ମାଓ ଦମନ ପାଇଁ ପୁରସ୍କାର : ବଲାଙ୍ଗୀର ଓ କନ୍ଧମାଳ ପୁଲିସ୍‌କୁ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର : ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉଭୟ ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲା ପୁଲିସ୍‌କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ବର୍ତ୍ତମାନ ଦିଆଯାଉଥିବା ପୁରସ୍କାର ଅର୍ଥ ରାଶି ସହ ଅତିରିକ୍ତ ରାଶି ହିସାବରେ ଏହି ପୁରସ୍କାର ଦିଆଯିବ। ଏହା ସହ ଏହି ଅପରେସନ୍‌ରେ ଅଂଶଗ୍ରହଣ କରିଥିବା ପୁଲିସ୍‌ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯିବ।

ଆଜି ସଚିବାଳୟରେ ମାଓ ସମସ୍ୟା ସମ୍ପର୍କରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ମାଓ ଦମନ କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୁଲିସ୍‌କୁ ବିଶେଷ କରି କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲା ପୁଲିସ୍‌ ଓ ଏସ୍‌ଓଜି ବାହିନୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ ହେବା ପାଇଁ ମୁଖ୍ୟମନ୍ତ୍ରୀ ମାଓବାଦୀମାନଙ୍କୁ ଆହ୍ଵାନ ଦେଇଥିଲେ। ରାଜ୍ୟରେ ମାଓ ସମସ୍ୟା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।
ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ପୁଲିସ୍‌ ମହାନିର୍ଦ୍ଦେଶକ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୁଇନ୍ଦା ମହାନିର୍ଦ୍ଦେଶକ, ଗୁଇନ୍ଦା ଆଇଜି ଏବଂ ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାର ଏସ୍‌ପି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର