ପୋଖରୀ ହିଡ଼ରେ ବେଆଇନ ଗୃହ ନିର୍ମାଣ ମାମଲା ହାଇକୋର୍ଟରେ : ୬ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ଆରଡିସିଙ୍କୁ ନିର୍ଦ୍ଦେଶ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଲୋଚପଡ଼ା ଗ୍ରାମର ଚୁଆ ପୋଖରୀ ହିଡ଼ରେ ଚାଲିଥିବା ଗୃହ ନିର୍ମାଣକୁ ବେଆଇନ ଦର୍ଶାଇ ମାମଲା ଏବେ କାଠଗଡ଼ାକୁ ଯାଇଛି। ହାଇକୋର୍ଟରେ ୨ଟି ମାମଲା ରୁଜୁ ହୋଇଛି। ଏହାକୁ ନେଇ ରୁଜୁ ଏକ ମାମଲାରେ ୬ସପ୍ତାହ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଭିଜିଲାନ୍ସ ତଦନ୍ତ ଦାବି କରି ଆଉ ଏକ ମାମଲା ଦାଏର ହୋଇଛି। ଅନ୍ୟପକ୍ଷରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ମଧ୍ୟରେ ସିଆରପିସି ୧୩୩ ବଳରେଏକ ମାମଲା ରୁଜୁ ହୋଇଛି। କୁକୁଡ଼ାଖଣ୍ଡି ବିଡିଓଙ୍କୁ ରିପୋର୍ଟ ଦାଖଲ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ‌ ଦେଇଛନ୍ତି।

କୁକୁଡ଼ାଖଣ୍ଡି ବ୍ଲକ୍‌ ଲୋଚପଡ଼ା ପଞ୍ଚାୟତର ଲୋଚପଡ଼ା ମୁଖ୍ୟ ରାସ୍ତାକଡ଼ରେ ରହିଛି ଚୁଆ ପୋଖରୀ । ୦.୨୨୫ଏକର ପରିମିତ ଏହି ପୁଷ୍କରିଣୀକୁ ଗତବର୍ଷ ବ୍ଲକ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ଖନନ ଓ ପୁନରୁଦ୍ଧାର କରା ଯାଇଥିଲା। ଏହାର ରାସ୍ତାପାର୍ଶ୍ବ ହିଡ଼ ଓ ପୋଖରୀର କିଛି ଅଂଶରେ ଏବେ ଏକ କୋଠା ନିର୍ମାଣ ଚାଲିଛି। ପ୍ଲଟ ୮୩୧ ଓ ପ୍ଲଟ ୮୩୨ ନିର୍ମାଣସ୍ଥଳରେ ପାଠାଗାର, ଦୋକାନ ଗୃହ ଏବଂ ଲୋଚାପଡ଼ା ପାଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣର ୩ଟି ଭିତ୍ତିପ୍ରସ୍ତର ଫଳକ ସ୍ଥାପନ ହୋଇଛି। ଫଳକ ଗୁଡ଼ିକରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଓ କୁକୁଡ଼ାଖଣ୍ଡି ବ୍ଲକ୍‌ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ନାମ ‌ଉଲ୍ଲେଖ ରହିଛି। ପୋଖରୀ ଓ ହିଡ଼ରେ ବେଆଇନ ନିର୍ମାଣ ଚାଲିଥିବା ସଂକ୍ରାନ୍ତରେ ଲୋଚାପଡ଼ା ଅଞ୍ଚଳର ଲୋକେଶ କୁମାର ପାତ୍ର ଦକ୍ଷିଣାଞ୍ଚଳ ଆରଡିସିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ଆରଡିସି ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁକୁଡ଼ାଖଣ୍ଡି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଚିଠି ନମ୍ବର ୪୯୧୫ରେ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି।  ପ୍ଲଟ ୮୩୧ ଓ ପ୍ଲଟ ନମ୍ବର ୮୩୨ର କିସମ ଜଳାଶୟ(୧) ଏବଂ ଆଡ଼ି। ଉକ୍ତ ଜମିରେ ନିର୍ମାଣକୁ ନେଇ ତହସିଲଦାର ତାଙ୍କ ରିପୋର୍ଟରେ ଆପତ୍ତି ଉଠାଇଛନ୍ତି। ସେ ଆହୁରି ଦର୍ଶାଇଛନ୍ତି, ପୂର୍ବତନ ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଅନୁଯାୟୀ ଲୋଚାପଡ଼ା ମୌଜାରେ ସରକାରୀ ଜମି ଉପଲବ୍ଧ ନାହିଁ।

ଅନ୍ୟପକ୍ଷରେ ଅଭିଯୋଗକାରୀ ଶ୍ରୀ ପାତ୍ର ଏ ସଂକ୍ରାନ୍ତରେ କୁକୁଡ଼ାଖଣ୍ଡି ବ୍ଲକ କାର୍ଯ୍ୟାଳୟ ସୂଚନା ଅଧିକାର ବଳରେ ଗତ ନଭେମ୍ବର ୨୧ତାରିଖରେ ତଥ୍ୟ ମାଗିଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିମନ୍ତେ କେତେ ଟଙ୍କା ମଞ୍ଜୁର ହୋଇଛି, କାର୍ଯ୍ୟାଦେଶ କାହାକୁ ଦିଆଯାଇଛି ଓ କେଉଁ ଜମିରେ ନିର୍ମାଣ ଚାଲିଛି, ତାହାର ତଥ୍ୟ ମାଗିଥିଲେ। କୌଣସି ନିର୍ଦ୍ଦେଶନାମା ଜାରି କରାଯାଇ ନ ଥିବା ବ୍ଲକ୍‌ ପକ୍ଷରୁ ସୂଚନା ଅଧିକାର ଆଇନ ଆଧାରରେ ଚିଠି ନମ୍ବର ୫୬୫୪ ମାଧ୍ୟମରେ ଉତ୍ତର ଦିଆଯାଇଛି।

ଅଭିଯୋଗ ଓ ତହସିଲଦାରଙ୍କ ରିପୋର୍ଟ ଦାଖଲ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶ୍ରୀ ପାତ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏଥିରେ ରାଜସ୍ବ ବିଭାଗ ଶାସନ ସଚିବ, ଦକ୍ଷିଣାଞ୍ଚଳ ଆରଡିସି ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରି ରିଟ୍‌ ପିଟିସିନ୍‌ (ସିଭିଲ ନଂ-୩୯୧୧/୨୦୨୧)ରେ ଏକ ମାମଲା ଦାଏର କରିଥିଲେ। ଜଷ୍ଟିସ ଡ.ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। କୋର୍ଟ ପିଟିସନ୍‌ର ଶୁଣାଣି କରି କୁକୁଡ଼ାଖଣ୍ଡି ତହସିଲଦାରଙ୍କ ତଦନ୍ତ ରିପୋର୍ଟ ଆଧାରରେ ୬ ସପ୍ତାହ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ଗତ ୧୦ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଆଇନଜୀବୀ ବିରଞ୍ଚି ନାରାୟଣ ମହାପାତ୍ର ମକଦ୍ଦମା ପରିଚାଳନା କରିଥିଲେ।

ଅପରପକ୍ଷରେ ପୋଖରୀରେ ହୋଇଥିବା ବେଆଇନ ନିର୍ମାଣ ଓ ଅବରୋଧ ଉଚ୍ଛେଦ କରିବାକୁ ନିବେଦନ କରି ଲୋଚାପଡ଼ା ଅଞ୍ଚଳରେ ସୁରେଶ କୁମାର ସାହୁ ଗତ ୧ତାରିଖରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ଅଭିଯୋଗ ଆଧାରରେ ଉପ ଜିଲ୍ଲାପାଳଙ୍କ କୋର୍ଟରେ ସିଆର୍‌ପିସିର ୧୩୩ ଧାରାରେ ଏକ ମାମଲା ରୁଜୁ (‌ମିସ୍‌ କେସ୍‌ ନଂ ୧୩/୨୧) ହୋଇଛି। ଉପଜିଲ୍ଲାପାଳ ଏହାର ଶୁଣାଣି କରି ଆସନ୍ତା ୧୯ତାରିଖ ସୁଦ୍ଧା ସବିଶେଷ ରିପୋର୍ଟ ଦାଖଲ କରିବାକୁ କୁକୁଡ଼ାଖଣ୍ଡି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ହାଇକୋର୍ଟରେ ପୁଣି ଆଉ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗକାରୀ ଶ୍ରୀ ପାତ୍ର ଭିଜିଲାନ୍ସରେ ମାମଲା ରୁଜୁ କରି ଏହାର ତଦନ୍ତ କରାଯିବାକୁ ନିବେଦନ କରି ଗତ ଜାନୁଆରି ୨୮ତାରିଖରେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗୃହ ବିଭାଗର ଶାସନ ସଚିବ, ଭିଜିଲାନ୍ସ ନିର୍ଦ୍ଦେଶକ ଏବଂ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କୁ ପକ୍ଷଭୁକ୍ତ କରି ଗତ ୧୦ତାରିଖରେ ପୁଣି ଏକ (ସିଆରଏଲ୍‌ଏମ୍‌ପି-୨୭୪/୨୦୨୧) ହାଇକୋର୍ଟରେ ରୁଜୁ ହୋଇଛି। ସ୍ଥାନୀୟ ବିଧାୟକ, କୁକୁଡ଼ାଖଣ୍ଡି ବ୍ଲକ ପ୍ରଶାସନ ମିଳିତ ଭାବେ ପୋଖରୀ ଜମିରେ ଏହି ବେଆଇନ ନିର୍ମାଣ କରିବା ସହ ସରକାରୀ ଅର୍ଥ ଅପଚୟ କରିଥିବା ଅଭିଯୋଗ ରହିଛି। ଏହି ଘଟଣାର ଭିଜିଲାନ୍ସ ତଦନ୍ତ ପ୍ରାର୍ଥାନା କରି ହାଇକୋର୍ଟ‌ରେ ଉକ୍ତ ମାମାଲା ଦାଏର ହୋଇଥିବା ଆବେଦନକାରୀଙ୍କ ଆଇନଜୀବୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର