ପୁରୀ: ଶ୍ରୀମନ୍ଦିରରେ ଜାତିଆଣକୁ ନେଇ ଆଜି ବିବାଦ ଦେଖାଦେଇଛି। ସିଂହାରୀ ନିଯୋଗର ଏହି ବ୍ୟକ୍ତିଗତ କଳି ପାଇଁ ଆଜି ମହାପ୍ରଭୁ ୭ ଘଣ୍ଟା ଅଖିଆଅପିଆ ରହିଛନ୍ତି। ଜାତି ପ୍ରସଙ୍ଗ ନେଇ ଯେଉଁ ସିଂହାରୀ ସେବାୟତଙ୍କୁ ନିଯୋଗ ବିରୋଧ କରୁଥିଲା, ସେ ରତ୍ନ ସିଂହାସନରୁ ଓହ୍ଲାଇବା ସହ ବଡ଼ ମହାସ୍ନାନ ପରେ ନୀତିକାନ୍ତି ସ୍ବାଭାବିକ ହୋଇଛି। ଏଥିପାଇଁ ସକାଳେ ହେବାକୁ ଥିବା ନୀତିକାନ୍ତି ସଂଧ୍ୟାରେ ସଂପନ୍ନ ହୋଇଛି। ସକାଳ ଜଳଖିଆ ମହାପ୍ରଭୁ ସଂଧ୍ୟାରେ ଖାଇଛନ୍ତି। ସୂର୍ଯ୍ୟ ଉଦୟ ବେଳେ ହେବାକୁ ଥିବା ସୂର୍ଯ୍ୟପୂଜା ସୂର୍ଯ୍ୟାସ୍ତ ପରେ ସଂପନ୍ନ ହୋଇଛି। ସେପଟେ ଆଜି ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ନୀତି, ନାରାୟଣ ଠାକୁରଙ୍କ ସାଗର ବିଜେ ନୀତି, ବସ୍ତ୍ରହରଣ ଲୀଳା ଆଦି ଥିଲା। ନୀତିକାନ୍ତି ବିଳମ୍ବ ଯୋଗୁ ଏହି ସ୍ବତନ୍ତ୍ର ନୀତିରେ ବି ଅହେତୁକ ବିଳମ୍ବ ହୋଇଛି। ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯେଉଁ ସେବାୟତମାନେ ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ମହାପ୍ରଭୁଙ୍କ ସହ ଏଭଳି ସାଂଘାତିକ ଖେଳ ଖେଳୁଛନ୍ତି, ନୀତିକାନ୍ତି ଅଟକାଇବାକୁ ସାହସ କରିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ସିଂହାରୀ ନିଯୋଗର ବ୍ୟକ୍ତିଗତ କଳି ପାଇଁ ଅଟକିଲା ନୀତିକାନ୍ତି
ସିଂହାରୀ ସେବାୟତ ରତ୍ନ ସିଂହାସନରେ ଚଢ଼ିବାରୁ ହେଲା ବଡ଼ ମହାସ୍ନାନ
ସୂର୍ଯ୍ୟାସ୍ତ ପରେ ହେଲା ସୂର୍ଯ୍ୟପୂଜା
ସଂଧ୍ୟାରେ ସଂପନ୍ନ ହେଲା ଗୋପାଳବଲ୍ଲଭ ନୀତି
