ବଲାଙ୍ଗୀର: ବଲାଙ୍ଗୀରରେ ଗତ ତିନି ଦିନ ଧରି ଚାଲିଥିବା ଆୟକର ବିଭାଗର ଚଢ଼ଉ ଆଜି ମଧ୍ୟ ଜାରି ରହିଛି। ବଳଦେବ ସାହୁ ଆଣ୍ଡ ଗ୍ରୁପ ଅଫ କମ୍ପାନି ଦ୍ବାରା ପରିଚାଳିତ ସୁଦପଡ଼ା ଭାଟି ଓ କ୍ଲବପଡ଼ା ଠାରେ ଥିବା ଭାଟିର ଅଫିସ୍ ଘରେ ଆୟକର ବିଭାଗ ଅଧିକାରୀ ଦିନରାତି ଚଢ଼ଉ ଜାରି ରଖିଛନ୍ତି। ଭାଟିରୁ ମିଳିଥିବା ବସ୍ତା ବସ୍ତା ଟଙ୍କାକୁ ଦୁଇ ଦିନ ହେଲା ଏସ୍ବିଆଇ ମୁଖ୍ୟ ଶାଖାରେ ରଖାଯାଇ ଗଣା ଯାଉଛି। ଏଠାରେ ଥିବା ମେସିନ ଅଚଳ ହେବାରୁ ଆଜି ୩ଟି ଟଙ୍କା ଗଣା ମେସିନ ଭୁବନେଶ୍ବରରୁ ଆସି ପହଞ୍ଚିଛି। ଆୟକର ବିଭାଗ କର୍ମଚାରୀ ଓ ବ୍ୟାଙ୍କ କର୍ମଚାରୀ ଏହି ଟଙ୍କା ଗଣା କାମରେ ଲାଗିଛନ୍ତି। ଟଙ୍କା ଗୁଡ଼ିକ ପୁରୁଣା ଓ ମଇଳା ହୋଇଥିବାରୁ ମେସିନରେ ଏହା ଗଣିବା ବେଳେ ଲଟକି ଯାଉଛି। ଫଳରେ ଗଣତିରେ ବିଳମ୍ବ ହେଉଥିବା ଜଣାଯାଇଛି। ଅପରପକ୍ଷେ ଏବେ ମଧ୍ୟ ଭାଟି ଭିତରେ ଆୟକର ବିଭାଗ ଅଧିକାରୀ ରହିଥିବା ଜଣାଯାଇଛି। ଟଙ୍କା ଜବତ କରିବା ପରେ ଭାଟି ଓ ଅଫିସରେ ଥିବା ବିଭିନ୍ନ କାଗଜପତ୍ର, ଦଲିଲ, ବିଲଭାଉଚର ଗୁଡ଼ିକ ଯାଞ୍ଚ କରାଯାଉଥିବା ବେଳେ ମଦ ପ୍ରସ୍ତୁତିରେ କେତେ ପରିମାଣରେ ମହୁଲପୋଚ କିଣାଯାଉଛି ଓ କେତେ ପରିମାଣ ପ୍ରସ୍ତୁତ ହେଉଛି ତାହା ଜାଣିବା ପାଇଁ ଆୟକର ବିଭାଗ ପକ୍ଷରୁ କିଛି ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଛି। ଏହି ଟଙ୍କା ମଦ ବିକ୍ରି ସୂତ୍ରରୁ ଆସୁଥିଲା ନା ଅନ୍ୟ କୌଣସି ସୂତ୍ରରୁ ଆସୁଥିଲା ତାହା ଆକଳନ କରିବା ପାଇଁ ଆୟକର ବିଭାଗ ଅଧିକାରୀ ଭାଟିର ସମସ୍ତ କାଗଜପତ୍ରକୁ ଟିକିନିଖି ଦେଖୁଥିବା ଜଣାଯାଇଛି। ଭାଟିରେ ଥିବା ବିଭିନ୍ନ କର୍ମଚାରୀଙ୍କୁ ପୃଥକ ପୃଥକ ଭାବରେ ପଚରାଉଚରା ମଧ୍ୟ କରାଯାଉଥିବା ଜଣାପଡ଼ିଛି। ଆସନ୍ତାକାଲି ସୁଦ୍ଧା ଟଙ୍କା ଗଣା ସଂପୂର୍ଣ୍ଣ ହୋଇଯିବ ବୋଲି ଜଣେ ବ୍ୟାଙ୍କ ଅଧିକାରୀ କହିଛନ୍ତି। ତେବେ ଆୟକର ବିଭାଗ ପକ୍ଷରୁ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଅଧିକ ଦିନ ଲାଗିବ ବୋଲି କହାଯାଉଛି।
ଆୟକର ବିଭାଗ ଦ୍ବାରା ବଲାଙ୍ଗୀର ସୁଦପଡ଼ାରେ ଥିବା ମଦଭାଟି ଓ କ୍ଲବପଡ଼ାରେ ଥିବା ମଦଭାଟିର ଅଫିସ୍ ଘରେ ଚଢ଼ଉ କରିବା ପରେ ଆଜି ସନ୍ଧ୍ୟାରେ ଭାଟିର ଅନ୍ୟତମ କର୍ମଚାରୀ ବଣ୍ଟି ସାହୁ ଘରେ ଆୟକର ବିଭାଗ ଚଢ଼ଉ କରିଛି। ସୁଦପଡ଼ା ମଦଭାଟି ନିକଟରେ ଏକ ଭଡ଼ାଘରେ ରହୁଥିବା ବଣ୍ଟି ଘରକୁ ୧୦ ଦିନ ପୂର୍ବରୁ ଦୁଇଟି ପିକଅପ୍ ଭ୍ୟାନ୍ ଗାଡ଼ିରେ ୨୫ରୁ ୩୦ ଗୋଟି ବଡ଼ ବ୍ୟାଗ ଓ ପେଟି ଆସିଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଆୟକର ବିଭାଗ ଅଧିକାରୀ ଘର ଭିତରେ ପଶିଥିବା ଜଣାଯାଇଛି। ତେବେ ଏଠାରେ ଥିବା ଟଙ୍କାର ପରିମାଣ କେତେ ହେବ ତାହା ଗଣାଯିବା ପରେ ସ୍ପଷ୍ଟ ହେବ ବୋଲି କହାଯାଉଛି। ଆୟକର ବିଭାଗ ଅଧିକାରୀମାନେ ଏହି ଟଙ୍କାକୁ ଆଜି ରାତିରେ ବ୍ୟାଙ୍କକୁ ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଘର ଆଗରେ ସିଆଇଏସ୍ଏଫ୍ ଓ ପୁଲିସ ବାହିନୀ ମୁତୟନ କରାଯାଇଥିବା ବେଳେ କାହାକୁ ସେଠାକୁ ଛାଡ଼ୁନାହାନ୍ତି। ଏଠାରେ ମଧ୍ୟ ଶହେ କୋଟିରୁ ଅଧିକ ଟଙ୍କା ଥିବା ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/income-tax-raid-boudh-distilleries-20231207055317.webp)