ହାଇକୋର୍ଟରେ ଶୁଣାଣି ଆଜି

କ୍ୟାସଲେସ୍‌ ବ୍ୟବସ୍ଥା ନେଇ ସବ୍‌ରେଜିଷ୍ଟ୍ରାର ଅଫିସରେ ଅଚଳାବସ୍ଥା

କଟକ : ପ୍ରାୟ ୫୦ ଦିନ ହେବ ଅଚଳ ହୋଇପଡିଛି ସବରେଜିଷ୍ଟ୍ରାର ଅଫିସ । ଅଫିସ ଖୋଲା ଅଛି, ଅଫିସର ଆସୁଛନ୍ତି, ହେଲେ ସରକାରୀ କଟକଣା ଯୋଗୁ କାମ ଆଗେଇ ପାରୁନାହିଁ । କ୍ୟାସ୍‌ଲେସ ବ୍ୟବସ୍ଥାକୁ ନେଇ ଦୀର୍ଘ ୫୦ ଦିନ ଧରି ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କ୍ୟାସ୍‌ଲେସ ବ୍ୟବସ୍ଥା ଲାଗୁ ନେଇ ସରକାର ନିଜ ଜିଦରେ ଅଟଳ ଥିବା ବେଳେ ଏହାକୁ ହଟାଇବା ପାଇଁ ମୋହରିର ତଥା ଆଇନଜୀବୀମାନେ ଦାବି କରିଛନ୍ତି । ଅନ୍ୟପଟେ ଜମିବାଡି କିଣାବିକାରେ ଏ ପ୍ରକାର ଅଚଳାବସ୍ଥା ଦୂର କରିବା ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆସନ୍ତାକାଲି ସୋମବାର ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହେବ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ସବ୍‌ରେଜିଷ୍ଟ୍ରାର ଅଫିସରେ ନଗଦ ବ୍ୟବସ୍ଥା ଉଚ୍ଛେଦ ପାଇଁ ରାଜ୍ୟ ସରକାର ଗତ ଅଗଷ୍ଟ ମାସରେ ନିଷ୍ପତ୍ତି ନେଇଥିଲେ । ଏ ନେଇ ଆଇଜିଆର୍‌ଙ୍କ ପକ୍ଷରୁ ଗତ ଅଗଷ୍ଟ ୨୨ ତାରିଖରେ ରାଜ୍ୟର ୧୮୫ଟି ସବରେଜିଷ୍ଟ୍ରାର ଅଫିସକୁ ଚିଠି ଦ୍ୱାରା ଅବଗତ କରାଯାଇଥିଲା । ଗତ ସେପ୍ଟେମ୍ବର ପହିଲାରେ ସମସ୍ତ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ କ୍ୟାସଲେସ ବ୍ୟବସ୍ଥା ଲାଗୁ ହୋଇଥିଲା । ନିୟମ ଅନୁସାରେ, ଜମିବାଡି କିଣାବିକା, ବିବାହ ପଞ୍ଜୀକରଣ ତଥା ଅନ୍ୟାନ୍ୟ ପଞ୍ଜୀକରଣ କେବଳ ବ୍ୟାଙ୍କ ଜରିଆରେ ହୋଇପାରିବ । ମାତ୍ର ଏଥିରେ ଗ୍ରାହକମାନେ ଅଯଥା ହଇରାଣ ହେଉଥିବାରୁ ନିଖିଳ ଉତ୍କଳ ଦଲିଲ ମୋହରିର ସଂଘ ଅଭିଯୋଗ କରିବା ସହ ଏ ନେଇ ଗତ ୩ ତାରିଖଠାରୁ ଧର୍ମଘଟ ଆରମ୍ଭ କରିଛି। ଏହି ଧର୍ମଘଟକୁ ଆଇନଜୀବୀମାନେ ସମର୍ଥନ କରୁଛନ୍ତି । ସଂଘ ଦର୍ଶାଇଛି ଯେ କ୍ୟାସ୍‌ଲେସ ଯୋଗୁ ସାଧାରଣ ଲୋକେ ନାନାଦି ହଇରାଣ ଭୋଗୁଛନ୍ତି । କେତେକ ଗ୍ରାମାଞ୍ଚଳରେ ବ୍ୟାଙ୍କ କିମ୍ବା ଟ୍ରେଜେରୀର ସୁବିଧା ନଥିବାବେଳେ ସେଠାରେ ପଞ୍ଜୀକରଣ ହୋଇପାରିବ ନାହିଁ ।

