କଟକ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କରି ଜଷ୍ଟିସ୍‌ ରଘୁବୀର ଦାଶ କମିସନ୍ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ସଂକ୍ରାନ୍ତରେ ଅବଗତ କରିବାକୁ ସରକାର ପୁଣି ହାଇକୋର୍ଟଙ୍କଠାରୁ ସମୟ ଲୋଡ଼ିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ହୋଇଥିଲା। ଏହି ସମୟରେ ୨୦୨୩, ପୂର୍ବ ନିର୍ଦ୍ଦେଶ ପାଳନ କରି ସରକାରଙ୍କ ତରଫରୁ ତଦନ୍ତ ରିପୋର୍ଟର ସାନି ସ୍ଥିତି ସଂକ୍ରାନ୍ତରେ ତଥ୍ୟ ଏ ପର୍ଯ୍ୟନ୍ତ ଦାଖଲ କରାଯାଇ ନଥିବା ସ୍ପଷ୍ଟ ହୋଇଥିଲା। ଏଥିପାଇଁ ସରକାରଙ୍କ ତରଫରୁ ମହଲତ ଲୋଡ଼ାଯାଇଥିଲା।

Advertisment

ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ସମୟ ଲୋଡ଼ାଯିବା ପ୍ରସଙ୍ଗ ଉପରେ ଆବେଦନକାରୀଙ୍କ ପକ୍ଷରୁ ଆପତ୍ତି କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୨୦୨୩, ଏପ୍ରିଲ ୨୫ରେ ଆବେଦନର ଶୁଣାଣି କରି କମିସନ ଅଫ୍ ଇନ୍‌କ୍ବାରି ଆଇନ ଅନୁସାରେ ଜଷ୍ଟିସ୍‌ ରଘୁବୀର ଦାଶ କମିସନଙ୍କ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟର କଣ ବର୍ତ୍ତମାନ ସ୍ଥିତି ରହିଛି ସେ ନେଇ ଜୁଲାଇ ୧ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏପ୍ରିଲ ୨୫ର ନିର୍ଦ୍ଦେଶ ପାଳନ କରି ସତ୍ୟପାଠ ଦାଖଲ କରିବା ପରିବର୍ତ୍ତେ ରାଜ୍ୟ ସରକାର ଜୁଲାଇ ୪ରେ ଅଧିକ ସମୟ ଲୋଡ଼ି ଏକ ଅନ୍ତରୀଣ ଆବେଦନ ହାଇକୋର୍ଟରେ ଦାଖଲ କରିଥିଲେ। କମିସନଙ୍କ ନିକଟରୁ ତଦନ୍ତ ରିପୋର୍ଟ ମିଳିବା ପରେ ଏହା ରାଜ୍ୟ ସରକାରଙ୍କ ନିକଟରେ ବିଚାରାଧୀନ ରହିଛି। ଏଭଳି ସ୍ଥିତିରେ ଜଷ୍ଟିସ୍‌ ରଘୁବୀର ଦାଶ କମିସନ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ସଂକ୍ରାନ୍ତରେ ଜଣାଇବାକୁ ୨ ମାସ ସମୟ ପ୍ରଦାନ କରାଯାଉ ବୋଲି ଆବେଦନରେ ପ୍ରାର୍ଥନା କରାଯାଇଥିଲା।

ଆଠ ମାସ ବିତିବାକୁ ଯାଉଥିବା ବେଳେ ସରକାର ଏପ୍ରିଲ୍‌ ୨୫ର ନିର୍ଦ୍ଦେଶ ପାଳନ କରି ତଦନ୍ତ ରିପୋର୍ଟର ସାନି ସ୍ଥିତି ନେଇ ଅବଗତ କରି ନାହନ୍ତି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଗତ ଡିସେମ୍ବର ୧ରେ ମାମଲାର ଶୁଣାଣି ବେଳେ ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ ପାଇଁ ଅଧିକ ସମୟ ପ୍ରଦାନ ପାଇଁ ପ୍ରାର୍ଥନା କରାଯାଇଥିଲା। ହାଇକୋର୍ଟ ଏଥିପାଇଁ ଅନୁମତି ଦେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବାରମ୍ବାର ସୁଯୋଗ ମିଳିଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ ସତ୍ୟପାଠ ଦାଖଲ କରି ନାହାନ୍ତି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ଶୀତ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ସରକାର ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଆବେଦନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅନୁପ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୫ରେ ହାଇକୋର୍ଟ ଏହି ଜନସ୍ବାର୍ଥ ଆବେଦନର ଶୁଣାଣି କରି ମୁଖ୍ୟ ଶାସନ ସଚିବ, ଆଇନ ସଚିବ ଓ ଗୃହ ସଚିବଙ୍କୁ ନୋଟିସ୍ ଜାରି କରିବା ସହିତ ଜୁଲାଇ ୧ ସୁଦ୍ଧା ତଦନ୍ତ କମିସନ୍‌ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ‌ସଂପର୍କରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।