ରାଉରକେଲା : ପ୍ରତିବର୍ଷ ପରି ଚଳିତ ଥର ଗତ ୨୬ ଅକ୍ଟୋବରରୁ ଆସନ୍ତା ନଭେମ୍ବର ୧ ପର୍ଯ୍ୟନ୍ତ ପାଳନ ହେଉଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ରୋକିବାକୁ ନିଆଯାଉଛି ସଂକଳ୍ପ। ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାର କହୁଛନ୍ତି। ଏଥିପାଇଁ କାମ କରୁଛି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ। ହେଲେ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକାଂଶ ସରକାରୀ ବିଭାଗରେ ବଢ଼ି ଚାଲିଥିବା ଦୁର୍ନୀତିକୁ ରୋକିବାରେ ସେତେଟା ସଫଳ ହୋଇପାରି ନାହିଁ। ଯାହା ବିଭାଗରୁ ୨୨ ମାସରେ ରୁଜୁ ମାମଲାରୁ ସ୍ପଷ୍ଟ।
ଗତ ୨୦୨୦ ରୁ ୨୦୨୧ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅର୍ଥାତ୍ ୨୨ ମାସରେ ମାତ୍ର ୨୧ଟି ମାମଲା ରୁଜୁ ହୋଇଛି। ଏଥି ମଧ୍ୟରେ ୧୦ଟି ଟ୍ରାପ୍ ମାମଲା ରହିଥିବାବେଳେ ଆୟ ବର୍ହିଭୂତ ମାମଲା ୫ଟି, ଦୁର୍ନୀତି ମାମଲା ୬ଟି ରହିଛି। ୨୦୨୦ରେ ୪ଟି ଟ୍ରାପ୍ ମାମଲା ରୁଜୁ ହୋଇଥିଲାବେଳେ ଆୟବର୍ହିଭୂତ ମାମଲା ଥିଲା ମାତ୍ର ୨ଟି। ଦୁର୍ନୀତି ମାମଲା ଥିଲା ୪ଟି। ସେମିତି ୨୦୨୧ ଅକ୍ଟୋବର ମାସ ସୁଦ୍ଧା ୬ଟି ଟ୍ରାପ୍ ମାମଲା ହୋଇଛି। ଦୁର୍ନୀତି ମାମଲା ୨ଟି ରହିଥିବାବେଳେ ଆୟବର୍ହିଭୂତ ମାମଲା ମାତ୍ର ୩ଟି ରହିଛି। ଦୁଇ ବର୍ଷ ମଧ୍ୟରେ ୨୧ଟି ମାମଲା ମଧ୍ୟରୁ କେବଳ ମାତ୍ର ଗୋଟିଏ ବଡ ଟ୍ରାପ୍ ମାମଲା ରହିଛି। ଭିଜିଲାନ୍ସ ପଞ୍ଝାରେ ପଡିଥିଲେ ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସି)ର ଜିଲ୍ଲା ପ୍ରବନ୍ଧକ ଜୟପ୍ରକାଶ ମହାନ୍ତି। ତାଙ୍କ ନିକଟରୁ ନଗଦ ୧୮ ଲକ୍ଷ ୫ଶହ ଟଙ୍କା ଜବତ ହୋଇଥିଲା। ଗତ ୨ ଜୁନ୍ରେ ଶ୍ରୀ ମହାନ୍ତି ସୁନ୍ଦରଗଡ଼ ସହରରୁ ନିଜ ଅଫିସ ବଲେରୋରେ ବିପୁଳ ପରିମାଣର ଟଙ୍କା ନେଇ ଭୁବନେଶ୍ବର ଘରକୁ ଯାଉଥିଲେ। ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ଵରେ ଏକ ଟିମ ତାଙ୍କୁ ମସ୍ନିକାନୀ ଟୋଲ୍ ପ୍ଲାଜାରେ ଧରିଥିଲେ। ତାଙ୍କ ଠାରୁ ନଗଦ ୧୮ ଲକ୍ଷ ୮୦ ହଜାର ୫ ଶହ ଟଙ୍କା ସହ ଝାରସୁଗୁଡ଼ା-ଭୁବନେଶ୍ବର ଇଣ୍ଟରସିଟି ରେଳର ଏକ ଟିକଟ ଜବତ କରାଯାଇଥିଲା। ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବା ଓ ତଦନ୍ତରେ ଏହା ବେନିୟମ ଉପାର୍ଜନ ଜଣାପଡ଼ିବା ପରେ ତାଙ୍କୁ ଗିରଫ କରି ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଶ୍ରୀ ମହାନ୍ତି ଅଫିସ ବଲୋରୋ (ଓଡି-୧୬ଏ ୫୬୭୬) ଟୋଲପ୍ଲାଜାରେ ପହଞ୍ଚିଥିଲେ। ଟୋଲ ଟିକସ୍ ପୈଠ କରି ଆଗକୁ ବଢ଼ିବା କ୍ଷଣି ଭିଜିଲାନ୍ସ ଟିମ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ପରେ ଟଙ୍କା ଭର୍ତ୍ତି ବ୍ୟାଗ ଠାବ ହୋଇଥିଲା। ସେତେବେଳେ ଶ୍ରୀ ମହାନ୍ତି ୧୯ ଲକ୍ଷ ଟଙ୍କା ଥିବା ପ୍ରକାଶ କରିଥିଲେ।
ସେମିତି ଗତ ୨୦୨୧ ସେପ୍ଟେମ୍ବରରେ ଦେବଗଡ ଅବକାରୀ ଅଧୀକ୍ଷକଙ୍କ ନିକଟରୁ ୧ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିଲା। ଗତ ୨୦୨୧ ମାର୍ଚ୍ଚରେ ସୁନ୍ଦରଗଡ ହେମଗିରି ବ୍ଲକ ଶିକ୍ଷା ଅଧିକାରୀ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଥିଲେ। ରାଉରକେଲା ଭିଜିଲାନ୍ସ ଅଫିସ ଅଧୀନରେ ରାଉରକେଲା, ସୁନ୍ଦରଗଡ ଓ ଦେବଗଡ ତିନିଟି ପୁଲିସ ଜିଲ୍ଲା ଆସୁଛି। ପ୍ରତ୍ୟେକ ବିଭାଗରେ ଦୁର୍ନୀତିର ମାଳ ମାଳ ଅଭିଯୋଗ ରହିଥିଲାବେଳେ ଭିଜିଲାନ୍ସ ଟିମ୍ ମାତ୍ର ୨୨ ମାସରେ ୨୧ ଟି ମାମଲା ରୁଜୁ କରିବା, ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନୁରୂପ ଭାବେ ପ୍ରାୟ ଦେଢ଼ କୋଟିର ସେଣ୍ଟ୍ରାଲ ପାର୍କ ଦୁର୍ନୀତି ସହ ଅନେକ ବିଭାଗରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିର ଗନ୍ଧ ବାହାରୁଛି। ଭିଜିଲାନ୍ସ ବିଭାଗ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସଫଳ ହୋଇ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/6847362b-d64a-4c50-880a-c389affb5a42.jpg)