ଭୁବନେଶ୍ବର : ମଧୁବାବୁ ପେନସନ୍ ଯୋଜନାରେ ଦିଆଯାଉଥିବା ଭତ୍ତା ଟଙ୍କା ଜୁନ୍ ମାସରୁ ଆଉ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବନି। ହିତାଧିକାରୀମାନେ ପୂର୍ବଭଳି ଭତ୍ତା ଆଣିବାକୁ ମାସର ୧୫ ତାରିଖରେ ଭତ୍ତା ବଣ୍ଟନ କେନ୍ଦ୍ରକୁ ଯିବେ। ସେଠାରେ ସେମାନଙ୍କୁ ନଗଦ ଅର୍ଥ ଦିଆଯିବ। ଯେଉଁମାନେ ବୟସାଧିକ ଓ ଭିନ୍ନକ୍ଷମ ଥିବେ ସେମାନଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇ ଦିଆଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ବିଭାଗୀୟ ସଚିବ ଭାସ୍କର ଶର୍ମା ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି।
ବିଭାଗ ପକ୍ଷରୁ କୁହାଯାଇଛି ଯେ ମେ’ ମାସରେ ମଧୁବାବୁ ପେନସନ୍ ଯୋଜନାରେ ଡିବିଟି ମୋଡରେ ଅଧା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଟଙ୍କା ପ୍ରଦାନ କରାଯାଇଛି। ହେଲେ କେତେକ ବୟସାଧିକ ଲୋକ ଓ ଭିନ୍ନକ୍ଷମ ହିତାଧିକାର ଟଙ୍କା ଉଠାଇବା ଏବଂ ସଂଗ୍ରହ କରିବାରେ ସମସ୍ୟା ଦେଖାଦେଇଛି। ଏପରିକି ପୋର୍ଟାଲରେ ବୈଷୟିକ ତ୍ରୁଟି ଯୋଗୁ ଠିକ୍ ସମୟରେ ଭତ୍ତା ବଣ୍ଟନ କରାଯାଇପାରିନି। ଏହାକୁ ନଜରରେ ରଖି ଜୁନ୍ ମାସରୁ ଭତ୍ତା ଟଙ୍କା ଆଉ ବ୍ୟାଙ୍କ ଆକଉଣ୍ଟରେ ଜମା ହେବନି। ଭତ୍ତା ବଣ୍ଟନ କାର୍ଯ୍ୟରେ ପଞ୍ଚାୟତି କାର୍ଯ୍ୟାଳୟର କର୍ମଚାରୀଙ୍କୁ ସାମିଲ୍ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଭତ୍ତା ଟଙ୍କା ଦେବା ପାଇଁ କେତେକ ସ୍ଥାନରେ ଲୋକ କମିସନ ନେଉଥିବା ଏବଂ ଲୋକ ଭତ୍ତା ଟଙ୍କା ଆଣିବାକୁ ଯିବାବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଭତ୍ତା ଟଙ୍କା ବଣ୍ଟନ ପ୍ରକ୍ରିୟାକୁ ସ୍ବଚ୍ଛ କରିବାକୁ ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ନିଷ୍ପତ୍ତି ହୋଇଥିଲା। ଏବେବି ସେହି ସମସ୍ୟା ହୋଇପାରେ। ତେଣୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା ବିକଳ୍ପକୁ ରାଜ୍ୟ ସରକାର ବିଚାର କରିବା ଦରକାର ବୋଲି କୁହାଯାଉଛି।