବାକୁ ନିଆଯାଉଛି। ପୁଲିସ ଯାଞ୍ଚ ସମୟରେ ପଦ୍ମପୁର ପଟୁ ଆସୁଥିବା ଧଳା ରଙ୍ଗର ବୋଲେରୋ ଗାଡ଼ିକୁ ଅଟକାଇଥିଲା। ଗାଡ଼ିରୁ ୧୨ ଳକ୍ଷ ଟଙ୍କା ଜବତ କରାଯାଇଥିଲା। ଏ ନେଇ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଥାନାରେ ଏତଲା ରୁଜୁ ହୋଇଥିଲା। ଗୁଣୁପୁର ଏସଡିପିଓ ଘଟଣାର ତଦନ୍ତ କରି ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲେ। ଏହି ଘଟଣାକୁ ନେଇ ଇଡି ମାମଲା ରୁଜୁ କରିଥିଲା। ଇଡି ତଦନ୍ତ ପରେ ମାମଲାରେ ସବ୍ୟସାଚୀ ପଣ୍ଡାଙ୍କ ସମେତ ୬ଜଣଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ଏହାପରେ ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ହାଜର ହେବାକୁ ଅଦାଲତ ସମନ୍ ଜାରି କରିଥିଲେ। ଜେଲରେ ଥିବା ସବ୍ୟସାଚୀ ପଣ୍ଡା ଓ ଆଜାଦଙ୍କୁ ଏହି ମାମଲାରେ ହାଜର କରାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ହାଜର ହେବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଚାରି ଅଭିଯୁକ୍ତଙ୍କ ତରଫରୁ ହାଜର ହେବା ପାଇଁ ସମୟ ଲୋଡ଼ି ପିଟିସନ ଦାଖଲ କରାଯାଇଥିଲା। ଅନ୍ୟପକ୍ଷରେ ୨୦୨୩, ଏପ୍ରିଲ ୧୮ରୁ ଏହି ଅଭିଯୁକ୍ତମାନେ ହାଜର ହେବା ଲାଗି ସମୟ ନେଇ ଚାଲିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଅଦାଲତ ସମୟ ଲୋଡ଼ି ଦାଖଲ ପିଟିସନକୁ ଖାରଜ କରିବା ସହିତ ଚାରି ଅଭିଯୁକ୍ତଙ୍କ ବିରୋଧରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି।