ରାୟଗଡ଼ା (ପ୍ରେମେନ୍ଦ୍ର ପରିଛା): ରାୟଗଡା ଜିଲ୍ଲାରେ ପ୍ରଚୁର କପାଚାଷ କରାଯାଏ।ଏହାକୁ ଧଳା ସୁନା ରୂପେ ମଧ୍ୟ ବିବେଚିତ କରାଯାଇଛି।ରାୟଗଡା ଜିଲ୍ଲାର ଅର୍ଦ୍ଧାଧିକ ଚାଷୀ କପା ଚାଷ ଉପରେ ନିର୍ଭର କରନ୍ତି।ଧାନ ମୂଖ୍ୟ ଫସଲ ହୋଇଥିଲେ ମଧ୍ୟ କପା ବେଶ ଲାଭଜନକ ବ୍ୟବସାୟ ହୋଇଥିବାରୁ ଚାଷୀ ଏହି ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି।ତେବେ ଜିଲ୍ଲାରେ କପା ଚାଷୀଙ୍କ ପାଇଁ ସରକାରଙ୍କ ତରଫରୁ ୨୦୨୨ ନଭେମ୍ବର ୧୮ ତାରିଖରୁ ରାୟଗଡା ଏବଂ ଗୁଣୁପୁର ମଣ୍ଡିର ବ୍ୟବସ୍ଥା ହୋଇଥିଲେ ମଧ୍ୟ ସେହି ମଣ୍ଡିକୁ ଚାଷୀ ଯାଉନଥିବା ଦେଖିବାକୁ ମିଳିଛି।ମଣ୍ଡି ଏବେ ଶୂନଶାନ ପାଲଟିଛି।କପା ଚାଷୀଙ୍କ ଭିଡ ନାହିଁ କି କପା ବିକ୍ରି କରିବା ପାଇଁ କୌଣସି ପ୍ରତିଯୋଗିତା ନାହିଁ।ପ୍ରକାଶ ଥାଉକି ରାୟଗଡା କପା ଆନ୍ତର୍ଜାତିକ ବଜାରରେ ବେଶ ଚାହିଦା ରହିଛି।ଦେଶ ଏବଂ ବିଦେଶର ସୂତାକଳ ମାଲିକମାନେ କପା କିଣିବା ପାଇଁ ରାୟଗଡା ମୁହାଁ ହେଉଥିବା ଦେଖିବାକୁ ମିଳିଛି।ସରକାରୀ ମଣ୍ଡିରେ କପାର ମୂଲ୍ୟ ଚାଷୀଙ୍କୁ ସୁହାଉନଥିବା ବେଳେ ଚାଷରେ ବ୍ୟବହୃତ ରାସାୟନିକ ସାର,କୀଟନାଶକ ଔଷଧ ଇତ୍ୟାଦିର ଦର ଆହେତୁକ ଭାବେ ବୃଦ୍ଧି ପାଉଥିବାରୁ ସରକାରଙ୍କର ନିର୍ଦ୍ଧାରିତ ଦର ସହ ଚାଷୀ ଏକମତ ନୁହନ୍ତି।
ରାୟଗଡା ଜିଲ୍ଲାର ଦୁର୍ଗମ ଅଂଚଳରେ କପା ଚାଷ ଜୋରସୋରରେ ହେଉଛି।ତେବେ ଦୁର୍ଗମ ଅଂଚଳରୁ କପା ଆଣି ମଣ୍ଡିରେ ପହଞ୍ଚାଇବା ଏବଂ କୁଲି ମଜୁରୀ ବାବଦକୁ ବହୁ ଟଂକା ଖର୍ଚ୍ଚ ହେଉଥିବା ତଥା ମଣ୍ଡିରେ ସରକାରୀ ଦର ଠାରୁ କପାର ମୂଲ୍ୟ ବାହାରେ ଯଥେଷ୍ଟ ଅଧିକା ଥିବାରୁ ଚାଷୀ ମଣ୍ଡିକୁ ନଆସି ବାହାରେ କପା ବିକ୍ରି କରିପାକୁ ପସନ୍ଦ କରୁଛନ୍ତି।ସରକାରୀ ମଣ୍ଡିରେ କପାର ସହାୟକ ମୂଲ୍ୟ ୬,୩୮୦ ଟଂକା ଥିବା ବେଳେ ବାହାରେ ଏହାର ମୂଲ୍ୟ ୮ ହଜାରରୁ ୯ ହଜାର ଟଂକା ରହିଛି।ଏପରିକି ସୂତାକଳ ମାଲିକମାନେ କପା ଚାଷୀଙ୍କ ଘର ଆଗରେ ଗାଡି ଲଗାଇ କପା ଖରିଦ କରି ନେଉଛନ୍ତି।