ଯାଜପୁର : କାଜୁ ନିଗମର ଯାଜପୁର ଡିଭିଜନରେ ବ୍ୟାପକ ଦୁର୍ନୀତି ପଦାରେ ପଡ଼ିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ। ଦୁର୍ନୀତିରେ ସଂପୃକ୍ତ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ ସହ ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ କହିଛନ୍ତି। କାଜୁ ବଗିଚା ନିଲାମ୍ କେଳେଙ୍କାରୀ ସହ କାଜୁ ନର୍ସରି ଦୁର୍ନୀତି ନେଇ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶନ ପାଇବା ପରେ ଅଧ୍ୟକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଦିନ ‘ସମ୍ବାଦ’ରେ ‘ସ୍କୁଟରରେ ଖତ, କାର୍ରେ ଚାରା ପରିବହନ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା । ଏହାକୁ ନେଇ କାଜୁ ନିଗମର ଅଧ୍ୟକ୍ଷ ଶ୍ରୀ ଦାସ ଉଦ୍ବେଗ ପ୍ରକାଶ କରି ନୋଟ୍ସିଟ୍ ନମ୍ବର -୪୨ ତା ୧୮/୧୧/୨୧ରେ ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି କରିଛନ୍ତି। ଏଥିରେ ଦର୍ଶାଇଛନ୍ତି ଯେ ଗତ ଅକ୍ଟୋବର ୧ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଯାଜପୁର କାଜୁ ନିଗମ ଡିଭିଜନ କେଳେଙ୍କାରୀ ଉପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ମିଳିନାହିଁ। ସେହିପରି ଆଜି ‘ସମ୍ବାଦ’ରେ ଆଉ ଏକ ଦୁର୍ନୀତି ଖବର ପ୍ରକାଶ ପାଇଛି। ଲଗାତାର ଏଭଳି ଦୁର୍ନୀତି ପ୍ରକାଶ ପାଇବା ଦ୍ବାରା ନିଗମର ଭାବମୂର୍ତ୍ତି ଖରାପ ହେବାରେ ଲାଗିଛି। ଏହି ଦୁର୍ନୀତିରେ ସମ୍ପୃକ୍ତ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ କରି ୭ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି ଯେ ଅକ୍ଟୋବର ୧ତାରିଖରେ ପ୍ରକାଶିତ ୫ବର୍ଷରେ କାଜୁ ବଗିଚା ବାବଦରେ ୧କୋଟି ୪୩ଲକ୍ଷ ଟଙ୍କା ଫାଙ୍କି ଉପରେ ସେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍କୁଟରରେ ଟନ ଟନ ଖତ ଓ ହଜାର ହଜାର ବିଡ଼ା ଛଣ(ପାଳ) ପରିବହନ ସାଙ୍ଗକୁ କାଜୁ ଚାରା କାର୍ରେ ପରିବହନ ନେଇ କାର୍ଯ୍ୟାନୁଷ୍ଠାନ ଏବଂ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଏମ୍ଡିଙ୍କୁ ଚିଠି ଲେଖିଥିବା ଶ୍ରୀ ଦାସ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଆରଟିଆଇ ତଥ୍ୟରୁ କାଜୁ ନର୍ସରି ଓ ବଗିଚା ବାବଦରେ କେବଳ କାଗଜପତ୍ରରେ ମିଥ୍ୟା ଭାଉଚର କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଜଣାପଡ଼ିଥିଲା। ସେହିପରି ବ୍ୟାପକ କାଜୁ ବିକ୍ରି ହେଉଥିବା ବେଳେ ଲିଜଧାରୀମାନେ ନିଲାମ ବାବଦ ଅର୍ଥ ପଇଠ ନକରି ଅସାଧୁ କମର୍ଚାରୀମାନଙ୍କୁ ହାତ କରି ବର୍ଷ ବର୍ଷ ଧରି ଫାଙ୍କି ଚାଲିଛନ୍ତି। ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ନିଗମର ଏମ୍ଡି ବିଧିବଦ୍ଧ ତଦନ୍ତ କଲେ ବହୁ ଦୁର୍ନୀତି ଗୁମର ଖୋଲିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/kaju.jpg)