ବଡ଼ଧରଣର ଡକାୟତି: ଝିଅ ବାହାଘର ପାଇଁ ଘରେ ଥିବା ନଗଦ ସାଢ଼େ ୩ ଲକ୍ଷ, ୨ ତୋଳା ସୁନା ଓ ୨ କିଲୋ ରୁପା ଚୋରି 

ରାୟଗଡ଼ା: ଝିଅ ବାହାଘର ପାଇଁ ଘରେ ଥିବା ନଗଦ ଟଙ୍କା, ସୁନା ଓ ରୂପାକୁ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ରାୟଗଡ଼ା ସହରର ସାଇପ୍ରିୟା ନଗରରେ ଘଟିଛି ଏହି ଚୋରି। ଦୁର୍ବୃତ୍ତମାନେ ଘର ତାଲା ଭାଙ୍ଗି ନଗଦ ସାଢ଼େ ୩ ଲକ୍ଷ ଟଙ୍କା ସହ ୨ ତୋଳା ସୁନା, ୨ କେଜି ରୂପା ଓ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ରାୟଗଡ଼ା ପୁଲିସ୍ ଡଗ୍ ସ୍କ୍ବାର୍ଡ ସହ ପହଞ୍ଚି ଚୋରିର ତଦନ୍ତ ଆରମ୍ଭ କରିଛି।

ସାଇପ୍ରିୟା ନଗର ପଞ୍ଚମ ଲାଇନରେ ରହୁଛନ୍ତି ବାଳକୃଷ୍ଣ ଦାଶ ଓ ସ୍ମିତା ଦାଶ। ଆଗକୁ ଝିଅ ବାହାଘର ଥିବାରୁ ସୁନା, ରୂପା ଗହଣା ସହ ଘରେ ନଗଦ ଟଙ୍କା ରଖିଥିଲେ। ସୋମବାର ବାଳକୃଷ୍ଣ କୌଣସି କାମରେ ବାହାରକୁ ଯାଇଥିବା ବେଳେ ସ୍ମିତା ନିଜ ଭଉଣୀ ଘରକୁ ଯାଇଥିଲେ। ରାତିରେ ଉଭୟେ ଘରକୁ ଫେରିନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଘରର ଗ୍ରିଲ୍ ତାଡି ଭିତରେ  ପଶି ଦୁଇଟି ଆଲମିରା ଭାଙ୍ଗି ନଗଦ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ଦୁଇତୋଳା ସୁନା ଗହଣା ସହିତ ଦୁଇ କେଜିରୁ ଉର୍ଦ୍ଧ ରୁପା ଗହଣା ଚୋରି କରି ନେଇଥିଲେ।  ଆଜି ସକାଳେ ଘର ମାଲିକାଣି ସ୍ମିତା ଦାସ ଘରକୁ ଫେରିବା ପରେ ଚୋରି ହୋଇଥିବା ଜାଣି ରାୟଗଡ଼ା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ରାୟଗଡା ପୋଲିସ, ଡଗ୍ ସ୍କ୍ୱାର୍ଡ ଏବଂ ସାଇଣ୍ଟିଫିକ ଟିମ୍  ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସହରରେ ବାରମ୍ବାର ଚୋରି ଘଟଣା ଘଟୁଥିଲେ ମଧ୍ୟ ପୋଲିସ ଏହାକୁ ରୋକିବାରେ ବିଫଳ ହୋଇଛି। ରାତ୍ରି ପାଟ୍ରୋଲିଂ କଡାକଡି ସହ ସହରରେ ବୁଲୁଥିବା ସନ୍ଧିଗ୍ଧ ଲୋକଙ୍କ ଉପରେ ପୋଲିସ୍ ନଜର ରଖିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର