ରାୟଗଡା: କଲ୍ୟାଣସିଂହପୁର ବ୍ଲକର ସିକରପାଇ ପଞ୍ଚାୟତର ଉପରସଜା ଗ୍ରାମରେ ସୋମବାର ଦିନ ପୋଲ ସେଣ୍ଟ୍ରିଂ ଭୁଶୁଡ଼ିବା ଘଟଣାରେ ୪ ଶିଶୁ ସମେତ ୫ ଜଣଙ୍କର ଅକାଳରେ ଜୀବନ ଚାଲିଯାଇଥିଲା। ଏହି ଘଟଣା ଘଟିବା ପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବିଭାଗୀୟ ୩ ଜଣ ଅଧିକାରୀଙ୍କୁ ନିଳମ୍ବିତ କରିଥିଲେ।ସେଥିମଧ୍ୟରୁ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ଯନ୍ତ୍ରୀ ଭେଙ୍କେଟ ରମଣ ମୁଦୁଲି ଏବଂ କନିଷ୍ଠ ଯନ୍ତ୍ରୀ ରାଜେଶ କୁମାର ମଣ୍ଡଳ। ଏଥିସହ ଠିକାଦାର ବି.ଜ୍ୟୋତିଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ତେବେ ସିକରପାଇ ପଞ୍ଚାୟତର ସରପଞ୍ଚ ଠିକାଦାର ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି।

Advertisment

ଆଜି ଜିଲ୍ଲାପାଳ ସ୍ବଧା ଦେବ ସିଂ ଏନେଇ ସ୍ପଷ୍ଟ କରିଛନ୍ତି।ସରକାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଘୋଷଣା କରିଥିବା ବେଳେ ତୁରନ୍ତ ଏହି ସହାୟତା ରାଶି ମୃତ ପରିବାର ମଧ୍ୟରେ ବଣ୍ଟନ କରାଯିବ ବୋଲି କହିଥିଲେ। ସେହିପରି ତିନି ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଥାକୁ ସ୍ବୀକାର କରିଥିଲେ। ଠିକାଦାର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା କହିଥିଲେ। ତେବେ ଆଜି ଘଟଣାସ୍ଥଳକୁ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀଧର ନାୟକ ଏବଂ ଏକ ଟିମ ପହଞ୍ଚିପାରିନଥିବା ଜଣାପଡିଛି। ଘଟଣାସ୍ଥଳରେ କୌଣସି ଅପ୍ରତିକର ଘଟଣା ନଘଟୁ ସେଥିପାଇଁ ପୁଲିସ ଏହି ଟିମକୁ ଅଟକାଇଥିବା ଜଣାପଡିଛି। ତେବେ ଏହାର ବିଧିବଦ୍ଧ ତଦନ୍ତ ହେବ ବୋଲି କୁହାଯାଇଛି। ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିଲ୍ଲାପାଳ ମଧ୍ୟ ସ୍ପଷ୍ଟ କରିଥିଲେ।

ପ୍ରକାଶ ଥାଉକି ନବ ନିର୍ମିତ ପ୍ରଧାନମନ୍ତ୍ରୀ ସଡକଟି ଆରଡି ରାସ୍ତା ଠାରୁ ଏସଏଚ-୪୫ ଭାୟା ସଜା ଦେଇ ଯାଉଥିଲା। ଏହି କାମଟିକୁ ଠିକାଦାର ବି.ଜ୍ୟୋତିଙ୍କ ନାମରେ ଥିଲା।କାମଟି ୨ କୋଟି ୭୪ ଲକ୍ଷ ୧୮ ହଜାର ୨୮୭ ଟଂକା ବୋଲି ଜଣାପଡିଛି। ଉପର ସଜା ଗ୍ରାମ ନିକଟରେ ଏକ ବକ୍ସ କଲଭର୍ଟ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହାର ସେଣ୍ଟ୍ରିଂ ଗତ ୨ ମାସରୁ ଉର୍ଦ୍ଧ୍ବ ସମୟ ହୋଇ ରହିଥିଲା। ବର୍ଷା ଯୋଗୁଁ ଏହି କାମ କରାଯାଇପାରୁନଥିବା କୁହାଯାଇଛି। କିନ୍ତୁ ଗତକାଲି ୫ ଜଣ ଏହି କଲଭର୍ଟ ତଳେ ରହି ଗାଧୋଉଥିବା ବେଳେ ହଠାତ ଭୁଶୁଡି ପଡିଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ଜୀବନ ଚାଲିଯାଇଥିଲା। କେବଳ ବିଭାଗୀୟ ଅଧିକାରୀଙ୍କୁ ନିଳମ୍ବିତ କରିଦେଲେ ହେବ ନାହିଁ ବୋଲି ବିଭିନ୍ନ ରାଜନୈତିକ ଦଳ ଦାବି କରିଛନ୍ତି। ତାଂକ ବିରୋଧରେ ମାମଲା ରୁଜୁ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ନବରଂଗପୁର ଜିଲ୍ଲାର ଉମରକୋଟ ଠାରେ ଘଟିଥିବା ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଲେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ। ଏଠାରେ କାହିଁକି ନାହିଁ ବୋଲି ଯୁକ୍ତି ବାଢିଛନ୍ତି ସାଧାରଣ ଜନତା। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ କୌଣସି ଅଧିକାରୀଙ୍କୁ ସେହି ଅଂଚଳକୁ ପୁଲିସ ଛାଡୁନଥିବା ଜଣାପଡିଛି।