ମିଳିଥିବା ସୂଚନା ମୁତାବକ, ସିଂହାରୀ ସେବକ ଶଙ୍ଖମିତ୍ର ସିଂହାରୀ ୪ ବର୍ଷ ତଳେ ଜନୈକ ଝିଅଙ୍କୁ ବିବାହ କରିଥିଲେ। ସେ ବିବାହ କରିଥିବା ଝିଅ ଅନ୍ୟ ଜାତିର ଦର୍ଶାଇ ଶ୍ରୀମନ୍ଦିର ସିଂହାରୀ ନିଯୋଗ ତାଙ୍କୁ ନିଯୋଗ ସଦସ୍ୟତାରୁ ନିଲମ୍ବିତ କରିଥିଲା। ଆଜି ଶ୍ରୀମନ୍ଦିରରେ ଶଙ୍ଖମିତ୍ର ସିଂହାରୀ ଓ ତାଙ୍କ ପରିବାରଙ୍କ ପାଳି ଥିଲା। ଏଣୁ ଶ୍ରୀ ସିଂହାରୀ ଓ ତାଙ୍କ ବଡ଼ ଭାଇ ଆସି ଶ୍ରୀମନ୍ଦିରରେ ପାଳି ଖଟିଥିଲେ। ଆଜି ଭୋର୍ ୫ଟା ୫୫ରେ ଦ୍ବାରଫିଟା ପରେ ୬ଟା ୫୫ରେ ରତ୍ନ ସିଂହାସନକୁ ଚଢ଼ି ମଙ୍ଗଳ ଆଳତି କରିଥିଲେ। ପରେ ସକାଳ ୭ଟାରେ ରୋଷହୋମ ଓ ୭ଟା ୫ରେ ମଇଲମ ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ପରେ ବିବାଦ ମୁଣ୍ଡ ଟେକିଥିଲା। ସିଂହାରୀ ନିଯୋଗର କିଛି ବ୍ୟକ୍ତି ତାଙ୍କୁ ବିରୋଧ କରିଥିଲେ। ଯେହେତୁ ଶ୍ରୀ ସିଂହାରୀ ନିଯୋଗରୁ ନିଲମ୍ବିତ ହୋଇଛନ୍ତି, ସେ ମହାପ୍ରଭୁଙ୍କ ସେବା କରି ପାରିବେନି ବୋଲି ଯୁକ୍ତି ଦର୍ଶାଇଥିଲେ। କିନ୍ତୁ ଶ୍ରୀ ସିଂହାରୀ ଏହାକୁ ଅମାନ୍ୟ କରିଥିଲେ। ଯଦି ମୋତେ ନିଲମ୍ବିତ କରାଯାଇଛି, କାଗଜପତ୍ର ଦେଖାଅ, ମୁଁ ଓହ୍ଲାଇଯିବି ବୋଲି ଯୁକ୍ତି ବାଢ଼ିଥିଲେ। ଏହାକୁ ନେଇ ବିବାଦ ଦେଖାଦେବାରୁ ସିଂହାରୀ ନିଯୋଗ ସହ ଅନ୍ୟ ନିଯୋଗର ସେବକମାନେ ବି ପରବର୍ତ୍ତୀ ନୀତିକାନ୍ତି ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇବା ବନ୍ଦ କରି ଦେଇଥିଲେ। ଫଳରେ ସକାଳ ୭ଟା ୫ରେ ମହାପ୍ରଭୁଙ୍କ ମଇଲମ ନୀତି ପରଠାରୁ ଆଉ କୌଣସି ନୀତିକାନ୍ତି ଅନୁଷ୍ଠିତ ହୋଇ ପାରିନଥିଲା। ସକାଳ ପ୍ରାୟ ୯ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ଶଙ୍ଖମିତ୍ର ସିଂହାରୀଙ୍କ ବଡ଼ ଭାଇ ଓ ସିଂହାରୀ ନିଯୋଗର କର୍ମକର୍ତ୍ତାଙ୍କୁ ଡାକି ୫ ଘଣ୍ଟା ଧରି ଆଲୋଚନା ଓ ତର୍କବିତର୍କ ପରେ ବିବାଦ ତୁଟିଥିଲା। ଶଙ୍ଖମିତ୍ର ସିଂହାରୀ ରତ୍ନ ସିଂହାସନରୁ ଓହ୍ଲାଇବା ପରେ ବଡ଼ ମହାସ୍ନାନ କରିବାକୁ ନିଷ୍ପତ୍ତି ପରେ ବିବାଦର ସମାଧାନ ହୋଇଥିଲା।
