ଟିଆର୍‌ପି ଜାଲିଆତି ଧରାପଡ଼ିଲା

ବାର୍କ ପ୍ୟାନେଲ୍‌ରେ ଟାମ୍ପରିଂ, ବେଙ୍ଗାଲୁରୁରେ ୫ ଗିରଫ, ଓଡ଼ିଶାରେ କେବେ?

ଭୁବନେଶ୍ୱର: ଅନେକ ଖବରକାଗଜ ନିଜର ପ୍ରସାର ସଂଖ୍ୟାକୁ ପ୍ରକୃତ ସଂଖ୍ୟାଠାରୁ ଅଧିକ କରି ଦେଖାଇବା ପାଇଁ ବିଭିନ୍ନ ଏଜେନ୍ସି ଜରିଆରେ ଚଞ୍ଚକତାପୂର୍ଣ୍ଣ ଭାବେ ନିଜ ସପକ୍ଷରେ ରିପୋର୍ଟ ପ୍ରସ୍ତୁତ କରିବା ବିଷୟ କାହାକୁ ଅଛପା ନୁହେଁ। ତେବେ ଏଭଳି ଜାଲିଆତି କେବଳ ଖବରକାଗଜଗୁଡ଼ିକ କ୍ଷେତ୍ରରେ ସୀମିତ ନାହିଁ। ଏହି ଧାରା ଏବେ ଟିଭି ଚ୍ୟାନେଲ୍‌ଗୁଡ଼ିକ ବି ଆପଣାଇଛନ୍ତି। ବିଜ୍ଞାପନଦାତାଙ୍କୁ ପ୍ରଭାବିତ କରିବା ପାଇଁ ଚ୍ୟାନେଲଗୁଡ଼ିକ ମଧ୍ୟରେ ଅଧିକ ଟିଆର୍‌ପି/ଟିଭିଆର୍‌ ହାସଲ ଲାଗି ଯେଉଁ ପ୍ରତିଯୋଗିତା ଚାଲିଛି ସେଥିରେ ମଧ୍ୟ ଜାଲିଆତି ସାମ୍ନାକୁ ଆସିଛି। ବ୍ରଡ୍‌କାଷ୍ଟ ଅଡିଆନ୍ସ ରିସର୍ଚ କାଉନ୍‌ସିଲ ଇଣ୍ଡିଆ (ବାର୍କ) ଦେଶରେ ଟିଭିଆର୍‌ ରେଟିଂ କରୁଥିବା ଏକ ଜଣାଶୁଣା ସଂସ୍ଥା ହୋଇଥିବାବେଳେ ଟିଭି ଦର୍ଶକ ତଥ୍ୟରେ ଟାମ୍ପରିଂ କରିବା ଅଭିଯୋଗରେ ବେଙ୍ଗାଲୁରୁରୁ ସାଇବର କ୍ରାଇମ୍‌ ପୁଲିସ ୫ଜଣଙ୍କୁ ଗିରଫ କରିଛି। ଏଥିରେ ଜଣେ ସିରିଏଲ ପ୍ରଡ୍ୟୁସର ଓ ତାଙ୍କର ୪ଜଣ ସହଯୋଗୀ ରହିଛନ୍ତି। ନିଜ ଦର୍ଶକ ସଂଖ୍ୟାକୁ ଅଧିକ ଦେଖାଇବା ଲାଗି ଓଡ଼ିଶାରେ ମଧ୍ୟ ବହୁ ଟିଭି ଚ୍ୟାନେଲ ଏହିଭଳି ଜାଲିଆତି କରୁଥିବାର ଅଭିଯୋଗ ବାରମ୍ବାର ଆସୁଛି। ତେଣୁ ବେଙ୍ଗାଲୁରୁ ଭଳି ଓଡ଼ିଶାରେ ଏଭଳି ଜାଲିଆତିରେ ସାମିଲ ଚ୍ୟାନେଲ କର୍ତୃପକ୍ଷ ଓ ମିଥ୍ୟା ଟିଆରପି ରେଟିଂ ପ୍ରଦାନକାରୀ ସଂସ୍ଥା ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ନେଇ ଚର୍ଚା ଆରମ୍ଭ ହୋଇଛି। କେଉଁ ଚ୍ୟାନେଲ୍‌ କେତେ ଅଧିକ ଲୋକ ଦେଖୁଛନ୍ତି, କେଉଁ ଧାରାବାହିକ ଅଧିକ ଲୋକପ୍ରିୟ, କେଉଁ କାର୍ଯ୍ୟକ୍ରମର ଦର୍ଶକ ସଂଖ୍ୟା କେତେ ଏହାକୁ ମାପିବା ପାଇଁ ବାର୍କ ପକ୍ଷରୁ ଯେଉଁ ବ୍ୟବସ୍ଥା ରହିଛି, ତାହାର ବିଶ୍ୱସନୀୟତର ଉପରେ ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ସାଧାରଣତଃ ଗୋଟିଏ ଚ୍ୟାନେଲରେ ପ୍ରସାରିତ କୌଣସି ଏକ କାର୍ଯ୍ୟକ୍ରମର ଜାଣିବା ଲୋକପ୍ରିୟତା ଜାଣିବା ପାଇଁ ଟିଭି ରେଟିଂ ପଏଣ୍ଟ ବା ଟିଭିଆରକୁ ବିଚାରକୁ ନିଆଯାଇଥାଏ। ଏଥିପାଇଁ ବାର୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ମିଟର ଲଗାଯାଇ ଏହାର ତଥ୍ୟ ସଂଗ୍ରହ କରାଯାଇଥାଏ ବୋଲି ଦାବି କରାଯାଇଥାଏ। ଯେଉଁ ଚ୍ୟାନେଲ୍‌ର ଅଧିକ ଟିଭିଆର ରହିଥାଏ ସେ ଚ୍ୟାନେଲ୍‌କୁ ଅଧିକ ବ୍ୟବସାୟ ମିଳିଥାଏ। ବିଜ୍ଞାପନଦାତାମାନେ ବି ଏହି ସର୍ଭେ ରିପୋର୍ଟ ଦେଖି ଅଧିକ ଲୋକଙ୍କ ପାଖରେ ନିଜ ଉତ୍ପାଦକୁ ପହଞ୍ଚାଇବାକୁ ବିଜ୍ଞାପନ ଦେଇଥାନ୍ତି। ଏ ଦୃଷ୍ଟିରୁ ଟିଭିଆରକୁ ଯେ କୌଣସି ଟିଭି ଚ୍ୟାନେଲ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ତେବେ ଏହି ଟିଭିଆରରେ ବ୍ୟାପକ ହେରଫେର କରାଯାଉଥିବା ବିଭିନ୍ନ ଟିଭି ଚ୍ୟାନେଲ୍‌ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଛି। ବେଙ୍ଗାଲୁରୁରେ କିଛି ନୂଆ ଚ୍ୟାନେଲ ରାତାରାତି ନିଜର ଟିଭିଆର ବଢ଼ାଇବା ପାଇଁ ଏଭଳି ଅସାଧୁ ଉପାୟ ଅବଲମ୍ବନ କରୁଥିବା ନଜରକୁ ଆସିଥିଲା। ଲୋକଙ୍କୁ ପ୍ରଭାବିତ କରି କେତେକ ନିର୍ଦ୍ଦିଷ୍ଟ ଚ୍ୟାନେଲ ଦେଖିବା ପାଇଁ ବି ବାଧ୍ୟ କରୁଥିଲେ। ଏପରିକି ଟେଲି ସପିଂ ଭଳି କାର୍ଯ୍ୟକ୍ରମ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଅଧିକ ଦର୍ଶକୀୟ ଆଦୃତି ଲାଭ କରୁଥିବା ଟିଭିଆର୍‌ରୁ ଜଣାପଡ଼ିଥିଲା। ଏଭଳି ହେରଫେର ସଂପର୍କରେ ବାର୍କର ଭିଜିଲାନ୍‌ସ ସେଲକୁ ତଥ୍ୟ ପ୍ରଦାନ କରାଯିବା ପରେ ବାର୍କ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି।

ଓଡ଼ିଶାରେ ମଧ୍ୟ ଏହିଭଳି ଜାଲିଆତି ହେଉଥିବା ଅଭିଯୋଗ ହୋଇ ଆସୁଛି। ହେଲେ ଆଜି ପର୍ଯ୍ୟନ୍ତ ଏହିଭଳି ଚ୍ୟାନେଲ୍‌କୁ ଧରିବା ପାଇଁ ବାର୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି। ଏବେ ବେଙ୍ଗାଲୁରରେ ଟିଭି ଦର୍ଶକ ତଥ୍ୟରେ ଜାଲିଆତି ହେଉଥିବା ଜଣାପଡ଼ିବା ପରେ ଓଡ଼ିଶାରେ ଖୁବ୍‌ ଶୀଘ୍ର ଏନେଇ ଧରପଗଡ଼ ହେବ ବୋଲି ଖବର ମିଳିଛି।

ସମ୍ବନ୍ଧିତ ଖବର