ଭିମ୍‌ସାରେ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ମାମଲା: ହାଇକୋର୍ଟରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କ ତଦନ୍ତ ରିପୋର୍ଟ ଦାଖଲ

କଟକ : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଭିମ୍‌ସାର୍‌)ରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଅବହେଳା ପ୍ରସଂଗର ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଛି। ସୋମବାର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଜଜ୍ ଏ.ବି.ଏସ୍. ନାଇଡୁଙ୍କ ତରଫରୁ ୨୦୨୧, ଅକ୍ଟୋବର ୨୯ରେ ମୁଦା ଲଫାପାରେ ଦାଖଲ ତଦନ୍ତ ରିପୋର୍ଟକୁ ଖୋଲା ଯାଇଥିଲା। ଏହି ରିପୋର୍ଟର କପି ଆବେଦନକାରୀ ଓ ସରକାରଙ୍କ ତରଫରୁ ମାମଲା ପରିଚାଳାନା କରୁଥିବା ଏଜିଏଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ପକ୍ଷ ଚାହିଁଲେ ଏ ସଂପର୍କିତ ରେକର୍ଡ ହାଇକୋର୍ଟରେ ଅନୁଧ୍ୟାନ କରି ପାରିବେ। ରିପୋର୍ଟ ଉପରେ ଯଦି କିଛି ଜବାବ ରଖିବାକୁ ଚାହଁୁଥାନ୍ତି ତେବେ ପକ୍ଷମାନେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହା ଦାଖଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬କୁ ଧାର୍ଯ୍ୟ କରାଯାଇଛି। ଜ୍ଞାନଦତ୍ତ ଚୌହାନଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନି‌େର୍ଦ୍ଦଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ରିପୋର୍ଟରେ ଭିମ୍‌ସାର୍‌ରେ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ଉପରେ ତଦନ୍ତରୁ ମିଳିଥିବା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି। ବର୍ତ୍ତମାନ ଭିମ୍‌ସାର୍‌ ସହିତ ରାଜ୍ୟର ଅନ୍ୟ ସରକାରୀ ମେଡିକାଲ ଓ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ରହିଥିବା ମେଡିକାଲ ଭିତ୍ତିଭୂମି, ପ୍ରଦାନ କରାଯାଉଥିବା ଚିକିତ୍ସାର ମାନଦଣ୍ଡ ପ୍ରସଂଗରେ କଣ ଉନ୍ନତି ଆବଶ୍ୟକ ସେ ନେଇ ପ୍ରସ୍ତାବ ରହିଛି ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ଜୁଲାଇ ୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ଭିମ୍‌ସାର୍‌ରେ ଚିକିତ୍ସାରେ ଅବହେଳା ଅଭିଯୋଗର ତଦନ୍ତ ସାରି ତିନି ମାସ ଭିତରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏ.ବି.ଏସ୍ ନାଇଡୁଙ୍କୁ ତଦନ୍ତ ଅଧିକାରୀ ଭାବେ ନିଯୁକ୍ତି ଦେବା ସହିତ ୨୦୨୧, ନଭେମ୍ବର ୧ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଭିମ୍‌ସାର୍‌ରେ ଉପଯୁକ୍ତ ଚିକିତ୍ସା ଓ ଯତ୍ନ ନ ପାଇ ଅବହେଳାର ଶିକାର ହୋଇଥିବା ବ୍ୟକ୍ତିବିଶେଷଙ୍କ ନିକଟରୁ ଏପରି ସର୍ବସାଧାରଣ ନୋଟିସ୍ ମାଧ୍ୟମରେ ତଦନ୍ତକାରୀ ଅଧିକାରୀ ସତ୍ୟପାଠ ଆହ୍ବାନ କରିବେ ଓ ସମ୍ବଲପୁର ଜିଲ୍ଲା ଅଦାଲତ ପରିସର ତଦନ୍ତର ସ୍ଥାନ ଭାବେ ଧାର୍ଯ୍ୟ କରାଯିବ ବୋଲି ହାଇକୋର୍ଟ କହିଥିଲେ। ଭିମସା‌ରରେ ପୀଡିତଙ୍କ ଚିକିତ୍ସା ସଂପର୍କିତ ରେକର୍ଡ ତୁରନ୍ତ ସୁରକ୍ଷତ ରଖିବା ପ୍ରସଂଗ ତଦନ୍ତକାରୀ ଅଧିକାରୀ ସୁନିଶ୍ଚିତ କରିବେ। ହାଇକୋର୍ଟରେ ଆବେଦନକାରୀ ଦାଖଲ କରିଥିବା ୯ଜଣ ପୀଡିତଙ୍କ ସତ୍ୟପାଠର ଓରିଜିନାଲ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବେ ବୋଲି  ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର