ରାୟଗଡ଼ା : ରାୟଗଡ଼ା ସାଇ ଇଣ୍ଟରନ୍ୟାସ୍‌ନାଲ ହୋଟେଲରେ ଦୁଇ ରୁଷିଆ ନାଗରିକଙ୍କ ମୃତ୍ୟୁ ମାମଲାର ତଦନ୍ତରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏ ନେଇ ଜିଲ୍ଲା ପୁଲିସ ପକ୍ଷରୁ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଛି। ୨୦୨୨ ଡିସେମ୍ବର ୨୫ ତାରିଖରେ ମାନବାଧିକାର କର୍ମୀ ରବୀନ୍ଦ୍ର ମିଶ୍ର ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ କରିଥିବା ମାମଲା (୪୫୨୧/୧୮/୩୨/୨୦୨୨)କୁ ଭିତ୍ତିକରି ଏହି ରିପୋର୍ଟ ପ୍ରଦାନ କରାଯାଇଛି। ଜଣଙ୍କର ହୃଦ୍‌ଘାତରେ ଏବଂ ଅନ୍ୟ ଜଣେ ହୋଟେଲ ଛାତରୁ ପଡ଼ି ମୃତ୍ୟୁବରଣ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Advertisment

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ମାସ ୨୧ତାରିଖରେ ରାୟଗଡ଼ା ପହଞ୍ଚିଥିଲେ ରୁଷ୍‌ ନାଗରିକ ଆଣ୍ଟୋଭ ପାଭେଲ, ବାଇଡାନୋଭ ବ୍ଲାଦ୍‌ମିର (୭୧ବର୍ଷ), ପାନାସେନକୋ ନାଟାଲିଆ ଏବଂ ଟୁରୁଭ ମିଖାଇଲ। ପର୍ଯ୍ୟଟକ ଭାବେ ଆସି ରାୟଗଡ଼ା ସାଇ ଇଣ୍ଟରନ୍ୟାସ୍‌ନାଲ ହୋଟେଲରେ ରହିଥିଲେ। ତେବେ ରାୟଗଡ଼ା ପହଞ୍ଚିବାର ଦିନକ ପରେ ବାଇଡାନୋଭ ହଠାତ୍‌ ଅସୁସ୍ଥ ହୋଇଯିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ରାୟଗଡ଼ାରେ ହିଁ ବାଇଡାନୋଭଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଏହି ଘଟଣା ପରେ ଡିସେମ୍ବର ୨୪ତାରିଖରେ ହୋଟେଲ ଛାଡ଼ରୁ ଖସି ପଡ଼ିବାରୁ ଆଣ୍ଟୋଭଙ୍କ ମୃତ୍ୟୁ ହୋଇଥିଲା। ଦୁଇ ରୁଷ୍‌ ପର୍ଯ୍ୟଟକଙ୍କ ଏଭଳି ମୃତ୍ୟୁହେବା ଚହଳ ପକାଇଥିଲା। ତେଣୁ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ଏନ୍‌ଏଚ୍‌ଆରସିଙ୍କ ନିକଟରେ ଏ ନେଇ ମାନବାଧିକାର କର୍ମୀ ମାମଲା ରୁଜୁ କରିବାରୁ ତାହାର ଶୁଣାଣି ପାଇଁ ଗ୍ରହଣ କରାଯାଇଥିଲା। ସଂପୂର୍ଣ୍ଣ ତଥ୍ୟ ରଖିବାକୁ ରାୟଗଡ଼ା ଏସ୍‌ପିଙ୍କୁ କମିସନ ନିର୍ଦ୍ଦେଶ ଦେଇଥିଲେ। ଡିଏସ୍‌ପି ଅସିତ ରଞ୍ଜନ ମହାନ୍ତି ଘଟଣାର ତଦନ୍ତ କରିଥିବା ବେଳେ ଏସ୍‌ପି ସବିଶେଷ ତଥ୍ୟ କମିସନଙ୍କୁ ପ୍ରଦାନ କରିଛନ୍ତି।