କାଜୁ ନିଗମ ଦୁର୍ନୀତି: ସ୍କୁଟର୍‌ରେ ଖତ, କାର୍‌ରେ ଚାରା ପରିବହନ

ଯାଜପୁର : ରାଜ୍ୟ କାଜୁ ନିଗମର ଯାଜପୁର ଡିଭିଜନରେ ଦୁର୍ନୀତିର ଚେର ମାଡ଼ିଯାଇଛି। ଏଠାରେ କାଜୁ ନର୍ସରି ବାବଦରେ ବ୍ୟାପକ ଦୁର୍ନୀତି ହୋଇଛି। ସ୍କୁଟରରେ ଖତ ଏବଂ ଛଣ ପରିବହନ ହୋଇଥିବା ବେଳେ କାର୍‌ରେ ଚାରା ପରିବହନ ହୋଇଛି। ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିବା ପରେ ଏଠାରେ ଦୁର୍ନୀତି କେଉଁସ୍ତରରେ ପହଞ୍ଚିଛି ସହଜରେ ଅନୁମେୟ।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ସୋଲର ନର୍ସରିରେ ୨୦୨୦ ମସିହାରେ କଲମି କାଜୁ ଚାରା ଉତ୍ପାଦନ ନିମନ୍ତେ ଯୋଜନା ହୋଇଥିଲା। କାଜୁ ମଞ୍ଜିରୁ ଚାରା ସୃଷ୍ଟି କରିବାକୁ ଛଣ ଘୋଡ଼ାଇବା ନିମନ୍ତେ ୭ହଜାର ୩୧୪ ବିଡ଼ା ଛଣ ବିଦ୍ୟାଧରପୁର ଗ୍ରାମର ରମେଶ ବେହେରା ଯୋଗାଇଛନ୍ତି। ଏହି ଛଣ ଟ୍ରାକ୍ଟର ନମ୍ବର ଓଆର୦୪ବି- ୪୮୩୪ରେ ଯୋଗାଇ ଦିଆଯାଇଥିବା ଭାଉଚର ନମ୍ବର ୫୧ରେ ଦର୍ଶାଯାଇଛି। ସେହିପରି ରମେଶ ବେହେରା ସମାନ ଟ୍ରାକ୍ଟରେ ଏହି ନର୍ସରି ପାଇଁ ଭାଉଚର ନମ୍ବର ୬୧ରେ ୧୧୯୬ ବିଡ଼ା ଛଣ ଏହି ନର୍ସରିକୁ ଯୋଗାଇଛନ୍ତି। ତେବେ ବିଭାଗ ପକ୍ଷରୁ ଭାଉଚରରେ ଦର୍ଶାଯାଇଥିବା ଟ୍ରାକ୍ଟର ନମ୍ବରଟି ଏଲଏମ୍ଏଲ ଭେସ୍ପା ସ୍କୁଟର ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି। ସ୍କୁଟରରେ କିପରି ୮ହଜାର ୫୧୦ ବିଡ଼ା ଛଣ ବୁହାଗଲା ତାହା ଆଶ୍ଚର୍ଯ୍ୟର ବିଷୟ। ସେହିପରି ଚାରା ପରିବହନରେ ମଧ୍ୟ ଜାଲିଆତି କରାଯାଇଛି। ରାଇଝର ନର୍ସରିରୁ କଲମି କାଜୁ ଚାରା ବିଭିନ୍ନ କାଜୁ ବଗିଚାକୁ ପଠାଯାଇଛି। ଗାଡ଼ି ନମ୍ବର ଓଡି୦୨ଏଏକ୍ସ୍- ୯୦୯୭ ରେ ୫ହଜାର ୬୯୦ ଚାରା ଯୋଗାଣ ହୋଇଥିବା ଭାଉଚର ନମ୍ବର ୭୦ରେ ଦର୍ଶାଯାଇଛି। ହେଲେ ଚାରା ପରିବହନ ହୋଇଥିବା ଗାଡ଼ିଟି ଏକ ଆମେଜ କାର୍‌। କାର୍‌ରେ ଏତେ ସଂଖ୍ୟକ ଚାରା ବୁହା ହେଲା କିପରି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି।

MakeInIndiaTrade

ସେହିଭଳି, ଖତ ପରିବହନ ନେଇ ମଧ୍ୟ ଆଉ ଏକ ରୋଚକ ତଥ୍ୟ ମିଳିଛି। ୨୦୨୧ ମସିହା ପାଇଁ ସୋଲର ନର୍ସରିରେ କାଜୁ ଚାରା ପାଇଁ ନର୍ସରି ସୁପରଭାଇଜରଙ୍କ ଦ୍ବାରା ୯୦ଟନ ଗୋରୁ ଗୋବର ଖତ କିଣାଯାଇଛି। ଯାହାକୁ ଛତିଆ ଗ୍ରାମର ସୁରେଶ ବେହେରା ସଂଗ୍ରହ କରି ଟ୍ରାକ୍ଟର ଓଆର୦୪ବି- ୪୮୩୪ ଦ୍ବାରା ଯୋଗାଇଛନ୍ତି ବୋଲି ବିଲ୍ ହୋଇଛି। ଏ ନେଇ ଭାଉଚର ନମ୍ବର ୨୫ରେ ୧ ଲକ୍ଷ ୩୫ ହଜାର ଟଙ୍କା ସୁରେଶ ବେହେରାଙ୍କୁ ପ୍ରଦାନ କରାଯାଇଛି। ମାତ୍ର ଖତ ଯୋଗାଇଥିବା ଏହି ଟ୍ରାକ୍ଟରଟି କିନ୍ତୁ ଏଲଏମ୍ଏଲ ଭେସ୍ପା ସ୍କୁଟର୍‌ ବୋଲି ଜଣାପଡିଛି। ପୂର୍ବରୁ ମଧ୍ୟ ଏହି ସ୍କୁଟରକୁ ଟ୍ରାକ୍ଟର ଦର୍ଶାଯାଇ ସୁରେଶ ବେହେରା ସୋଲର ନର୍ସରିକୁ ଭାଉଚର ନମ୍ବର ୧୦୯ରେ ୨୨.୫ ଟନ୍‌ ଗୋରୁ ଗୋବର ଖତ ଯୋଗାଇଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ବିଭାଗୀୟ କର୍ମଚାରୀମାନେ କେବଳ ମିଥ୍ୟା ବିଲ୍ ପ୍ରସ୍ତୁତ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଛନ୍ତି।

ସମ୍ବନ୍ଧିତ ଖବର