ଖୋର୍ଦ୍ଧା: ଖୋର୍ଦ୍ଧା ଜେଲ୍ରୁ ବ୍ରାଉନ୍ସୁଗାର କାରବାର ମାମଲାର ଚାରି ଜଣ ଅଭିଯୁକ୍ତଙ୍କୁ ଆଜି ପୁଲିସ ଦୁଇ ଦିନିଆ ରିମାଣ୍ଡରେ ଆଣିଛି। ସେମାନେ ହେଲେ, ଖୋର୍ଦ୍ଧାର ବହୁ ଚର୍ଚ୍ଚିତ ‘ପାକୁ’ ହତ୍ୟାକାଣ୍ଡର କୁଖ୍ୟାତ ଅପରାଧୀ ମନୋରଞ୍ଜନ ପ୍ରଧାନ ଓରଫ୍ ମିକି, ସଞ୍ଜୟ ପ୍ରଧାନ ଓରଫ୍ ସଞ୍ଜୁ, ସେକ୍ ଜାଫର ଓରଫ୍ ବାବୁ ଏବଂ ମିକିର ବଡ଼ ଭାଇ ଲକ୍ଷ୍ମୀଧର ପ୍ରଧାନ ଓରଫ୍ ଲକି। ଦୁଇ ଭାଇ ଲକି ଓ ମିକିର ଘର ଭାଲିଆବାଡ଼ି ହୋଇଥିବା ବେଳେ ସଞ୍ଜୁର ଘର ପ୍ରଧାନସାହିରେ ଏବଂ ବାବୁର ଘର ରଣପୁର ଥାନା ବାମ୍ବଡ଼ା ଗାଁରେ। ବାବୁ ଘର ରଣପୁର ହୋଇଥିଲେ ହେଁ ଖୋର୍ଦ୍ଧା ସହରରେ ଏକ ବ୍ୟାଗ୍ ଦୋକାନ ଦେଇଥିଲା।
ପୁଲିସ ତଦନ୍ତ ମୁତାବକ, ଖୋର୍ଦ୍ଧା ଜେଲରୁ ଯେଉଁ ବ୍ରାଉନ୍ସୁଗାର ନେଟ୍ୱର୍କ ଲମ୍ବିଥିଲା, ତା’ର ଅସଲ ସୂତ୍ରଧର ଯଦିଓ ମିକି ଥିଲା, କିନ୍ତୁ ନେଟ୍ୱର୍କକୁ କାର୍ଯ୍ୟକ୍ଷମ କରାଇଥିଲା ବ୍ୟାଗ୍ ଦୋକାନୀ ବାବୁ। ବନ୍ଦୀ ଜୀବନ କାଟୁଥିବା ମିକିକୁ ଜେଲ୍ରେ ସାକ୍ଷାତ୍ କରିବାକୁ ବାବୁ ଯାଇଥିଲା। ଅଳ୍ପ ସମୟ ସାକ୍ଷାତ୍ ଭିତରେ ବାବୁ ଓ ମିକି ବ୍ରାଉନସୁଗାର କାରବାର ଯୋଜନା କରିଥିଲେ। ମିକି ବାଲେଶ୍ବରର ଜଣେ ବ୍ରାଉନ୍ସୁଗାର ଡିଲରକୁ ଯୋଗାଡ଼ କରିଥିଲା। ଜେଲ୍ରେ ଥାଇ ବାଲେଶ୍ବରରୁ ଖୋର୍ଦ୍ଧାକୁ ବ୍ରାଉନ୍ସୁଗାର ପଠାଇବା ପାଇଁ ଡିଲ୍ କରାଇଥିଲା। ବାବୁକୁ ଏକ ଠିକଣା ଦେଇ ମିକି ବାଲେଶ୍ବରକୁ ପଠାଇଥିଲା। ବାବୁ ବାଲେଶ୍ବର ଯାଇ ଡିଲର ପାଖରୁ ବ୍ରାଉନ୍ସୁଗାର ଖୋର୍ଦ୍ଧାକୁ ଆଣି ବଣ୍ଟାକୁଣ୍ଟା ଉଦ୍ୟମ କରିଥିଲା।
ବ୍ୟାଗ୍ ଦୋକାନୀ ବାବୁକୁ ତନାଘନା କରିବା ପରେ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ବାଲେଶ୍ବରରୁ ବ୍ରାଉନ୍ସୁଗାର କେମିତି ଆସିଲା? କିଏ ଯୋଜନା କରିଥିଲା? କେବେ ଯୋଜନା ହୋଇଥିଲା, ତାହାର ସବିଶେଷ ତଥ୍ୟ ସିନା ପାଇଛି, ହେଲେ ବାଲେଶ୍ବରର ସେହି ମୂଳ ମାଫିଆ କିଏ ସେନେଇ ପୁଲିସ ଖୋଳତାଡ଼ କରୁଛି। ବାଲେଶ୍ବରର ମାଫିଆକୁ ବାବୁ ଚିହ୍ନି ନ ଥିବା କହୁଛି। ଏଭଳି ସ୍ଥିତିରେ ଯେଉଁ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି, ତା ଉପରୁ ପୁଲିସ ପର୍ଦ୍ଦା ହଟାଇବାକୁ ଚେଷ୍ଟା ଚଳାଇଛି। ମିକି କାହା ପାଖକୁ ପଠାଇଥିଲା? ବାବୁ କାହା ପାଖକୁ ଯାଇଥିଲା? ସେନେଇ ପୁଲିସ ଖୋଳତାଡ଼ ଚଳାଇଛି। ରିମାଣ୍ଡ ସମୟରେ ପୁଲିସ ମିକି ଓ ବ୍ୟାଗ୍ ଦୋକାନୀ ବାବୁଙ୍କୁ ମୁହାଁମୁହିଁ ଜେରା କରି ତା’ଉପରୁ ପରଦା ହଟାଇବାକୁ କେବଳ ଚାହୁଁ ନାହିଁ, ବରଂ ବ୍ରାଉନ୍ସୁଗାରର ମୂଳ ବେପାରୀକୁ ଧରିବା ପାଇଁ ବି ପୁଲିସ ଉଦ୍ୟମ ଆରମ୍ଭ କରିଛି। ଏସ୍ଡିପିଓ ଦିଲୀପ ଦାସଙ୍କ ନେତୃତ୍ବରେ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକଙ୍କ ସମେତ ପୁଲିସ ଅଧିକାରୀଙ୍କ ନେତୃତ୍ବରେ ଚାରି ଅଭିଯୁକ୍ତକୁ ରିମାଣ୍ଡରେ ନିଆଯାଇଛି।