ସବ୍‌-ରେଜିଷ୍ଟ୍ରାର ଅଫିସ୍‌ରେ କାରବାର ହେବ ନଗଦ ଟଙ୍କା

କ୍ୟାସ୍‌ଲେସ୍‌ ବ୍ୟବସ୍ଥା ବିରୋଧରେ ଦାଏର ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ସରକାରୀ ରେଜିଷ୍ଟ୍ରେସନ୍‌ ଫି, ଦଲିଲ ଦସ୍ତାବିଜ ନକଲ ଫି, ବିବାହ ପଞ୍ଜୀକରଣ ଫି ଓ ଅନ୍ୟାନ୍ୟ ସରକାରୀ ଦେୟ ପଇଠ ପାଇଁ ରାଜ୍ୟର ସମସ୍ତ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କ୍ୟାସ୍‌ଲେସ୍‌ ବ୍ୟବସ୍ଥା ସହିିତ ପୂର୍ବଭଳି ନଗଦ ଅର୍ଥ ପଇଠ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯିବ। ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସରକାରୀ ଦେୟ ପଇଠ ପାଇଁ କ୍ୟାସ୍‌ଲେସ୍‌ ବ୍ୟବସ୍ଥା ଲାଗୁ କରି ନଗଦ ଅର୍ଥ ପଇଠ ବ୍ୟବସ୍ଥା ଉଚ୍ଛେଦ ପାଇଁ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ବିରୋଧ କରି ରୁଜୁ ମାମଲର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସନାତନ ବିଶ୍ୱାଳଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି ହୋଇଥିଲା। ରେଜିଷ୍ଟ୍ରେସନ୍‌ ନିୟମ ୧୫୯ ଅନୁସାରେ ପୂର୍ବ ଭଳି ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ନଗଦ ଅର୍ଥ ଜରିଆରେ ସରକାରୀ ଦେୟ ପଇଠ କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାରେ ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା, ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ଓ ଆଇନଜୀବୀ ଗୌରୀମୋହନ ରଥ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ନଗଦ ବ୍ୟବସ୍ଥା ଉଚ୍ଛେଦ ପାଇଁ ରାଜ୍ୟ ସରକାର ଗତ ଅଗଷ୍ଟ ମାସରେ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏ ନେଇ ଅଗଷ୍ଟ ୨୨ରେ ଆଇଜିଆର୍‌ଙ୍କ ପକ୍ଷରୁ ରାଜ୍ୟର ସମସ୍ତ ୧୮୫ଟି ସବ୍‌ ରେଜଷ୍ଟ୍ରାର କାର୍ଯ୍ୟାଳୟକୁ ଚିଠି କରାଯାଇଥିଲା। ସେପ୍ଟେମ୍ବର ୧ରୁ କ୍ୟାସ୍‌ଲେସ୍‌ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରି ବ୍ୟବସ୍ଥା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା। ଅଭିଯୋଗ ହୋଇଥିଲା ଯେ ଏହା ସମୟ ସାପେକ୍ଷ ଓ ଏହାଦ୍ୱାରା ସାଧାରଣ ଲୋକେ ହଇରାଣ ହରକତ ହେଉଛନ୍ତି। ବ୍ୟାଙ୍କ ବନ୍ଦ ଥିଲେ ପି ଲିଙ୍କ୍‌ ଫେଲ୍‌ ଥିଲେ ପଞ୍ଜୀକରଣ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି। କ୍ୟାସ୍‌ ଲେସ୍‌ ବ୍ୟବସ୍ଥା ଲାଗୁ ଦ୍ୱାରା ରାଜ୍ୟର ୩୦ ହଜାର ଦଲିଲ ଲେଖକ, ମୋହରିର ଜୀବିକା ହରାଇବେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଥିଲା। ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ମୋହରିର ସଂଘ ଦାବି କରିଥିଲା। ବହୁ ଅଭିଯୋଗ ପରେ ସରକାର ନଗଦ ଦେଣନେଣ ସୀମା ଦଶ ହଜାର ଟଙ୍କା ଧାର୍ଯ୍ୟ କରିଥିଲେ। ମାତ୍ର କଟକ, ଭୁବନେଶ୍ୱର ସହିତ ରାଜ୍ୟର ପ୍ରମୁଖ ସହରରେ ଥିବା ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କିଛି ପ୍ରଭାବ ପଡି ନଥିଲା। ପୂର୍ବ ଭଳି ସମସ୍ୟା ଲାଗି ରହିଥିଲା। ଅଚଳାବସ୍ଥା ଦେଖା ଦେଇଥିଲା। ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର