ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦେପୁର ସରପଞ୍ଚଙ୍କ ବିରୋଧରେ ମାମଲା ରୁଜୁ

ଭବାନୀପାଟଣା: ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍‌ ଦେପୁର ପଞ୍ଚାୟତ ସରପଞ୍ଚ ଭୁକୁଲୁ ବାଗଙ୍କ ନାମରେ ଜୟପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି। ପୂର୍ବତନ ସରପଞ୍ଚ ଜଗବନ୍ଧୁ ଦୁର୍ଗା ଗତ ତା.୩/୨/୨୦୨୧ ରେ ଲିଖିତ ଭାବରେ ଭୁକୁଲୁ ବାଗଙ୍କ ବିରୋଧରେ ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ।

ତେବେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଥାନା ଅଧିକାରୀ ଅଭିଯୋଗ ପଞ୍ଜୀକରଣ କରିନଥିବାରୁ ପୂର୍ବତନ ସରପଞ୍ଚ ଶ୍ରୀ ଦୁର୍ଗା ତା.୯/୨/୨୦୨୧ରେ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣା ବିବେକ ଏମ୍‌ଙ୍କୁ ସାକ୍ଷାତ କରି ଏନେଇ ଅବଗତ କରିଥିଲେ। ଏଥିସହିତ ଦେପୁର ପଞ୍ଚାୟତ ମାମଲା ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ କାର୍ଯ୍ୟରତ ସରପଞ୍ଚ ଭୁକୁଲୁ ବାଗ ନିଜ ପୁଅ ସୁଜିତ ବାଗର ଜନ୍ମ ତାରିଖ ଚଞ୍ଚକତା କରି ନିଜ ପଦବି ବଞ୍ଚାଇ ଚାଲିଥିବା ଅଭିଯୋଗ ରହିଛି। ଇତି ମଧ୍ୟରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କ କୋର୍ଟରେ ଏହି ମାମଲାର ବିଚାର ଚାଲିଛି।

ତେବେ ସରପଞ୍ଚ ଶ୍ରୀ ବାଗ ମିଥ୍ୟା ଆଫିଡେବିଟ୍‌ ଜରିଆରେ ପୁଅ ସୁଜିତ ବାଗର ଜନ୍ମ ତାରିଖ ତା.୧୧/୩/୧୯୯୪ ପରିବର୍ତ୍ତେ ତା.୨୩/୬/୧୯୯୫ ଦର୍ଶାଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜନ୍ମ ତାରିଖ ଥିବା ପ୍ରମାଣପତ୍ର ହାସଲ କରିଛନ୍ତି। ଏହି ପ୍ରମାଣପତ୍ରକୁ କଳାହାଣ୍ଡି ଜିଲ୍ଲାପାଳଙ୍କ କୋର୍ଟରେ ପ୍ରଦାନ କରି ଦେପୁର ସରପଞ୍ଚ ନିଜ ପଦବିକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରି ପୂର୍ବତନ ସରପଞ୍ଚ ଶ୍ରୀ ଦୁର୍ଗା ମାନ୍ୟବର ଉଚ୍ଚନ୍ୟାୟାଳୟର ଆଶ୍ରୟ ନେଇଥିଲେ।

ଜୟପାଟଣା ଥାନାରେ ଏହି ମାମଲା ହୋଇଥିଲେ ମଧ୍ୟ ଥାନା ଅଧିକାରୀ ମାମଲା ରୁଜୁ କରୁନଥିବା ଘଟଣାର ଦୃଷ୍ଟି ଆକର୍ଷଣ କରିଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ମାମଲାକୁ ଗୁରୁତର ସହ ନେଇ ଗତ ତା.୧୬/୩/୨୦୨୧ରେ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକଙ୍କୁ ଏହି ମାମଲା ରୁଜ୍ଜୁ କରିବାକୁ ନିର୍ଦ୍ଦେଶ ଦେିଛନ୍ତି। ଜୟପାଟଣା ଥାନା କେସ୍ ନଂ. ୭୬ ଭାରତୀୟ ଦଣ୍ଡବିଧାନ ଧାରା ୪୨୦, ୪୬୫, ୪୬୮ ଓ ୩୪ ଅନୁଯାୟୀ ମାମଲା ରୁଜୁ ହେବା ସହ ଏସ୍‌ଆଇ ଅଶୋକ କୁମାରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର