ଜଗତସିଂହପୁର : ମାଫିଆଙ୍କ ହାତବାରିସି ସାଜିଛନ୍ତି ମହିଳା, ସଫା କରିଦେଲେ ବେଳାଭୂମି ଝାଉଁବଣ

ଜଗତସିଂହପୁର : କରୋନା ସ୍ଥିତି ମୁକାବିଲା ପାଇଁ ପୁଲିସ ପ୍ରଶାସନ ବ୍ୟସ୍ତ। ସେପଟେ ଶ୍ରମିକମାନେ ରୋଜଗାର ହରାଇଛନ୍ତି। ସ୍ଥିତିର ସୁଯୋଗ ନେଇ ମହିଳା ଶ୍ରମିକମାନଙ୍କୁ ବ୍ୟବହାର କରି କାଠ ମାଫିଆମାନେ ପାରାଦୀପ ସମୁଦ୍ର ବେଳାଭୂମିରେ ଥିବା ଝାଉଁ ବଣ କାଟି ସଫା କରିସାରିଲେଣି। ଦିନରେ ଏଭଳି କାର୍ଯ୍ୟ ଚାଲିଥିଲେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ। ମାସକ ଭିତରେ ବେଳାଭୂମିରେ ଥିବା ଶହ ଶହ ଝାଉଁ ଗଛକୁ ସଫା କରି ଦେଲେଣି କାଠ ମାଫିଆ।

୧୯୯୯ ମସିହା ମହାବାତ୍ୟା ପରେ ବେଳାଭୂମିରେ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ଏହି ଝାଉଁ ବଣ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପାରଦୀପବାସୀଙ୍କ ରକ୍ଷା କରିବା ଉଦ୍ଦେଶ୍ୟରେ ଏମତି ଯୋଜନା କରାଯାଇଥିଲା। କିନ୍ତୁ କରୋନା ସ୍ଥିତିର ଫାଇଦା ନଇେ କାଠ ମାଫିଆ ପ୍ରଥମେ ରାତିରେ ଲୁଚାଛପାରେ ବେଶ୍ ସନ୍ତର୍ପଣରେ ଝାଉଁ ଗଛ କାଟିବା ଆରମ୍ଭ କରିଥିଲେ। କିନ୍ତୁ ପୁଲିସ ଅନ୍ୟ କାର୍ଯ୍ୟରେ ନିୟୋଜିତ ଥିବାର ସୁଯୋଗ ନେଇ ଦିନ ଦ୍ବିପହରରେ ବି କାଠ କାଟିବା ଆରମ୍ଭ କରି ଦେଇଛନ୍ତି। ବେଳାଭୂମି ନିକଟ ଷଣ୍ଢକୁଦରେ ବନ ବିଭାଗ କାର୍ଯ୍ୟାଳୟ ଥିଲେ ବି କେହି ତାହାକୁ ନିୟନ୍ତ୍ରଣ କରୁନାହାନ୍ତି। କାଠ ମାଫିଆ ଏହି କାର୍ଯ୍ୟରେ ଷଣ୍ଢକୁଦ ବସ୍ତିରେ ରହୁଥିବା ମହିଳାମାନଙ୍କୁ ନିୟୋଜିତ କରୁଛନ୍ତି। ମହିଳାମାନେ କଟା ଗଛ ଗୁଡ଼ିକୁ ବୋହି ନେଇ ଷଣ୍ଢକୁଦରେ ରହୁଥିବା ଜଣେ ବ୍ୟବସାୟୀଙ୍କୁ ଦେଉଛନ୍ତି। ସେଠାରୁ ପାରାଦୀପ ବାହାରକୁ ଏହା ଚାଲାଣ କରାଯାଉଛି। ଜଟାଧାରୀ ମୁହାଣ ଥାନା ପୁଲିସ ଏହାକୁ ବନ ବିଭାଗର କାର୍ଯ୍ୟ କହି ଚୁପ୍ ରହୁଥିବା ବେଳେ ବନ ବିଭାଗ ଏହା ବନ୍ଦର ପ୍ରଶାସନର ଦାୟିତ୍ବ ବୋଲି କହି ଚୁପ ରହୁଥିବା କୁହାଯାଉଛି। ଏଭଳି ସ୍ଥିତିରେ ଏବେ ପାରାଦୀପ ବେଳା ଭୂମିତର ଚିତ୍ର ସମ୍ପୂର୍ଣ୍ଣ ବଦଳିବାକୁ ବସିଛି।

ପରିବେଶବିତ୍ ଅୟସକାନ୍ତ ରାୟ କହିବା ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟ ଦାଉରୁ ନିର୍ଦ୍ଦିଷ୍ଟ କେତେକ ଗଛ କେବଳ ରକ୍ଷା କରିପାରେ। ସେଥିମଧ୍ୟରୁ ଝାଉଁ ଗଛର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ଏଣୁ ସମୁଦ୍ର କୂଳିଆ ଅ‌ଞ୍ଚଳରେ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ମାତ୍ର ପାରାଦୀପରେ ଏହି ଜଙ୍ଗଲ ଆଜି କାଠ ମାଫିଆମାନଙ୍କ ଦ୍ବାରା ଧ୍ବଂସ ହେଲାଣି। ପ୍ରଥମେ ଯେତେବେଳେ ଏଠାରୁ ଗଛ କଟା ଗଲା କେହି ସେତେବେଳେ ନଜର ଦେଲେନି। ବର୍ତ୍ତମାନ ବେଳାଭୂମିରୁ ଶହ ଶହ ଝାଉଁ ଗଛ କଟା ଚାଲିଛି। ଉଭୟ ବନ୍ଦର କତ୍ତୃର୍ପକ୍ଷ ଓ ବନ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ।

ସମ୍ବନ୍ଧିତ ଖବର