ତିନିମହଲା କୋଠାର ତାଜାରେ ଫସି ଯାଇଥିଲା ବିଲେଇ! ଅଗ୍ନିଶମ ବାହିନୀ ଉଦ୍ଧାର କରିବା ପରେ ଡିଆଁମାରି ପଳାଇଲା, ଦେଖନ୍ତୁ ଭିଡିଓ

ରାଉରକେଲା: ସିଭିଲ୍ ଟାଉନ୍‌ସିପ୍‌ର ଏକ କୋଠାଛାତ ଉପରେ ଫସି ଯାଇଥିବା ଏକ ବିଲେଇକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାରୁ ପ୍ରକାଶ, ସିଭିଲ୍ ଟାଉନ୍‌ସିପ୍‌ରେ ଥିବା ପ୍ରଫୁଲ୍ଲ ଟାୱାରର ପଛପାଖ ତିନିମହଲା କୋଠାର ତାଜାରେ ଚଢ଼ି ଯାଇଥିବା ବିଲେଇଟି କୌଣସି କାରଣରୁ  ଅସୁବିଧାଜନକ ସ୍ଥିତିରେ ଫସି  ଯାଇଥିଲା। ସେ ସେଠାକୁ କିପରି ଗଲା, କେହି ଜାଣି ନାହାନ୍ତି। ସେ ସ୍ଥାନଟି ଏଭଳି ଥିଲା ଯେ ସେଠାରୁ ବିଲେଇଟି ନା ତଳକୁ ଆସି ପାରୁଥିଲା, ନା କେହି ସେଠାକୁ ଯାଇ ତା’କୁ ଉଦ୍ଧାର କରି ପାରୁଥିଲେ। ଏପରିକି ବିଲେଇଟି ସେଠାରେ କେତେଦିନ ହେଲା ଫସିଥିଲା, ତାହା ମଧ୍ୟ କାହାରିକୁ ଜଣା ନଥିଲା । କାରଣ ତଳୁ ତାଜାର ଉପର ଅଂଶ ଦେଖା ଯାଉ ନ ଥିଲା। ତେବେ ପ୍ରାୟ ୬-୭ ଦିନ ହେଲା ଏକ ବିଲେଇର କାନ୍ଦ ଆଖପାଖର ଲୋକେ ବେଳେବେଳେ ଶୁଣୁଥିଲେ। କିନ୍ତୁ କାନ୍ଦ କେଉଁଠାରୁ ଆସୁଛି, ଜଣା ପଡୁ ନଥିଲା।

ଗତ ରବିବାର ଦିନ ଦୀପକ କୁମାର ସାହୁ ଓ ସନୁଜ ନାୟକ ନାମକ ଦୁଇଜଣ ବ୍ୟକ୍ତି କିଛି କାମରେ ସେହି ବିଲ୍‌ଡିଂକୁ ଯାଇଥିବା ବେଳେ ବିଲେଇଟିକୁ ଦେଖି ପାରିଥିଲେ। ସେତେବେଳକୁ ଖାଇବାକୁ ନପାଇ ସେ ଭୀଷଣ ଦୁର୍ବଳ ହୋଇ ପଡ଼ିଥିଲା, ଠିଆ ହୋଇ ପାରୁ ନ ଥିଲା। ଏମାନେ ପ୍ରଥମେ ତା’କୁ ଖାଇବାକୁ ଦେଲେ। ଖାଇବା ପୁଡ଼ିଆକୁ ତଳୁ ଫିଙ୍ଗାଗଲା। ଦୁର୍ବଳ ବିଲେଇଟି ଘୋଷାରି ହେବାଭଳି ଯାଇ ଖାଦ୍ୟ ଖାଇବାପରେ କିଛିଟା ସବଳ ହେଲା। ଦୁହେଁ ଅନ୍ୟକିଛି ଲୋକଙ୍କ ସହିତ ମିଶି ବିଲେଇଟିକୁ ସେଠାରୁ ଉଦ୍ଧାର କରିବାକୁ ବହୁତ ଚେଷ୍ଟାକଲେ। ପାଖ କୋଠାରୁ ତା’ ପାଖକୁ ବାଉଁଶ ବାନ୍ଧାଗଲା, କାଳେ ସେ ସେହିବାଟେ ଚାଲି ଆସିବ। କିନ୍ତୁ ବିଲେଇ ଆସିଲା ନାହିଁ। ଏମିତି ଆଉ ଦିନଟିଏ ବିତିଗଲା। ସବୁ ଚେଷ୍ଟା ବିଫଳ ହେବାପରେ ଦୀପକ ଶେଷକୁ ଅଗ୍ନିଶମ ବିଭାଗକୁ ଫୋନ୍ କରି ସବୁ କହିଲେ।

ସୁଖର କଥା, ଖବର ପାଇ ୧୫-୨୦ ମିନିଟ୍ ଭିତରେ ଗାଡ଼ି ନେଇ ଅଗ୍ନିଶମ ବିଭାଗର ୮-୯ ଜଣ କର୍ମଚାରୀ ଆସି ପହଞ୍ଚିଲେ। ଜଣେ ଲମ୍ବା ଶିଡ଼ିରେ ବିଲେଇ ପାଖକୁ ଗଲେ। ବିଲେଇଟି ଭୟରେ ତଳକୁ ଡିଆଁମାରି ଜୀବନ ହାରିବାର ଆଶଙ୍କା ଥିବାରୁ ତଳେ ଦରିକୁ ଧରି ଅନ୍ୟ କିଛି କର୍ମଚାରୀ ଠିଆ ହୋଇ ରହିଲେ। ଅବଶ୍ୟ ସେମିତି କିଛି ଘଟିଲାନାହିଁ। ଶେଷରେ ବିଲେଇଟି ଯେତେବେଳେ ଗୋଟିଏ ପ୍ଲାଷ୍ଟିକ୍ ବାଲ୍‌ଟିରେ ଝୁଲିଝୁଲି ତଳକୁ ଆସିଲା, ଉପସ୍ଥିତ ଲୋକେ ଖୁସିରେ ତାଳି ମାରିଲେ। ମଜାକଥା ହେଉଛି, ବାଲ୍‌ଟି ତଳେ ପହଞ୍ଚିବା ପୂର୍ବରୁ ହିଁ ବିଲେଇ ତା’ ଭିତରୁ ଲମ୍ଫଦେଇ ଚମ୍ପଟ ମାରିଲା।

ସମ୍ବନ୍ଧିତ ଖବର