କାଜୁ ଜଙ୍ଗଲ ବିବାଦରୁ ବଳିପଡ଼ିଲା ମୂଲ୍ୟବାନ ଗଛ

ଘଟଣା ପଛରେ ଗୁଜୁରାଟ ବେପାରୀ, ଆଦିବାସୀଙ୍କ ତୀବ୍ର ବିରୋଧ

ଜଗନ୍ନାଥପ୍ରସାଦ : କାଜୁ ଜଙ୍ଗଲ ମାଲିକାନା ବିବାଦରୁ ବଳିପଡ଼ିଲା ଶତାଧିକ ମୂଲ୍ୟବାନ ଗଛ। ଏହାକୁ କେନ୍ଦ୍ରକରି ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏପରିକି, ସମ୍ପୃକ୍ତ ଅଞ୍ଚଳର ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜଗିରହିବା ସହିତ ଜଙ୍ଗଲ ମଧ୍ୟକୁ କାହାକୁ ଛାଡ଼ୁନାହାନ୍ତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଓ ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରେ ଏହିଭଳି ଘଟଣା ଘଟିଛି।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଓ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଇଲାକାକୁ ଲାଗିରହିଥିବା କାଜୁ ଜଙ୍ଗଲର ମାଲିକାନାକୁ ନେଇ ବିବାଦ ଲାଗି ରହିଛି। ଏହା ଆଜିକାର ଘଟଣା ନୁହେଁ, ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଜଙ୍ଗଲ ଭିତରେ ଗୁଜରାଟର ଜଣେ ବେପାରୀ କହ୍ନେୟାଲାଲ୍ ହିପାନି ଦଲାଲ୍‌ଙ୍କ ଜରିଆରେ ବହୁ ଏକର ଜମି ଖରିଦ କରି ଏହାକୁ ଅକ୍ତିଆରରେ ରଖିଛନ୍ତି। ସେ ଅକ୍ତିଆର କରି ରଖିଥିବା ୪୦ ଏକର ଜମି ମଧ୍ୟରୁ ୨୦ ଏକର ରାଜସ୍ବ ବିଭାଗର ଏବଂ ଅବଶିଷ୍ଟ ୨୦ ଏକର ବେସରକାରୀ ବୋଲି ଜଣାପଡ଼ିଛି। ତେବେ, ଏହି ଗୁଜୁରାଟ ବେପାରୀ ଜଙ୍ଗଲ ଓ ରାଜସ୍ୱ ବିଭାଗର ବିନା ଅନୁମତିରେ ମାଡ଼ୁଆତୈଲା, ତାଳତୈଲା, କଣ୍ଟାବଣି, ମାଟିଗାଡ଼ିଆ, କୁଣିଆବାଞ୍ଜର୍ ଓ ଡିମିରିପଲ୍ଲୀ ଅଞ୍ଚଳରେ ଥିବା ଏଭଳି ମୂଲ୍ୟବାନ୍ ଗଛକୁ କାଟି ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଏହିସବୁ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡ଼ିକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଜଗି ରହିବା ସହ ଜଙ୍ଗଲ ଭିତରକୁ କାହାକୁ ଛାଡ଼ୁନାହାନ୍ତି। ଫଳରେ, ଚାପା ଉତ୍ତେଜନା ଲାଗି ରହିଛି।

ମିଳିଥିବା ସୂଚନା ଅନୁସାରେ, ଆଗରୁ ବିଭିନ୍ନ ସମୟରେ ଏହିଭଳି ବିବାଦ ଉଗ୍ରରୂପ ଧାରଣ କରିଛି। ଏବଂ, ଏହା ମଧ୍ୟ ସଂଘର୍ଷର ରୂପ ନେଇଛି। ଏପରିକି, ମାମଲାରେ ଉଭୟ ପକ୍ଷ ଛନ୍ଦି ହୋଇଛନ୍ତି। ପୁଲିସ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପକ୍ଷରୁ ବହୁ ଉଦ୍ୟମ ସତ୍ତ୍ବେ ଏହି ବିବାଦର ସମାଧାନ ହୋଇପାରୁନି। କିଛି ଅଣଆଦିବାସୀ ତାଙ୍କ ନାମରେ ପଟ୍ଟା ରହିଥିବା ଦେଖାଇ ଆସୁଥିବାବେଳେ ଆଦିବାସୀମାନେ ଏହାକୁ ଛାଡ଼ୁନାହାନ୍ତି।

ପୁଣିଥ‌ରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳର ଆଦିବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣାରେ ସଂପୃକ୍ତ ଦୁଇଜଣ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ତୁରନ୍ତ ଗିରଫ କରିବା ପାଇଁ ଭାରତ କ୍ରାନ୍ତିକାରୀ କୃଷକ ସଭା ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଆଦିବାସୀ ଭାରତ ମହାସଭା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କୁଇ ସମାଜ କେନ୍ଦ୍ର ସଭାପତି ତ୍ରିନାଥ ମଲ୍ଲିକ ଓ ଆଦିବାସୀ ଭାରତ ମହାସଭା ରାଜ୍ୟ ସଂଯୋଜକ ଟୁନା ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି। ଅନ୍ୟପକ୍ଷରେ ରାଜସ୍ୱ ବିଭାଗ ଓ ବନ ବିଭାଗ ପକ୍ଷରୁ ଦୁଇଦିନ ହେଲା ମିଳିତ ତଦନ୍ତ ଜାରି ରହିଛି।

ଉତ୍ତର ଘୁମୁସର ବନଖଣ୍ଡ ଡିଏଫ୍‌ଓ ଅଭୟ ଦଳାଇ କହିଛନ୍ତି, ଏହି ମୂଲ୍ୟବାନ ଗଛ ଗୁଡ଼ିକ ଗୁଜରାଟର ସଂପୃକ୍ତ ବ୍ୟକ୍ତିଙ୍କ ଜମିରେ ଥିବାରୁ ଏହାକୁ ଜବତ କରାଯାଇ ପାରିବନି। କିନ୍ତୁ ବିନା ନିର୍ଦ୍ଦେଶରେ ଗଛ କଟା ଯାଇଥିବାରୁ ଏହାକୁ ଜବତ କରିବା ଦିଗରେ ପଦକ୍ଷେପ ନିଆଯିବ। ଜଗନ୍ନାଥପ୍ରସାଦ ତହସିଲଦାର ମନୋଜ କୁମାର ତ୍ରିପାଠୀ କହିଛନ୍ତି, ଚିହ୍ନଟ ପରେ ଚାଳିଶି ଏକର ଜମିରୁ ୨୦ ଏକର ଜମି ରାଜସ୍ବ ବିଭାଗର ଓ ଆଉ ୨୦ ଏକର ଜମି ବେସରକାରୀ ବୋଲି ଜଣାପଡ଼ିଛି। ତେବେ ଆମ ଜମି ଉପରେ ଥିବା ଅଳ୍ପ କିଛି ଗଛ କଟା ଯାଇଥିଲା। ଆର୍‌ଆଇ ତଦନ୍ତ ରିପୋର୍ଟ ଦେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର