ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକାରେ କାଜୁ ଜଙ୍ଗଲ କେଳେଙ୍କାରୀ

ଯାଜପୁର/ରଗଡ଼ି/ଟମକା : ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସୁଛି। ଚାଷ ଓ ଚାଷୀଙ୍କ ବିକାଶ ପାଇଁ ହୋଇଥିବା ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ୍ କରି ସରକାରୀ ଅନୁଦାନ ହଡ଼ପ କରାଯାଇଛି। ଏପରିକି ମନରେଗା ଅନୁଦାନରେ କାଜୁଜଙ୍ଗଲ ସୃଷ୍ଟି ନାମରେ ଯାଜପୁର ଜିଲ୍ଲାର କୋରେଇ ଓ ଦାନଗଦୀ ବ୍ଲକ୍‌ରେ ବ୍ୟାପକ ହରିଲୁଟ୍ କାରବାର ପଦାକୁ ଆସିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ୨୦୨୧-୨୨ରେ କୋରେଇ ବ୍ଲକ୍‌ର ୪ଟି ସ୍ଥାନରେ ୨୫ହେକ୍ଟର ଓ ଦାନଗଦୀ ବ୍ଲକ୍‌ର ୩ଟି ସ୍ଥାନରେ ୨୪ହେକ୍ଟର ମୋଟ ୪୯ହେକ୍ଟର ଜମିରେ କାଜୁ ଗଛ ଲଗାଯାଇଥିଲା। ଏହି ୭ଟି ସ୍ଥାନରେ ୬୨ଲକ୍ଷ ୪୦ହଜାର ଟଙ୍କାରୁ ଅଧିକ ବ୍ୟୟ ହୋଇଛି। ନାମକୁ ମାତ୍ର ଗଛ ଲଗାଯାଇଥିବା ବେଳେ ଅନେକ ସ୍ଥାନରେ ଗଛ ନାହିଁ। କୋରେଇ ବ୍ଲକ୍‌ର ପଛିକୋଟ ପଞ୍ଚାୟତର କଡମା ଅଞ୍ଚଳରେ ୩ଟି ସ୍ଥାନରେ ୧୩ ହେକ୍ଟର ଜମିରେ କାଜୁଗଛ ଲଗାଇଯାଇଥିବାର ଦର୍ଶାଯାଇଛି। ସେହିପରି ପାଟରଙ୍ଗା ପଞ୍ଚାୟତରେ ୧୨ହେକ୍ଟର କାଜୁଗଛ ଲଗାଯାଇଛି। ଏହି ୪ଟି ସ୍ଥାନରେ ମୋଟ ୨୫ହେକ୍ଟର ଅର୍ଥାତ ୬୨.୫ ଏକର ଜମିରେ କାଜୁଗଛ ଲଗାଯାଇଥିବା ଦର୍ଶାଯାଇଥିବା ବେଳେ ଖୁବ୍‌କମ୍ ଜମିରେ ଗଛ ଅଛି। ଏହି ବାବଦରେ ମୋଟ ୩୪ଲକ୍ଷ ୨୫ହଜାର ୭୬୪ ଟଙ୍କା ବ୍ୟୟ କରାଯାଇଛି।

ସେହିପରି ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ସୋବରାର ୨ଟି ସ୍ଥାନ ଓ ଜନିନ୍ଦାପାଳ ଏଭଳି ୩ଟି ସ୍ଥାନରେ ୨୪ହେକ୍ଟର ଜମିରେ କାଜୁଗଛ ଲଗାଯାଇଛି। ଏହା କେତେ‌କ‌ ଲୋକଙ୍କ ବ୍ୟକ୍ତିଗତ ଜମିରେ ଲାଗିଛି। ଏଠାରେ ୨୮ଲକ୍ଷ ୧୪ହଜାର ୩୫୪ଟଙ୍କା ବ୍ୟୟ କରାଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। କଡ଼ମାର ଗୋଟିଏ ସ୍ଥାନରେ ୪ହେକ୍ଟର ଜମିରେ କାଜୁଗଛ ଲଗାଯାଇଥିବା ଦର୍ଶାଯାଇଥିବା ବେଳେ ଜମିର ପରିମାଣ ମାତ୍ର ଅଢେଇ ଏକର ମଧ୍ୟରେ ହେବ। ଏହି ଯୋଜନାରେ ବାଡ଼ବନ୍ଦି ବାବଦରେ ମଧ୍ୟ ବ୍ୟାପକ ଅର୍ଥ ହରିଲୁଟ ହୋଇଛି। ବାଡ଼ରେ ଅମରୀ ଡାଳ ପୋତାଯାଇଛି। ଯେଉଁଥିରେ କି ବାଉଁଶ କଣି ବ୍ୟବହାର ବ୍ୟବସ୍ଥା ରହିଛି। ସେହିପରି ମନରେଗାରେ ଏହି କାର୍ଯ୍ୟକ୍ରମ ହୋଇଥିବାରୁ ଜବକାର୍ଡ଼ଧାରୀଙ୍କ ମଜୁରି ଓ ସାମଗ୍ରୀ କିଣାରେ ମଧ୍ୟ ବ୍ୟାପକ ଅନିୟମିତା ଅଭିଯୋଗ ହେଉଛି। ଏହି ୭ଟି କାଜୁ ବନୀକରଣର ମଜୁରୀ ବାବଦରେ ୩୪ଲକ୍ଷ ୫୯ହଜାର ୭୮୦ଟଙ୍କା ବ୍ୟୟ କରାଯାଇଥିବା ବେଳେ ସାମଗ୍ରୀ ବାବଦରେ ୨୭ଲକ୍ଷ ୮୦ହଜାର ୩୩୮ଟଙ୍କା ବ୍ୟୟ ଦର୍ଶାଯାଇଛି। କାଗଜପତ୍ରରେ ତଥ୍ୟ ଓ ପ୍ରକଳ୍ପରେ ଲାଗିଥିବା ଫଳକରେ ତାଳମେଳ ନାହିଁ। ଏପରିକି ବାରମ୍ବାର ତଥ୍ୟ ବଦଳିବାରେ ଲାଗିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର