ସୋନପୁର ଏନଏଚଏମ୍ ଆକାଉଣ୍ଟରୁ ୫ କୋଟି ଟଙ୍କା ଠକେଇ ମାମଲା: ହାଇପ୍ରୋଫାଇଲ ଅଭିଯୁକ୍ତଙ୍କ ପାଖରେ ଇଓଡବ୍ଲୁ ଅପହଞ୍ଚ

ହାଇକୋର୍ଟରେ ପ୍ରଣବ ରାୟଙ୍କ ଆଗୁଆ ଜାମିନ ଆବେଦନ
ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ଟଙ୍କା
ମନ୍ତ୍ରୀଙ୍କ ସମ୍ପର୍କୀୟ ବୋଲି ଅଭିଯୁକ୍ତ ଦାବି କରୁଛନ୍ତି
୧୦ କୋଟି ଟଙ୍କା ହଡ଼ପ ପାଇଁ ହୋଇଥିଲା ବ୍ଲୁ ପ୍ରିଣ୍ଟ

ଭୁବନେଶ୍ବର : ବହୁଚର୍ଚ୍ଚିତ ସୋନପୁର ଜୀତୀୟ ସ୍ବାସ୍ଥ୍ୟ ମିସନ(ଏନଏଚ୍‌ଏମ୍‌) ବ୍ୟାଙ୍କ ଆକାଉଣ୍ଟରୁ ୫ କୋଟି ଟଙ୍କା ହଡ଼ପ ଘଟଣାର ମୁଖ୍ୟ କାର୍ପଟଦାର ଧରାପଡ଼ିବା ପରେ ଗୁମର ଖୋଲିବାରେ ଲାଗିଛି। ଏହି ହାଇପ୍ରୋଫାଇଲ ଠକେଇ ପଛରେ ବହୁ ବଡ଼ବଡ଼ିଆ ଓ ପ୍ରଭାବଶାଳୀ ବ୍ୟକ୍ତି ରହିଥିବା ଜଣାପଡ଼ିଛି। ଉପକୂଳ ଓଡ଼ିଶାର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପାଖ ଲୋକ ବୋଲି ଦାବି କରୁଥିବା ପ୍ରଣବ ରାୟ ଏହି ବଡ଼ଧରଣର ଠକେଇରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ତାଙ୍କ ପାଖକୁ ମଧ୍ୟ ବିପୁଳ ପରିମାଣର ଟଙ୍କା ଯାଇଥିବା କୁହାଯାଉଛି। କିନ୍ତୁ ଇଓଡବ୍ଲୁର ତଦନ୍ତକାରୀ ଟିମ୍ ଏଯାଏ ତାଙ୍କ ନିକଟରେ ପହଞ୍ଚି ପାରିନାହିଁ। ମନ୍ତ୍ରୀଙ୍କ ପାଖ ଲୋକ ବୋଲି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଚର୍ଚ୍ଚା ହେଉଛି।

ଗତ ମେ’ ୧ ତାରିଖରେ ମାମଲା ରୁଜୁ ହୋଇଥିଲା। ସେହି ମାସ ୧୨ ତାରିଖରେ ପ୍ରଣବ ରାୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ, ଯାହା ବିଚାରାଧୀନ ରହିଛି। ଏନ୍ଏଚଏମ୍ ଆକାଉଣ୍ଟରୁ ହଡ଼ପ ହୋଇଥିବା ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କାରୁ ନାଚୁରାନ୍ସ କମ୍ପାନିକୁ ଟ୍ରାନ୍ସଫର୍‌ ହୋଇଥିଲା। ସେଥିରୁ ୩ କୋଟି ୩୦ ଲକ୍ଷ ଟଙ୍କା ଇଓଡବ୍ଲୁ ଫ୍ରିଜ୍(ଅଚଳ) କରି ଦେଇଛି। ବାକି ୧ କୋଟି ୭୧ ଲକ୍ଷ ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥିବା ବେଳେ କିଛି ଟଙ୍କା ନଗଦ ଭାବେ ଉଠାଯାଇଛି। ବାକି ଟଙ୍କା ପ୍ରଣବ ଓ ଆଉ କିଛି ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥିବା ଅନୁମାନ କରାଯାଇଛି। ପ୍ରଭାବଶାଳୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ଲାଗି ଚାପ ପଡ଼ୁଥିବା କୁହାଯାଉଛି।

ଏହି ହାଇପ୍ରୋଫାଇଲ ଠକେଇ ମାମଲା ଏତିକିରେ ସୀମିତ ନାହିଁ। ରାଉରକେଲାସ୍ଥିତ ନାଚୁରାଲ୍ସ ଖଣି କମ୍ପାନିକୁ ଇ-ଚେକ୍ ମାଧ୍ୟମରେ ୫କୋଟି ୧ଲକ୍ଷ ୫୦ହଜାର ଟଙ୍କା ଟ୍ରାନ୍ସଫର୍‌ କରାଯାଇଥିଲା। ସେହିପରି ଗୋଏଲ୍ ଷ୍ଟିଲ୍ ନାମକ ଆଉ ଏକ କମ୍ପାନିକୁ ୪ କୋଟି ୯୮ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନ୍ସଫର କରିବା ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ଏହା ବିଫଳ ହୋଇଥିଲା। ଏନ୍ଏଚଏମ୍‌ ପୋର୍ଟାଲକୁ ହ୍ୟାକ୍ କରି ଏହି ଠକେଇ ହୋଇଥିବା ଜଣାପଡ଼ିଥିଲା। ଏହି ମାମଲାରେ ସୋନପୁର ଏନଏଚ୍‌ଏମ୍ କାର୍ଯ୍ୟାଳୟର ପୂର୍ବତନ ଆକାଉଣ୍ଟାଣ୍ଟ ରାଜକିଶୋର ନାୟକ ମୁଖ୍ୟ କାର୍ପଟଦାର ବୋଲି ଜଣାପଡ଼ିବା ପରେ ଗତ ୯ତାରିଖରେ ଇଓଡବ୍ଲୁ ତାଙ୍କୁ ଓ ତାଙ୍କ ସମ୍ପର୍କୀୟ ଅନନ୍ତ ଚରଣ ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପୂର୍ବରୁ ନାଚୁରାଲ୍ସ କମ୍ପାନି କର୍ମଚାରୀ ସୁନୀଲ ପତିଙ୍କୁ ଗିରଫ କରାଯାଇଥିଲା। ଏହି କମ୍ପାନିର ମାଲିକ ଫେରାର୍‌ ଥିବା ବେଳେ ପ୍ରଣବ ରାୟ ଓ ଅନ୍ୟ କେତେକ ହାଇପ୍ରୋଫାଇଲ ଅଭିଯୁକ୍ତଙ୍କ ବିରୋଧରେ ଇଓଡବ୍ଲୁ କେବେ କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଦେଖିବାକୁ ବାକି ରହିଲା। ଏ ସମ୍ପର୍କରେ ଇଓଡବ୍ଲୁ ଅଧିକାରୀ ମୁହଁ ଖୋଲିନାହାନ୍ତି। କେବଳ ତଦନ୍ତ ଜାରି ରହିଥିବା କହିଛନ୍ତି।

ସମ୍ବନ୍ଧିତ ଖବର