ସେହିପରି ବିଭିନ୍ନ ସମୟରେ ବ୍ୟାଙ୍କ ବନ୍ଦ ରହୁଥିବାରୁ ପଞ୍ଜୀକରଣ ହୋଇପାରିବ ନାହିଁ । ଏଥିସହିତ ବ୍ୟାଙ୍କରେ ବାରମ୍ବାର ଲିଙ୍କ୍‌ ଫେଲ୍‌ ହେଉଥିବାରୁ ପଞ୍ଜୀକରଣ ପାଇଁ ଅସୁବିଧା ସୃଷ୍ଟି ହେବ। ସେହିପରି କ୍ୟାସ୍‌ଲେସ ବ୍ୟବସ୍ଥା ଯୋଗୁ ରାଜ୍ୟର ପ୍ରାୟ ୩୦ ହଜାର ଦଲିଲ ଲେଖକ, ମୋହରିର ଜୀବିକା ହରାଇବେ । ଏହାକୁ ପ୍ରତ୍ୟାହାର ପାଇଁ ସଂଘ ଦାବି କରିବା ସହ ଏ ନେଇ ମୁଖ୍ୟମନ୍ତ୍ରୀ ତଥା ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଯାଇଛି । କିନ୍ତୁ ଏଯାଏ କୌଣସି ଠୋସ ପଦକ୍ଷେପ ନିଆଯାଇ ନାହିଁ । ଫଳରେ ଧର୍ମଘଟ ଯୋଗୁ ଦୈନିକ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହେଉଥିବା ଅଭିଯୋଗ ହୋଇଛି । ବହୁ ଅଭିଯୋଗ ପରେ ସରକାର ନଗଦ ଦେଣନେଣର ସୀମା ଦଶହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି । ମାତ୍ର ଏହା ସମୁଦ୍ରକୁ ଶଙ୍ଖେ ପରି । ବ୍ୟାଙ୍କ କଟକଣା ଯୋଗୁ କଟକ, ଜଗତପୁର, ଭୁବନେଶ୍ୱର ତଥା ରାଜ୍ୟର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସବ୍‌ରେଜିଷ୍ଟ୍ରାର ଅଫିସର କାର୍ଯ୍ୟ ଏକପ୍ରକାର ଅଚଳ ହୋଇପଡିଛି । ପରିସ୍ଥିତି ସ୍ୱାଭାବିକ ନ ହେବାରୁ ଏ ନେଇ ସନାତନ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ଆସନ୍ତାକାଲି ଏହି ମାମଲାର ବିଚାର ହେବ। ଅନ୍ୟପକ୍ଷରେ ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ଏହି କ୍ୟାସ୍‌ଲେସ୍‌କୁ ବିରୋଧ କରାଯାଇଛି । ହେଲେ ଏ କ୍ଷେତ୍ରରେ ରାଜ୍ୟ ସରକାର ଅନୁଧ୍ୟାନ କରୁ ନଥିବା ଅଭିଯୋଗ ହୋଇଛି। କ୍ୟାସଲେସ ଧର୍ମଘଟ ପୂର୍ବରୁ ରାଜ୍ୟର ଅମଲାମାନେ ୧୧ ଦଫା ଦାବି ନେଇ ଅଗଷ୍ଟ ପହିଲାରୁ ଏକମାସ ବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ।

ସମ୍ବନ୍ଧିତ ଖବର