କଟକ : ନିର୍ବାଚନୀ ଉଷ୍ମତା ଏବଂ ହାର୍ଜିତ୍କୁ ନେଇ ମାନସମନ୍ଥନ କେବେଠୁ ଶେଷ ହୋଇସାରିଲାଣି। ଏବେ ଯେଉଁ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି, ତାହା ହେଉଛି ମିଥ୍ୟା ସତ୍ୟପାଠ। କେତେଜଣ ନବନିର୍ବାଚିତ ବିଧାୟକଙ୍କ ସତ୍ୟପାଠରେ ତ୍ରୁଟିଥିବା ଅଭିଯୋଗ କରି ସେମାନଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ପରାଜିତ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସମ୍ପୃକ୍ତ ବିଧାୟକଙ୍କ ସଭ୍ୟ ରଦ୍ଦ ସହିତ ସାନି ନିର୍ବାଚନ ପାଇଁ ଦାବି କରିଛନ୍ତି।
କିଛିଦିନ ତଳେ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ବିରୋଧରେ ମିଥ୍ୟା ସତ୍ୟପାଠର ଅଭିଯୋଗ ଆସିଥିଲା। ପରାଜିତ ବିଜେପି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ ହାଇକୋର୍ଟରେ ମାମଲା ରୁଜ୍ଜୁ କରିଥିଲେ। ଆଜି ୩ ଜଣ ବିଧାୟକଙ୍କ ବିରୋଧରେ ସମାନ ଅଭିଯୋଗ ଆଣି ସେମାନଙ୍କ ପ୍ରତିଦ୍ବନ୍ଦ୍ବୀ ଅନୁରୂପ ଭାବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସୂଚନା ଅନୁସାରେ, ବାରବାଟୀ-କଟକ ଆସନରୁ ବିଧାୟକ ଭାବେ ଇଂ.ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଚାଲେଞ୍ଜ କରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପରାଜିତ ବିଜେଡି ପ୍ରାର୍ଥୀ ଶ୍ରୀ ସାମନ୍ତରାୟଙ୍କ ପକ୍ଷରୁ ଦାୟର ନିର୍ବାଚନୀ ମୋକଦ୍ଦମାରେ ଦର୍ଶାଯାଇଛି ଯେ ନାମାଙ୍କନ ଦାଖଲ ସମୟରେ ମହମ୍ମଦ ମୋକିମ ଦାଖଲ କରିଥିବା ସତ୍ୟପାଠରେ ଅସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ। ଏଥିସହିତ ବାରବାଟୀ-କଟକ ଆସନ ପାଇଁ ସାନି ନିର୍ବାଚନ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ସେ ପ୍ରର୍ଥନା କରିଛନ୍ତି। ମାମଲାରେ ମହମ୍ମଦ ମୋକିମଙ୍କୁ ପକ୍ଷଭୁକ୍ତ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ, ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ବିଜୟୀ ହୋଇଥିବାବେଳେ ନାମାଙ୍କନ ପତ୍ର ଦାଖଲ ସମୟରେ ସେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ତାହା ଅସଂପୂର୍ଣ୍ଣ । ଦାଖଲ ନିର୍ବାଚନୀ ମୋକଦ୍ଦମାରେ ଦର୍ଶାଯାଇଛି ଯେ ପ୍ରତିପକ୍ଷ ନିଜ ସତ୍ୟପାଠରେ ବହୁ ତଥ୍ୟ ଲୁଚାଇ ଥିଲେ। ସତ୍ୟପାଠରେ ତାଙ୍କ ନାଁରେ ଥିବା ବିଭିନ୍ନ ମାମଲା ସଂକ୍ରାନ୍ତରେ ସଠିକ ତଥ୍ୟ ଦିଆଯାଇ ନାହିଁ। ସଂପତ୍ତି ସଂପର୍କରେ ମଧ୍ୟ ସତ୍ୟପାଠରେ ଠିକ୍ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ। ଏପରି ପରିସ୍ଥିତିରେ ମହମ୍ମଦ ମୋକିମଙ୍କ ସଭ୍ୟପଦ ରଦ୍ଦ କରାଯିବା ଉଚିତ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ଓ ଆଇନଜୀବୀ ଗୋପାଳ ଅଗ୍ରୱାଲ୍ ମାମଲା ପରିଚାଳନା କରୁଛନ୍ତି।
ରେମୁଣା ବିଧାନସଭା ଆସନକୁ ନେଇ ହାଇକୋର୍ଟରେ ନିର୍ବାଚନ ମୋକଦ୍ଦମା ଦାୟର ହୋଇଛି। ପରାଜିତ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେଡିର ସୁଧାଂଶୁ ଶେଖର ପରିଡାଙ୍କ ସତ୍ୟପାଠ ଅସଂପୂର୍ଣ୍ଣ। ନାମାଙ୍କନ ଦାଖଲ ସମୟରେ ଶ୍ରୀ ପରିଡା ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ସଂପତ୍ତି ଓ ଅନ୍ୟାନ୍ୟ ପ୍ରସଂଗରେ ଯେଉଁ ତଥ୍ୟ ଦେଇଛନ୍ତି ତାହା ସଂପୂର୍ଣ୍ଣ ନୁହେଁ। ବହୁ ଗୁୁରୁତ୍ବପୂର୍ଣ୍ଣ ତଥ୍ୟ ଏହି ସତ୍ୟପାଠରେ ଉଲ୍ଲେଖ କରାଯାଇ ନାହିଁ। ସତ୍ୟପାଠରେ ଅସଂପୂର୍ଣ୍ଣ ତଥ୍ୟ ତଥା ତ୍ରୁଟିପୂର୍ଣ୍ଣ ନାମାଙ୍କନ ପତ୍ର ପାଇଁ ଶ୍ରୀ ପରିଡାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ। ଏଥିସହିତ ତାଙ୍କୁ ବିଜୟୀ ଘୋଷଣା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାସ ମାମଲା ପରିଚାଳନା କରୁଛନ୍ତି।
ସେହିଭଳି, ଲକ୍ଷ୍ମୀପୁର ବିଧାନସଭା ଆସନ ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର ହୋଇଛି। ପରାଜିତ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକାଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି ଯେ ବିଜୟୀ ପ୍ରାର୍ଥୀ ପ୍ରଭୁ ଜାନିଙ୍କ ନାମାଙ୍କନପତ୍ରରେ ତ୍ରୁଟି ଥିଲା। ରିଟର୍ଣ୍ଣିଂ ଅଫିସର ଶ୍ରୀ ଜାନିଙ୍କ ନାମାଙ୍କନପତ୍ର ଠିକ୍ ଭାବେ ଯାଞ୍ଚ କରି ନଥିଲେ। ନିର୍ବାଚନ ସମୟରେ ପ୍ରତିପକ୍ଷ ଅସାଧୁ ଉପାୟ ଅବଲମ୍ବନ କରିଥିଲେ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏଥି ପାଇଁ ବିଧାୟକ ପ୍ରଭୁ ଜାନିଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ। ଏଥିସହିତ ତାଙ୍କୁ ନିର୍ବାଚନରେ ବିଜୟୀ ଭାବେ ଘୋଷଣା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ମାମଲା ପରିଚାଳନା କରୁଥିବାବେଳେ ଆଇନଜୀବୀ ତରଣୀକାନ୍ତ ବିଶ୍ବାଳ, ପୁଷ୍ପରାଜ ଭରଦ୍ବାଜ, ରଶ୍ମିରେଖା ପଣ୍ଡା, ଭବାନୀଶଙ୍କର ପାଣିଗ୍ରାହୀ ସହାୟତା କରୁଛନ୍ତି।