ଓଡ଼ିଶାରେ ‘ଜାତି’ ରାଜନୀତି!

ଓବିସି ସଂରକ୍ଷଣକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଆସନ୍ତା ନିର୍ବାଚନରେ ହୋଇପାରେ ପ୍ରମୁଖ ପ୍ରସଙ୍ଗ
ଓବିସିଙ୍କୁ ଦିଆଯାଉ ୨୭ ପ୍ରତିଶତ ସଂରକ୍ଷଣ: ଧର୍ମେନ୍ଦ୍ର
ବିଜେଡି ବି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନେଇଛି, ଗଣନା ପାଇଁ ଦାବି କରିଥିଲା

ଭୁବନେଶ୍ବର : ବିହାର, ଗୁଜରାଟ ଭଳି ଅନେକ ରାଜ୍ୟରେ ଜାତିଭିତ୍ତିକ ରାଜନୀତିର ଜବରଦସ୍ତ ପ୍ରଭାବ ରହିଛି। ନିର୍ବାଚନ ଓଲଟପାଲଟ କରିବାର ଶକ୍ତି ଏହି ଭୋଟ ବ୍ୟାଙ୍କ ରଖିଥାଏ। ଅଳ୍ପ କିଛି ନିର୍ବାଚନମଣ୍ଡଳୀ ଛାଡ଼ି ଦେଲେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ନଥିଲା। ହେଲେ ୨୦୨୪ ନିର୍ବାଚନ ପାଇଁ ଯେଉଁ ନିର୍ବାଚନ ରଣନୀତି ଆରମ୍ଭ େହାଇଛି, ସେଥିରେ ଜାତିି ଗୋଟିଏ ପ୍ରସଙ୍ଗ ହେଲାଣି। ଓବିସି ସଂରକ୍ଷଣ ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତିର ଭୋଟ୍ କାର୍ଡ ହେବାକୁ ଯାଉଛି। ଏଥିରୁ କିଏ ଫାଇଦା ନେବେ ସେ ନେଇ ବିଜେଡି-ବିଜେପି ଏବେଠାରୁ ମୁହାଁମୁହିଁ ହେଲେଣି।

ମହିଳା ସଂରକ୍ଷଣ ପ୍ରସଙ୍ଗ ନେଇ ବିଜେଡି ବିଜେପିକୁ ଅକଳରେ ପକାଇ ଦେଇଛି। ବିଜେପି ତୁରନ୍ତ ଏହାର ପ୍ରତିଜବାବ ଦେବାକୁ ଯାଇ ଓଡିଶାରେ ଓବିସି ଓ ଏସଇବିସି ବର୍ଗର ଲୋକଙ୍କ ପାଇଁ କାହିଁକି ସଂରକ୍ଷଣ ବ୍ୟବସ୍ଥା କରାଯାଇ ନାହିଁ ତାକୁ ନେଇ ଘେରିଥିଲା ସରକାରଙ୍କୁ। ଦଳର ଜଣେ ପରେ ଜଣେ ନେତା ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି। ସେପଟେ ବିଜେଡି ବି ଚୁପ୍ ବସିନାହିଁ। ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ବିଟ୍ କରିଥିଲେ ଯେ ବିଜେଡି ରାଜ୍ୟ ପରିଷଦ ଓବିସି ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରସ୍ତାବ ପାରିତ କରିଛି। କେବଳ ସେତିକି ନୁହେଁ, ରାଜ୍ୟ ସରକାର ଆଜି ଓଏସସିବିସି କମିସନଙ୍କୁ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍ ରଘୁନାଥ ବିଶ୍ୱାଳ ଏହାର ଅଧ୍ୟକ୍ଷ। ସେ ପ୍ରଥମ ମନ୍ତବ୍ୟରେ କହିଛନ୍ତି ଯେ ସଂରକ୍ଷଣ ପାଇଁ ଯେଉଁ ସୁପାରିସ ଅଛି ତାକୁ ଲାଗୁ କରିବା ପାଇଁ ଚେଷ୍ଟା କରାଯିବ।

ଏହା ଦେଖି ଆଜି ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ନାକୁ ଆସିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍‌ଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦିଆ ନ ଯିବା ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଥିବା ଜଣାପଡୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଳେ ନାଁ ନେଇଯିବେ ଏହି ଡରରେ ନ ରହି ରାଜ୍ୟ ସରକାର ନିଜର କର୍ତବ୍ୟ ପାଳନ କରନ୍ତୁ। ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ମୋଟ୍‌ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସ୍‌ଇବିସି ବର୍ଗ। ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରି ନାହିଁ । ସେ କହିଛନ୍ତି ଯେ କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଥିବା ବେଳେ ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟଗୁଡ଼ିକ ମଧ୍ୟ ଏହି ଜାତିର ଜନସଂଖ୍ୟାରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। କିନ୍ତୁ ଓଡ଼ିଶାରେ ଓବିସି ଏବଂ ଏସ୍‌ଇବିସି ବର୍ଗର ଶ୍ରେଣୀ ବିଶେଷ ଭାବରେ ଯୁବବର୍ଗଙ୍କୁ ଏଥିରୁ ବଞ୍ଚିତ ରଖାଯାଇଛି। ଓଡ଼ିଶାରେ ପୂର୍ବରୁ ଓବିସି ତଥା ରାଜ୍ୟ ସରକାରଙ୍କ ପାଖରେ ଏସ୍‌ଇବିସି ତାଲିକା ରହିଛି। ରାଜ୍ୟରେ ଓବିସି କମିସନର୍‌ ନିଯୁକ୍ତିର ସଂରକ୍ଷଣର କୌଣସି ସଂପର୍କ ନାହିଁ। ମହାରାଷ୍ଟ୍ରରେ ମରାଠାମାନଙ୍କୁ ସଂରକ୍ଷଣ ଦେବା ପାଇଁ ମହାରାଷ୍ଟ୍ର ବିଧାନସଭାରେ ନିୟମ ପାରିତ କରାଗଲା। ସେଠାରେ ନୂଆ କମିସନ୍‌ ଗଠନ କରାଗଲା ନାହିଁ। ସେଥିପାଇଁ ସଂରକ୍ଷଣ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି। ଏହା ସେମାନଙ୍କ ସାମ୍ବିଧାନିକ ଅଧିକାର। ଓଡ଼ିଶାରେ ଜାଣିଶୁଣି ଏହି ବର୍ଗରେ ଚାକିରି କ୍ଷେତ୍ରରେ ଥିବା ମାମଲାକୁ କୋର୍ଟରେ ବିଚାରଧୀନ ରଖାଯାଇଛି। ଏହି ମାମଲା ଗୁଡିକ ଉପରେ ରାଜ୍ୟ ସରକାର ରିପୋର୍ଟ ଦେବାକୁ ଶ୍ରୀ ପ୍ରଧାନ ଦାବି କରିଛନ୍ତି। କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଭାରତର ସଂରକ୍ଷଣ ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କ ପାଇଁ ୧୦ ପ୍ରତିଶତର ସଂରକ୍ଷଣର ବ୍ୟବସ୍ଥା ଲାଗୁ କରାଗଲା। ଏହାକୁ କେନ୍ଦ୍ର ସରକାର ତଥା ଅନେକ ରାଜ୍ୟ ଲାଗୁ କରିଥିବା ବେଳେ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି । ତେଣୁ ଓଡ଼ିଶା ସରକାର ଓବିସି ଏବଂ ଏସ୍‌ଇବିସି ବର୍ଗରେ ସଂରକ୍ଷଣ ଲାଗୁ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ଧର୍ମେନ୍ଦ୍ରଙ୍କ ଏଭଳି ଶାଣିତ ସମାଲୋଚନା ଉପରେ ବିଜେଡି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ତେବେ ୨୦୨୧ ଜନଗଣନା ବେଳେ କିନ୍ତୁ ଜାତିଭିତ୍ତିକ ଗଣନା କରିବାକୁ ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ସୃଷ୍ଟି କରିଥିଲେ। କେନ୍ଦ୍ର ସରକାର କିନ୍ତୁ ଏହାକୁ ସେତେବେଳେ ସିଧା ସିଧା ଅଗ୍ରାହ୍ୟ କରିଦେଇଥିଲେ। ସଂସଦରେ ବି ଏ ପ୍ରସଙ୍ଗରେ ଉତ୍ତର ରଖିଥିଲେ। ପରିଣାମ ହେଲା, ରାଜ୍ୟ ସରକାର ଏବେ ନିଜସ୍ବ ଡାଟା ବେସ୍ ପ୍ରସ୍ତୁତ କରିବା ପାଇଁ ଯୋଜନା କରିଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଲାଣି ଯେ ଜାତିକୁ ନେଇ ଆଗାମୀ ଦିନରେ ରାଜ୍ୟ ରାଜନୀତି ଅଧିକ ସରଗରମ ରହିବ।

ସମ୍ବନ୍ଧିତ ଖବର