ଯାହାକୁ ଚାଷୀ ସ୍ବାଗତ କରିବା ସହ ବେଶ ଦିପଇସା ରୋଜଗାର କରିପାରୁଛି।ମଣ୍ଡିରେ କପା ବିକ୍ରି କରିବା ପାଇଁ ଚଳିତ ବର୍ଷ ୪,୩୨୬ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଜଣେ ବି ଚାଷୀ ମଣ୍ଡିକୁ କପା ନେଇ ଯାଇନଥିବା ଦେଖିବାକୁ ମିଳିଛି।ତେବେ ସରକାରଙ୍କୁ ମିଳୁଥିବା ଏକ ପ୍ରତିଶତ ସେସ ମଧ୍ୟ ହରାଉଥିବା କୁହାଯାଇଛି।ମଣ୍ଡି ଏବେ ଖାଁ ଖାଁ ହୋଇପଡିଛି।
ରିପୋର୍ଟ ଅନୁଯାୟୀ କାଶୀପୁର ବ୍ଲକରେ ୧୦୦ ହେକ୍ଟର ଜମିରେ କପା ଚାଷ କରାଯାଉଥିବା ବେଳେ ରାୟଗଡା ବ୍ଲକରେ ୫,୨୪୦ ହେକ୍ଟର,କୋଲନରା ବ୍ଲକରେ ୫ ହଜାର ହେକ୍ଟର,କଲ୍ୟାଣସିଂହପୁର ବ୍ଲକରେ ୩,୯୫୦ ହେକ୍ଟର,ଗୁଣୁପୁର ବ୍ଲକରେ ୭୦୮୦ ହେକ୍ଟର,ପଦ୍ମପୁର ବ୍ଲକରେ ୨,୭୦୦ ହେକ୍ଟର,ଗୁଡାରୀ ବ୍ଲକରେ ୪୦୨୫ ହେକ୍ଟର,ବିଷମକଟକ ବ୍ଲକରେ ୫୦୧୫ ହେକ୍ଟର,ମୁନିଗୁଡା ବ୍ଲକରେ ୩୦୧୭ ହେକ୍ଟର,ଚନ୍ଦ୍ରପୁର ବ୍ଲକରେ ୩୪୦ ହେକ୍ଟର ଜମିରେ କପାଚାଷ କରାଯାଉଥିବା ଜଣାପଡିଛି।ସମୁଦାୟ ଜିଲ୍ଲାରେ ୪୫ ହଜାର ୯୬୭ ହେକ୍ଟର ଜମିରେ କପା ଚାଷ କରାଯାଉଥିବା ବେଳେ ୬ ଲକ୍ଷ ୮୯ ହଜାର ୫୦୫ କ୍ବିଣ୍ଟାଲ କପା ଚାଷ ଉତ୍ପାଦନ ହେଉଛି।ସୂଚନାଯୋଗ୍ୟ ଯେ ଗତ ୨୦୨୧-୨୨ ମସିହାରେ ଜଣେ ବି ଚାଷୀ ମଣ୍ଡିରେ ପାଦ ପକାଇନଥିବାରୁ ଭାରତୀୟ କପାସ ନିଗମ କପା କିଣିପାରିନଥିଲା।ଚଳିତ ବର୍ଷ ୨୦୨୨-୨୩ରେ ଆରଏମସି ତରଫରୁ ଖୋଲାଯାଇଥିବା ରାୟଗଡା ମଣ୍ଡିରେ ଜଣେ ବି ଚାଷୀ କପା ବିକ୍ରି କରିନଥିବା ବେଳେ ଗୁଣୁପୁର ମଣ୍ଡିରେ ମାତ୍ର ୩୨୫ ଜଣ ଚାଷୀ ୧୧,୭୫୨ କ୍ବିଣ୍ଟାଲ କପା ବିକ୍ରି କରିଥିବା ଜଣାପଡିଛି।ଯାହାଦ୍ବାରା ସମୁଦାୟ ମୂଲ୍ୟର ଉପରୁ ସରକାର ପାଉଥିବା ଏକ ପ୍ରତିଶତ ସେସ ହରାଉଛନ୍ତି।ଏନେଇ କୌଣସି ଅଧିକାରୀ ମୁହଁ ଖୋଲୁନଥିବା ବେଳେ ରାୟଗଡା ବିଧାୟକ ମଣ୍ଡି ଉପରେ ଅଙ୍ଗୁଳି ଉଠାଇଛନ୍ତି।ଯଥାଶୀଘ୍ର ସରକାରଙ୍କ ସହ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି।