ଭୁବନେଶ୍ବର: କିଛି ଦିନର ନିରବତା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ‌ବାଲେଶ୍ବର ଜିଲ୍ଲା ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା। କୃଷି ଯନ୍ତ୍ରାଂଶ ବିକ୍ରି ନେଇ ବିବାଦରେ ଥିବା ବିଧାୟକ ଶ୍ରୀ ପରିଡ଼ାଙ୍କ ଅଡ଼ୁଆ ବଢ଼ିଛି। ବହୁ ଚର୍ଚ୍ଚିତ ନିଗମାନନ୍ଦ ଆସୋସିଏଟ୍ କୃଷି ଯନ୍ତ୍ରାଂଶ ବିକ୍ରିରେ ବ୍ୟାପକ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ ତଦନ୍ତ ରିପୋର୍ଟ ଆସି ସାରିଛି। ଖୁବ୍‌ଶୀଘ୍ର ଭିଜିଲାନ୍ସ ଏହି ରିପୋର୍ଟକୁ ମାମଲାରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପଠାଇବ। ଏଥିପାଇଁ ଆଜି ଲୋକାୟୁକ୍ତ ବିଧାୟକ ଶ୍ରୀ ପରିଡ଼ା, ତାଙ୍କ ଭାଇ ସୁବଳ କୁମାର ପରିଡ଼ାଙ୍କ ସମତେ ୧୮ଜଣଙ୍କୁ ନୋଟିସ୍‌ ଜାରି କରିଛନ୍ତି। ସହଯୋଗୀ ପ୍ରସନ୍ନ ଜେନା, ସନ୍ନ୍ୟାସୀ ଚରଣ ବାଗ, ଶାନ୍ତନୁ ବେହେରା, ଆଫ୍ରୋଜ୍‌ ଖାନ୍‌, ଚିତ୍ତରଂଜନ ସିଂହ, ପ୍ରଫୁଲ୍ଲ ନାଏକ, ତୁହିନ କର, ଲକ୍ଷ୍ମଣ ବାରିକ, ସୁଧାକର ମହାଳିକ, ଡି. ଖଟୁଆ, ପଦ୍ମିନୀ ବାରିକ, ସୁଶାନ୍ତ ବେହେରା, ଉତ୍ତମ ବାରିକ, ବିଜୟ ସାହୁ, ବଂଶୀଧର ବେହେରା ଏବଂ ପ‌ରମେଶ୍ବର ପାତ୍ରଙ୍କୁ ନୋଟିସ କରାଯାଇଛି। ଆସନ୍ତା ଜୁନ୍‌ ୯ ତାରିଖ ମଧ୍ୟରେ ଲୋକାୟୁକ୍ତଙ୍କ କୋର୍ଟରେ ନିଜର ପକ୍ଷ ରଖିବାକୁ ନୋଟିସ୍‌ରେ ଦର୍ଶାଯାଇଛି।

Advertisment

ସୂଚନା ମୁତାବକ, ବିଧାୟକ ଶ୍ରୀ ପରିଡ଼ାଙ୍କ ମାଲିକାନାରେ ଥିବା ନିଗମାନନ୍ଦ ଆସୋସିଏଟ୍ କୃଷି ଯନ୍ତ୍ରାଂଶ ବିକ୍ରିରେ ବ୍ୟାପକ ଦୁର୍ନୀତି କରିଥିଲା। ବହୁ ଗରିବ ଓ ଅନୁସୂଚିତ ଜାତି ହିତାଧିକାରୀଙ୍କ ନାଁରେ ଚଞ୍ଚକତା କରି କୋଟି କୋଟି ଟଙ୍କାର ସରକାରୀ ସବ୍‌ସିଡି ଅର୍ଥକୁ ହରିଲୁଟ୍‌ କରାଯାଇଥିଲା। ଯାହାକୁ ନେଇ ୨୦୨୧ ମାର୍ଚ୍ଚରେ ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ତାଙ୍କ ବିରୋଧରେ ବାଲେଶ୍ବର ଭିଜିଲାନ୍ସ ଡିଭିଜନ୍‌ରେ ଅଭିଯୋଗ ହୋଇଥିଲା। ଘଟଣା ପଦାକୁ ଆସିବ‌ା ପରେ ତନ୍ମୟ ମହାନ୍ତି ନାମକ ଜଣେ ବ୍ୟକ୍ତି ଏନେଇ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଲୋକାୟୁକ୍ତ ଘଟଣାକୁ ଗୁରୁତ୍ବର ସହ ନେଇଥିଲେ। ୨୦୨୨ ମସିହା ମେ’ ମାସରେ ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେବା ସହ ୨ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଭିଜିଲାନ୍ସ ପକ୍ଷରୁ ଲୋକାୟୁକ୍ତଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା। ତଦନ୍ତ ରିପୋର୍ଟର ଯାଞ୍ଚ ପରେ ଆଜି ଲୋକାୟୁକ୍ତଙ୍କ ପକ୍ଷରୁ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନୋଟିସ କରାଯାଇଛି।