ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପ୍ରସଙ୍ଗ: ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆରେ ମାମଲା ରୁଜୁ

ବାଲେଶ୍ବର: ‘ସମ୍ବାଦ-କନକ’ ନ୍ୟୁଜ୍‌ର ନୀଳଗିରି ପ୍ରତିନିଧି ଲୋକନାଥ ଦଳେଇଙ୍କ ମାମଲା ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ପିସିଆଇ)‌ରେ ପହଞ୍ଚିଛି। ପିସିଆଇର ସଦସ୍ୟ ତଥା ଓଡ଼ିଶା ସାମ୍ବାଦିକ ୟୁନିୟନ୍ (ଓୟୁଜେ)ର ସଭାପତି ପ୍ରସନ୍ନ କୁମାର ମହାନ୍ତିଙ୍କ ଅଭିଯୋଗ ଆଧାରରେ ପ୍ରେସ୍‌ କାଉନ୍‌ସିଲ ଆକ୍ଟ୍‌ ୧୯୭୮, ଧାରା ୧୩ ଅନୁଯାୟୀ ଏ ସଂକ୍ରାନ୍ତରେ ଏକ ଅଭିଯୋଗ (ନଂ ୮୨/୨୦୨୨) ତଦନ୍ତ ପରିସରଭୁକ୍ତ ହୋଇଥିବା କାଉନ୍‌ସିଲର ସଚିବ ଅନୁପମା ଭଟ୍ଟନାଗର ସୂଚନା ଦେଇଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ନିମନ୍ତେ ସର୍ବଭାରତୀୟସ୍ତରରେ କାର୍ଯ୍ୟ କରୁଥିବା ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୁଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଶ୍ରୀ ମହାନ୍ତି ପ୍ରେସ୍ କାଉନ୍‌ସିଲର ନୂଆଦିଲ୍ଲୀ କାର୍ଯ୍ୟାଳୟକୁ ଇ-ମେଲ୍‌ ଯୋଗେ ଅଭିଯୋଗ କରିଥିଲେ। ପ୍ରକ୍ରିୟା ଜାରି ରହିଛି ଓ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଯଥା ସମୟରେ ଅବଗତ କରାଯିବ ବୋଲି ଶ୍ରୀମତୀ ଭଟ୍ଟନାଗର ଚିଠିରେ ସୂଚୀତ କରିଛନ୍ତି।

ସୂଚନାଥାଉକି, ଏପ୍ରିଲ ୬ ତାରିଖରେ ସାମ୍ବାଦିକ ଶ୍ରୀ ଦଳେଇଙ୍କୁ ନୀଳଗିରି ପୁଲିସ ଥାନାକୁ ଡକାଇ ବେଆଇନ ଭାବେ ଅଟକ ରଖିବା ସହ ନିର୍ଯାତନା ଦେଇଥିଲା। ଥାନା ଭିତରେ ସେ ଅଚେତ ହୋଇପଡ଼ିବା ପରେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଗୋଡ଼ରେ ବେଡ଼ି ବାନ୍ଧି ଦେଇଥିଲା ପୁଲିସ। ଏଥିପାଇଁ ମାଜିଷ୍ଟ୍ରେଟ୍‌ କିମ୍ବା କୋର୍ଟ, କାହାଠୁ ଅନୁମତି ନିଆଯାଇନଥିଲା। ପୁଲିସର ଏଭଳି ଅମାନୁଷିକ କାମକୁ ଦଳମତ ନିର୍ବିଶେଷରେ ସମସ୍ତ ରାଜନେତା ଓ ସାଧାରଣ ଜନତା କଡ଼ା ଭାଷାରେ ନିନ୍ଦା କରିବା ସହ ଥାନା ଅଧିକାରୀ ଓ ତଦନ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ଘଟଣାରେ ରାଜ୍ୟ ମାନବାଧିକାର କମିସନ୍‌ ନିଜ ଆଡ଼ୁ ମାମଲା ରୁଜୁ କରି ବାଲେଶ୍ବର ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଥିବା ବେଳେ ଜାତୀୟ ମାନବାଧିକାର କମିସନ୍ ମଧ୍ୟ ଗୋଡ଼‌ରେ ବେଡ଼ି ପକାଇବା ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆ‌ଯାଇଛି, ସେ ସଂପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ପୁଲିସ ଆଇଜି, ବାଲେଶ୍ବର ଏସ୍‌ପି ଓ ଓଡ଼ିଶା ମାନବାଧିକାର କମିସନ୍‌ଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର