ଭିମ୍‌ସାରରେ ରୋଗୀଙ୍କୁ ସଂକ୍ରମିତ ରକ୍ତ ଦିଆଯିବା ମାମଲା: ହାଇକୋର୍ଟରେ ଆରଡିସିଙ୍କ ସତ୍ୟପାଠ ଦାଖଲ

କଟକ : ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ରୋଗୀଙ୍କୁ ସଂକ୍ରମିତ ରକ୍ତ ଦିଅାଯିବା ପ୍ରସଙ୍ଗକୁ ନେଇ ବିଚାରାଧୀନ ମାମଲାରେ ଉତ୍ତରାଞ୍ଜଳ ଆରଡିସି ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠ ସହିତ ୨୦୧୬, ଜୁନରେ ହୋଇଥିବା ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ରିପୋର୍ଟ ମଧ୍ୟ ହାଇକୋର୍ଟରେ ଦାଖଲ କରାଯାଇଛି। ରିପୋର୍ଟରେ କେତେକ ପ୍ରସ୍ତାବ ରହିଥିବାବେଳେ ଏହାଉପରେ ସେପ୍ଟେମ୍ବର ୩୦ ସୁଦ୍ଧା ଜବାବ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାର ଦାଖଲ କରିବାକୁ ଥିବା ସତ୍ୟପାଠର କପି ଆବେଦନକାରୀଙ୍କୁ ଆଗୁଆ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିବା ସହିତ ଅକ୍ଟୋବର ୧୩କୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ.କେ.ଶର୍ମାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଭିମସାରରେ ୨୦୧୬ ଜୁନ ମାସରେ ଦୁଇ ଜଣ ରୋଗୀଙ୍କୁ ଏଚଆଇଭି ଓ ହେପାଟାଇଟିସ ସଂକ୍ରମିତ ରକ୍ତ ଦିଅାଯିବା ନେଇ ଅଭିଯୋଗ ହୋଇଥିଲା। ଏପରି ଅଭିଯୋଗରେ ସତ୍ୟତା ଥିବା ତଦନ୍ତରୁ ଜଣାପଡିବା ପରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭିମସାର ବ୍ଲଡ ବ୍ୟାଙ୍କ ଡାକ୍ତରଙ୍କୁ ନିଲମ୍ବନ କରାଯାଇଥିଲା। ଘଟଣାର ତଦନ୍ତ ପାଇଁ ଆରଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରସଂଗକୁ ନେଇ ୨୦୧୬ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମାମଲାରେ ରାଜ୍ୟ ସରକାର, ସମ୍ବଲପୁର ଅାରଡିସି, ଭିମ୍‌ସାର୍‌ ନିର୍ଦ୍ଦେଶକ ଓ ଡିନ୍‌ଙ୍କ ସହିତ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର