ଏନ୍‌ଜିଟିରେ କାଜୁ ଜଙ୍ଗଲରୁ ମୋରମ୍‌ ଖନନ ମାମଲାର ଶୁଣାଣି: କେନ୍ଦୁଝର ଜିଲ୍ଲାପାଳ, ଘସିପୁରା ତହସିଲଦାରଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ : କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ଅନ୍ତର୍ଗତ ମଦନପୁର ମୌଜାର କାଜୁ ଜଙ୍ଗଲ ଜମିରୁ ବେଆଇନ ମାଙ୍କଡ଼ା ପଥର ଓ ମୋରମ ଖନନ ସଂପର୍କିତ ମାମଲାର ଶୁଣାଣି କରି ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନ୍‌ଜିଟି) ଏପ୍ରିଲ ୨୯ରେ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବେଆଇନ ଖଣି ଖନନ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କେତେ ସଂଖ୍ୟକ ଅପରାଧିକ ମାମଲା ରୁଜୁ ହୋଇଛି, ସେ ନେଇ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ବି ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ବେଆଇନ ଖଣି ଖନନ ମାମଲାରେ ପରିବେଶର ହୋଇଥିବା କ୍ଷତି ପାଇଁ କେଉଁ ଆଇନ ଉଲ୍ଲଂଘନକାରୀଙ୍କ ନିକଟରୁ କେତେ ଟଙ୍କା ଆଦାୟ କରାଯାଇଛି ଏବଂ କେତେ ଟଙ୍କା ଆଉ ଆଦାୟ ପାଇଁ ବାକି ରହିଛି, ସେ ନେଇ ସବିଶେଷ ତଥ୍ୟ ସତ୍ୟପାଠ ମାଧ୍ୟମରେ ଜଣାଅ। ପରବର୍ତ୍ତୀ ଶୁଣାଣି ସମୟରେ ଏହା ସ୍ପଷ୍ଟ କରିବାକୁ ସରକାରଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦୁଝର ଜିଲ୍ଲା ଘସିପୁରା‌ ତହସିଲ ଅନ୍ତର୍ଗତ ମଦନପୁର ମୌଜାରେ ଥିବା କାଜୁ ଜଙ୍ଗଲରେ ବେଆଇନ ଭାବେ ଖଣି ଖନନ ହେଉଛି ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ୨୦୧୯ରେ ସ୍ଥାନୀୟ ବାସିନ୍ଦା ସୁଧାଂଶୁ ଶେଖର କୁଅଁର ଓ ସମ୍ବିତ ରଞ୍ଜନ କୁଅଁର ଏନ୍‌ଜିଟିଙ୍କ ଦ୍ବାରସ୍ଥ ହୋଇଥିଲେ। ଏନ୍‌ଜିଟି ମାମଲାର ଶୁଣାଣି କରି ଏ ସଂପର୍କିତ ଅଭିଯୋଗର ଯୁଗ୍ମ ତଦନ୍ତ କରି ରିପୋର୍ଟ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଥିଲେ। କମିଟି ତଦନ୍ତ କରି ୭.୩୦ କୋଟି ଟଙ୍କାର ପରିବେଶକୁ ହୋଇଥିବା କ୍ଷତିଭରଣା ପାଇଁ ରିପୋର୍ଟ ଦେଇଥିଲେ। ଏହାପରେ ଏନ୍‌ଜିଟ ବେଆଇନ ଖଣି ଖନନ ଓ ଖଣିଜଦ୍ରବ୍ୟର ଚୋରାଚାଲାଣରେ ଜଡ଼ିତ ଥିବା ମାଫିଆମାନଙ୍କୁ ଚିହ୍ନଟ କରି ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପରିବେଶର ହୋଇଥିବା କ୍ଷତି ଭରଣା ନିମନ୍ତେ ଆଇନ ଉଲ୍ଲଂଘନକାରୀଙ୍କ ନିକଟରୁ ଜରିମାନା ଆଦାୟ କରିବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ତେବେ, ଇତିମଧ୍ୟରେ ତିନି ବର୍ଷ ବିତି ଯାଇଥିଲେ ମଧ୍ୟ ମାତ୍ର ୨ ଲକ୍ଷ ୨୧ ହଜାର ଟଙ୍କା ଆଦାୟ କରାଯାଇଛି। ମୋଟ ପରିବେଶ କ୍ଷତିପୂରଣ ରାଶିର ତୁଳନାରେ ଏହା କିଛି ନୁହେଁ ବୋଲି ଶୁଣାଣି ସମୟରେ ଆବେଦନକାରୀ ଦର୍ଶାଇଥିଲେ। କେବଳ ଲୋକ ଦେଖାଣିଆ ଅଳ୍ପ କିଛି ଜାଗାରେ ଚାରାରୋପଣ ହୋଇଛି ବୋଲି ଦର୍ଶାଯାଇଥିଲା। ଗତ ମାର୍ଚ୍ଚ ୨୨ ରେ ଶୁଣାଣି ସମୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକୁ ଏନ୍‌ଜିଟି ନାପସନ୍ଦ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର