କେନ୍ଦ୍ରାପଡ଼ାରେ ସରକାରୀ ଜମି ହଡ଼ପ: ତତ୍କାଳୀନ ତହସିଲଦାରଙ୍କ ସମେତ ୮ଜଣଙ୍କ ନାଁରେ ମାମଲା

କେନ୍ଦ୍ରାପଡ଼ା/ମହାକାଳପଡ଼ା : ବସୁନ୍ଧରା ଯୋଜନାରେ ଥିଲାବାଲା ଲୋକଙ୍କୁ ଭୂମିହୀନ ଦର୍ଶାଇ ସରକାରୀ ଜମି ‌ଦେବା ପ୍ରସଙ୍ଗରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ପଣ୍ଡା ଏବଂ ଚାରି ଆର୍‌ଆଇ ଜେଲ୍‌ ଯିବା ଘଟଣାରୁ ଚର୍ଚ୍ଚା ଥମିନି। ଏବେ ମହାକାଳପଡ଼ା ତହସିଲ୍‌ ଅଂଚଳରୁ ଅନୁରୂପ ଜମି କେଳେଙ୍କାରୀ ସାମ୍ନାକୁ ଆସିଛି। ଏହି କେଳେଙ୍କାରୀ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ମହାକାଳପଡ଼ା ତତ୍କାଳୀନ ତହସିଲଦାର ବିଷ୍ଣୁ ଚରଣ ରାଉତ, ରାଜସ୍ୱ ନିରୀକ୍ଷକ ଶିବ ସ୍ୱାଇଁ, ରାମନଗର ଅଂଚଳର ଅଜୟ ଦେବନାଥ, ସୁନିତା ଦେବନାଥ, ଗଣେଶ ବାଛାଡ଼, କାକୁଲି ବାଛାଡ଼, ଅମିତ ଦେବନାଥ ଓ ମିଲନ ଦେବନାଥଙ୍କ ନାଁରେ ମାମଲା ରୁଜୁ ହୋଇଛି। ପରିବେଶ ସୁରକ୍ଷା କର୍ମୀ ଦିଲ୍ଲୀପ ସାମନ୍ତରାୟଙ୍କ ଏତଲା କ୍ରମେ ଜମ୍ବୁ ସାମୁଦ୍ରିକ ଥାନାରେ ଦୁଇ ସରକାରୀ ଅଧିକାରୀଙ୍କ ସମେତ ଉପରୋକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ କେସ୍‌ ନମ୍ବର ୧୩୧/୨୧, ଦଫା ୪୨୦, ୪୬୭, ୪୬୮, ୪୭୧, ୧୨୦-ବି, ୩୪ ଆଇପିସିରେ ମାମଲା ରୁଜୁ କରିଛି ା ଏହି ମାମଲା ରୁଜୁ ପରେ ମହାକାଳପଡ଼ା ଅଂଚଳରେ ହଇଚଇ ସୃଷ୍ଟି ହୋଇଛି। ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇଥିବା ସରକାରୀ ଅଧିକାରୀ ଏବଂ ଅସାଧୁ ଉପାୟରେ ଜଂଗଲ ଜମି ହାତେଇଥିବା ବ୍ୟକ୍ତିବିଶେଷଙ୍କ ଭିତରେ ଛନକା ପଶିଛି।

ସୂଚନାନୁଯାୟୀ, ୨୦୧୦-୧୧ ମସିହାରେ ରାମନଗର ଅଂଚଳର ଅଜୟ ଦେବନାଥ, ସୁନିତା ଦେବନାଥ, ଗଣେଶ ବାଛାଡ଼, କାକୁଲି ବାଛାଡ଼, ଅମିତ ଦେବନାଥ ଓ ମିଲନ ଦେବନାଥ ପ୍ରମୁଖ ଥିଲାବାଲା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭୂମିହୀନ ଦର୍ଶାଯାଇ ସରକାରୀ ଜମି ଦିଆଯାଇଥିଲା ା ତତ୍କାଳୀନ ତହସିଲଦାର ବିଷ୍ଣୁଚରଣ ରାଉତ ଏବଂ ଆର୍‌ଆଇ ଶିବ ସ୍ବାଇଁ ସବୁ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ ଜଙ୍ଗଲ କିସମ ଓ ନଦୀ କିସମ ଥିବା ଜମିକୁ ପଟ୍ଟା କରି ଦେଇଥିବା ନୟାଗଡ଼ ଅଂଚଳର ପରିବେଶ ସୁରକ୍ଷା କର୍ମୀ ଦିଲ୍ଲୀପ ସାମନ୍ତରାୟ ଅଭିଯାଗ କରିଥିଲେ ା ଶ୍ରୀ ସାମନ୍ତରାୟ ପ୍ରଥମେ ଗତ ଜାନୁଆରିରେ ଜମ୍ବୁ ସାମୁଦ୍ରିକ ଥାନାରେ ଏହି ଅଭିଯୋଗ କରିଥିଲେ। ହେଲେ ପୁଲିସ ଅଭିଯୋଗ ଗ୍ରହଣ ନ କରିବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତ ମାମଲାର ବିଚାର କରି କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ, ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ତତ୍କାଳୀନ ତହସିଲଦାର, ଆର୍‌ଆଇଙ୍କ ସମେତ ଆଠ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ା

ସମ୍ବନ୍ଧିତ ଖବର