ନିଷ୍ପତ୍ତି ଅନୁଯାୟୀ, ଅପରାହ୍ଣ ପ୍ରାୟ ୨ରେ ବଡ଼ ମହାସ୍ନାନ ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହୋଇଥିଲା। ଯେଉଁଥିପାଇଁ ଆଜି ସୂର୍ଯ୍ୟାସ୍ତ ପରେ ସୂର୍ଯ୍ୟପୂଜା ନୀତି ସଂପନ୍ନ ହୋଇଛି। ପରେ ପରେ ଗୋପାଳବଲ୍ଲଭ ନୀତି ଓ ଅନ୍ୟାନ୍ୟ ନୀତି ବଢ଼ିଛି।
ଏ ସଂପର୍କରେ ଶଙ୍ଖମିତ୍ର ସିଂହାରୀ କହିଛନ୍ତି, ସେ କୌଣସି ଅଜାତିର ଝିଅକୁ ବିବାହ କରିନାହାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଗ୍ରହବିପ୍ର ସେବକଙ୍କ ଝିଅଙ୍କୁ ବିବାହ କରିଛି। ଗ୍ରହବିପ୍ର ସେବକ ମହାପ୍ରଭୁଙ୍କ ଗ୍ରହ, ନକ୍ଷତ୍ର ଚଳନ ଆଦି ଗଣନା କରିଥାନ୍ତି। କିନ୍ତୁ ମୁଁ ଅଜାତିରେ ବିବାହ କରିଛି ଓ ମୋତେ ସିଂହାରୀ ନିଯୋଗ ୪ ବର୍ଷ ତଳୁ ନିଲମ୍ବନ କରିଥିବା କଥା କହୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ କୌଣସି ନିଲମ୍ବନ ପତ୍ର ପାଇନି ବୋଲି ଶ୍ରୀ ସିଂହାରୀ କହିଛନ୍ତି। ଏ ଭିତରେ ନିଲମ୍ବନ ଅବା ସେବାନିବୃତ୍ତ କରିବାର କୌଣସି ଚିଠି ଦିଅନ୍ତୁ ବୋଲି ନିଯୋଗକୁ ବହୁବାର ଚିଠି ଲେଖିଛି ଓ ପଚାରିଛି। କିନ୍ତୁ ୪ ବର୍ଷ ହେଲାଣି କାହାରିଠାରୁ ସନ୍ତୋଷଜନକ ଉତ୍ତର ପାଇଲିନି। ପ୍ରତି ୨୪ ଦିନରେ ଥରେ ଆମ ପରିବାରର ପାଳି ପଡ଼େ। ଏଣୁ ଆଜି ପାଳି ପଡ଼ିବାରୁ ବଡ଼ ଭାଇଙ୍କ ସହ ପାଳି ଖଟିବାକୁ ଆସିଥିଲି। ଅପରାହ୍ଣରେ ମୋତେ ସିଂହାସନରୁ ଓହ୍ଲାଇ ଆସିବାକୁ କୁହାଯିବାରୁ ମୁଁ ଓହ୍ଲାଇ ଆସିଲି। କିନ୍ତୁ ଯେଉଁ ଜାତିକୁ ନେଇ ମୋ ପ୍ରତି ଆକ୍ଷେପ କରାଯାଉଛି, ତା’ର ବିଚାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ମାସେ ସମୟ ନେଇଛି। ଏ ଭିତରେ ମୋତେ ନ୍ୟାୟ ନ ମିଳିଲେ, ଶ୍ରୀମନ୍ଦିର ପ୍ରଶାସନର ଦ୍ବାରସ୍ଥ ହେବି ଓ ନ୍ୟାୟ ମାଗିବି ବୋଲି ସେ କହିଛନ୍ତି। କିନ୍ତୁ ଏ ସଂପର୍କରେ ସିଂହାରୀ ନିଯୋଗ ଗଣମାଧ୍ୟମ ଆଗରେ କିଛି ମୁହଁ ଖୋଲିନି।