ଜାଲ ସାର୍ଟିଫିକେଟ୍‌ଧାରୀ ଶିକ୍ଷକଙ୍କୁ ଧର, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମୀକ୍ଷା ବୈଠକରେ ନିର୍ଦେଶ

ଭୁବନେଶ୍ୱର : ଜାଲ୍‌ ସାର୍ଟିଫିକେଟ୍‌ ଦାଖଲ କରି ଶିକ୍ଷକ ଶିକ୍ଷୟିତ୍ରୀ ଚାକିରି କରିଛନ୍ତି। ଜଣେ କି ଦୁଇ ଜଣ ନୁହନ୍ତି। ୩୦ ଜିଲ୍ଲାରେ ୫୦୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି। ସେମାନଙ୍କୁ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୦୦ରୁ ଅଧିକ ନକଲି ଶିକ୍ଷକ ଧରାପଡ଼ିବା ପରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଗଣଶିକ୍ଷା ବିଭାଗ। କୌଣସି ପରିସ୍ଥିତିରେ ବେଆଇନ ନିଯୁକ୍ତିକୁ ବରଦାସ୍ତ ନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି), ସମଗ୍ର ଶିକ୍ଷା ଓ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ସମୀକ୍ଷା ବୈଠକ ନିର୍ଦେଶ ଦିଆଯାଇଛି।

କେବଳ ସେତିକି ନୁହେଁ, ବହୁଦିନ ଧରି ଅନୁପସ୍ଥିତ ଥିବା କର୍ମଚାରୀ ଓ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କୁହାଯାଇଛି। ଆବଶ୍ୟକ ହେଲେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବାକୁ କୁହାଯାଇଛି। ଏହାବ୍ୟତୀତ ବୈଠକରେ ନାସ୍‌(ଏନ୍‌ଏଏସ୍‌) ପରୀକ୍ଷା ପାଇଁ ଛାତ୍ରୀଛାତ୍ରୀଙ୍କୁ ପ୍ରସ୍ତୁତି, ଓମ୍‌ବାଡ୍‌ସି ଓ ଜିଲ୍ଲା ଖଣିଜ ପାଣ୍ଠିର ଉପଯୋଗ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଦି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷମାନେ ନିୟମିତ ଶିକ୍ଷା ରୁଟିନ୍‌ ଅନୁଯାୟୀ ଶିକ୍ଷାଦାନ, ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରେ ଇ-ପାଠଶାଳା ଓ ଇ-ମୂଲ୍ୟାୟନର ବ୍ୟାପକତା, ଶିକ୍ଷାର ଭିତ୍ତିଭୂମି ସୁଦୃଢ଼, ଡିଜିଟାଲ୍‌ ଶିକ୍ଷା ଆଦି ଉପରେ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ଗୁରୁତ୍ୱ ଦେଇଥିଲେ। ଗଣଶିକ୍ଷା ବିଭାଗ ଦ୍ୱାରା କ୍ୟାରିୟର କାଉନ୍‌ସେଲିଂ ପୋର୍ଟାଲର ବ୍ୟାପକ ଉପଯୋଗ ନେଇ ଶ୍ରୀ ସାହୁ କହିଲେ କୃତୀ ଛାତ୍ରଛାତ୍ରୀଙ୍କୁ ସଠିକ୍‌ ମାର୍ଗରେ ନିୟନ୍ତ୍ରଣ କରାଗଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ ପୂରଣ ହେବ। ‘ମୋ ସ୍କୁଲ’ ଅଭିଯାନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପାନ୍ତରଣ ନିମନ୍ତେ ପାଖାପାଖି ୭୫୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ପୁରାତନ ଛାତ୍ରଛାତ୍ରୀ ଓ ଅନ୍ୟ ଅଂଶୀଦାରଙ୍କ ସହଯୋଗରେ କରିବାକୁ ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶଦାତା ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଉପେନ୍ଦ୍ର ପ୍ରସାଦ ତ୍ରିପାଠୀ ଉପସ୍ଥିତ ରହି ଆଦର୍ଶ ବିଦ୍ୟାଳୟ ଉପରେ ଦିଗ୍‌ଦର୍ଶନ ଦେଇଥିଲେ। ବୈଠକରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର