ଆଦିବାସୀ ଛାତ୍ରୀଙ୍କୁ ପ୍ରିନ୍ସିପାଲଙ୍କ ଜାତିଆଣ ନିର୍ଯାତନା, ଜିଲ୍ଲାପାଳଙ୍କୁ ଅଭିଯୋଗ

ଜୁଲାଇ ୩ରେ  ମଙ୍ଗଳ ଅଧିକାରୀଙ୍କୁ ଅଭିଯୋଗ ହୋଇଥିଲା 

ସୁନ୍ଦରଗଡ଼/ବାଲଲିଶଙ୍କରା: ଆଦିବାସୀ ନିର୍ବୁଦ୍ଧିଆ, ଭିନ୍ନ ଧର୍ମର ଛାତ୍ରୀମାନଙ୍କୁ ମେସ୍ ଚାର୍ଜ ଦିଆଯିବନି କହି ଜାତି ଓ ଧର୍ମସୂଚକ ଅପମାନ ଦେଉଥିବା, ହଷ୍ଟେଲ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦେବା, ଏପରିକି   ଝାଡ଼ୁ ତିଆରି ପାଇଁ ଛାତ୍ରୀମାନଙ୍କୁ ଘାସ କାଟିବାକୁ  ପଠାଇବା ଆଦି  ଅତି ସମ୍ବେଦନଶୀଳ ଅଭିଯୋଗ ଆସିଛି ବାଲିଶଙ୍କରା ବ୍ଲକ୍ ଏସଏସଡି ଆବାସିକ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟ ପ୍ରିନ୍ସିପାଲଙ୍କ ନାମରେ। ଏସବୁ ଅଭିଯୋଗ ସହ ପ୍ରିନ୍ସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗୁରୁବାର ସକାଳୁ ୭୨ ଜଣ ଆଦିବାସୀ  ଛାତ୍ରୀ ହଷ୍ଟେଲ ଛାଡ଼ିଛନ୍ତି। ଏକ ଘଟଣାକ୍ରମେ ବୁଧବାର ରାତିରେ ଜଣେ ଗୁରୁତର  ଛାତ୍ରୀଙ୍କୁ ହସ୍ପିଟାଲ ନେବାକୁ ପ୍ରିନ୍ସିପାଲ କୌଣସି ବ୍ୟବସ୍ଥା ନକରିବା ଓ ଛାତ୍ରୀମାନଙ୍କ ଅନୁରୋଧରେ ଜଣେ ଶିକ୍ଷକ ନିଜ ଗାଡ଼ିରେ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ନେବା ପରେ ବ୍ୟତିବ୍ୟସ୍ତ ଛାତ୍ରୀମାନେ ଏ ନିଷ୍ପତ୍ତି ନେଇଥିଲେ।

ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଚାଲି ଚାଲି ସୁନ୍ଦରଗଡ଼ ଆସୁଥିବା ଛାତ୍ରୀମାନଙ୍କୁ ୭ କିଲୋମିଟର ଦୂରରେ  ସ୍ଥାନୀୟ ପୁଲିସ, ପ୍ରଶାସନ ଅଟକାଇବାକୁ ଚେଷ୍ଟା କରିଥିଲା। ବାଲିଶଙ୍କରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ଲାକ୍ରା, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦିବ୍ୟଦର୍ଶିନୀ ସା, ତଳସରା ଥାନାଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁଜୁର, ଜୟନ୍ତୀ ଏକ୍କା, ଯୁବନେତା ଦେବେନ୍ଦ୍ର ପ୍ରସାଦ ମାଝୀ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରିନସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏ ହଷ୍ଟେଲ ଫେରିବୁ ନାହିଁ ବୋଲି ଛାତ୍ରୀମାନେ ରୋକଠୋକ ଶୁଣାଇଥିଲେ।  ପରେ ସେଠାରୁ ୨୦ରୁ ଅଧିକ ଛାତ୍ରୀ ସୁନ୍ଦରଗଡ଼ ଆସି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କୁ ଭେଟି ପ୍ରିନ୍ସିପାଲଙ୍କ ନିର୍ଯାତନା ସମ୍ପର୍କରେ ଜଣାଇଛନ୍ତି। ଏ ସମ୍ପର୍କରେ ୨୪ ଦିନ  ତଳେ ସୁନ୍ଦରଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଗୁରୁବାର ଅତିଷ୍ଠ  ଛାତ୍ରୀମାନେ ହଷ୍ଟେଲ ଛାଡ଼ିଥିବା ପ୍ରକାଶ କରିଛନ୍ତି।

ରାଜ୍ୟ ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ବାଲିଶଙ୍କରା ଠାରେ ଏସଏସଡି ଆବାସିକ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟ ଖୋଲାଯାଇଛି। ଏଠାରେ ୭୨ ଆଦିବାସୀ ଛାତ୍ରୀ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇ ପଢ଼ୁଛନ୍ତି। ଗତ ମାସେ ହେଲା ପ୍ରିନ୍ସିପାଲ ଛାତ୍ରୀମାନଙ୍କୁ ଜାତିଆଣ ଅପମାନ ଦେଇ ଆସୁଥିବା, ନିମ୍ନମାନର ଖାଦ୍ୟ ସହ ଛାତ୍ରୀମାନଙ୍କୁ ଝାଡ଼ୁ ପାଇଁ ଘାସ କାଟିବାକୁ ବାହାରକୁ ପଠାଉଥିବା, ପାଠ ବୁଝି ନପାରିଲେ ଟିସି ନେଇଯିବାକୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଛାତ୍ରୀମାନେ ଜୁଲାଇ ୩ ତାରିଖରେ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଡାକଯୋଗେ ଅଭିଯୋଗପତ୍ର ପଠାଇଥିଲେ।

୨୫ ତାରିଖରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିଦ୍ୟାଳୟକୁ ଆସି ତଦନ୍ତ କରିଥିଲେ। ଏହା ପରେ ପ୍ରିନ୍ସିପାଲଙ୍କ ନିର୍ଯାତନା ବଢ଼ି ଯାଇଥିଲା। ବୁଧବାର ରାତିରେ ଜ୍ବର ଆକ୍ରାନ୍ତ ଛାତ୍ରୀ ଲିପ୍ସାରାଣୀ ଏକ୍କା ଗୁରୁତର ହେବାରୁ ଛାତ୍ରୀମାନେ ପ୍ରିନ୍ସିପାଲଙ୍କୁ ଜଣାଇଥିଲେ। କିନ୍ତୁ ଗାଡ଼ି ଥିବା ସତ୍ତ୍ବେ ପ୍ରିନ୍ସିପାଲ ଛାତ୍ରୀଙ୍କୁ ଡାକ୍ତରଖାନା ନେବାକୁ ନେଇ କୌଣସି ଉଦ୍ୟମ କରି ନଥିଲେ, ଏପରିକି ଅସୁସ୍ଥ ଛାତ୍ରୀଙ୍କୁ ଦେଖିବାକୁ ବି ଆସି ନଥିବା ଅଭିଯୋଗ ହୋଇଛି। ଶେଷକୁ ବ୍ୟତିବ୍ୟସ୍ତ ଛାତ୍ରୀମାନଙ୍କ ଅନୁରୋଧରେ  ଶିକ୍ଷକ ରାକେଶ  ବାର୍ଲା  ନିଜ ଗାଡ଼ିରେ ଛାତ୍ରୀଙ୍କୁ ବାଲିଶଙ୍କରା ଆଣି ଚିକିତ୍ସା କରାଇଥିଲେ। ଗୁରୁବାର ସକାଳୁ ପ୍ରିନ୍ସିପାଲଙ୍କୁ ଅସୁସ୍ଥ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜଣାଇବାକୁ ଯାଇଥିବା ଛାତ୍ରୀମାନଙ୍କୁ ସେ ଓ ତାଙ୍କ ସ୍ବାମୀ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କୁ ପଚାରିବାରୁ ‘ଶୁକ୍ରବାର ବିଦ୍ୟାଳୟକୁ ଏକ ଟିମ୍ ଯାଇ ତଦନ୍ତ କରିବ, ତା’ପରେ ଅଭିଯୋଗରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ ବୋଲି କହିଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତି, ଧର୍ମକୁ ନେଇ ପ୍ରିନ୍ସିପାଲଙ୍କ ଅପମାନସୂଚକ ଭାଷା ସମ୍ପର୍କରେ ଅଭିଯୋଗ କରୁଥିବା ବେଳେ ଜଣେ ଛାତ୍ରୀ କାନ୍ଦି ପକାଇଥିଲେ। ଆଦିବାସୀ ସବୁଠାରୁ ହୀନ, ତା’ର  କୌଣସି ମାନସମ୍ମାନ ନାହିଁ କି ବୋଲି ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର