ରାଧାଦାମୋଦରପୁର ପ୍ଲାଣ୍ଟ୍‌ରେ ଆରମ୍ଭ ହେଲା ଉତ୍ପାଦନ

୩ ମାସ ପରେ ଖୋଲିଲା ରାଜ୍ୟର ପ୍ରଥମ ଗୋଖାଦ୍ୟ କାରଖାନା

କଟକ : କଟକ ଆଠଗଡ ବ୍ଲକ୍‌ ଅନ୍ତର୍ଗତ ରାଧାଦାମୋଦରପୁରଠାରେ ଥିବା ରାଜ୍ୟର ପ୍ରଥମ ଗୋଖାଦ୍ୟ କାରଖାନା ୩ ମାସ ପରେ ଖୋଲିଛି। କଞ୍ଚାମାଲର ଅଭାବ, ବାରମ୍ବାର ଇ-ଟେଣ୍ଡର ସତ୍ତ୍ବେ ଟେଣ୍ଡର ହେଉନଥିବା ଓ ପରିଚଳନାଗତ ଅବ୍ୟବସ୍ଥା ପାଇଁ ଅଶୀ ଦଶକର ଏ ଶିଳ୍ପାନୁଷ୍ଠାନ ରୁଗ୍‌ଣ ଅବସ୍ଥାକୁ ଆସିଯାଇଥିଲା। ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ତତ୍ପରତା ପ୍ରକାଶ ପାଇଥିଲା। ପଦକ୍ଷେପସ୍ବରୂପ କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଆଠଗଡ ବ୍ଲକ୍‌ ଅନ୍ତର୍ଗତ ରାଧାଦାମୋଦରପୁରଠାରେ ୧୯୮୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିଲା ଓମ୍‌ଫେଡ଼୍‌ ଗୋ-ଖାଦ୍ୟ କାରଖାନା। ଏହାଥିଲା ଓଡ଼ିଶା‌େର ପ୍ରଥମ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ଏକମାତ୍ର ଗୋ-ଖାଦ୍ୟ କାରଖାନା। ଏହି କାରଖାନା ପାଇଁ ଆଖପାଖ ଦଶ ଖଣ୍ଡ ମୌଜାର ପ୍ରାୟ ଦେଢଶହ ପରିବାର ନିଜର ଭୋକିଲା ପେଟକୁ ଦାନା ପାଉଥିଲେ। ଓଡିଶାରେ ୧୯୮୨ରେ ଏହାର ଭିତ୍ତପ୍ରସ୍ତର ସ୍ଥାପନ କରାଯାଇଥିବାବେଳେ ୧୯୮୪ ଡିସେମ୍ବରରେ ଆରମ୍ଭ ହୋଇଥିଲା ଏହି ପ୍ଲାଣ୍ଟ୍‌ରୁ ଉତ୍ପାଦନ।

ପ୍ରଥମ ପର୍ଯ୍ୟାୟରେ ମାସିକ ସାଢେ ୪ରୁ ୫ହଜାର ମେଟ୍ରିକ୍‌ଟନ୍‌ ଗୋଖାଦ୍ୟ ଉତ୍ପାଦନ ହେଉଥିଲା। କିନ୍ତୁ ଗତ ୫ବର୍ଷ ହେଲା ୨ହଜାରରୁ ଅଢେଇ ହଜାରକୁ ଖସିଆସିଛି ଉତ୍ପାଦନ ହାର। ତେବେ କଞ୍ଚାମାଲର ଅଭାବ ଯୋଗୁଁ ଦିନକୁ ଦିନ ଉତ୍ପାଦନ ହାର କମୁଥିବାବେଳେ ବଡ ସମସ୍ୟା ହେଉଛି ବାରମ୍ବାର ମକା, କୁଣ୍ଡା ତଥା ଗୋଖାଦ୍ୟ ତିଆରି ପାଇଁ ବ୍ୟବହାର ହେଉଥିବା କଞ୍ଚାମାଲ ଯୋଗାଣ ପାଇଁ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରୁ ଟେଣ୍ଡର କରାଯାଉଛି। କିନ୍ତୁ କଞ୍ଚାମାଲର ଦରବୃଦ୍ଧି ଓ ଯେଉଁ ହିସାବରେ ଟେଣ୍ଡର ‌ଦର ରହୁଛି ତାକୁ ନେଇ କେହି ଟେଣ୍ଡର ନେଉନାହାନ୍ତି। ଫଳରେ କଞ୍ଚାମାଲ କାରଖାନାକୁ ଆସିପାରୁନଥିବାରୁ ବର୍ଷକର ଅଧାଦିନ କାରଖାନାରେ ତାଲା ଝୁଲୁଛି। ଏଭଳି ସ୍ଥିତିରେ ଦେବାଳିଆ ଅବସ୍ଥାକୁ ଆସିଯାଇଛି ଏହି ଶିଳ୍ପ। ଏ ସଂକ୍ରାନ୍ତରେ ଖବର ପ୍ରକାଶନ ପରେ ଏହାର ଟେଣ୍ଡର କରାଯାଇଥିଲା। ଖୁବ୍‌ଶୀଘ୍ର ଟେଣ୍ଡର ନେଇଥିବା ସଂସ୍ଥା କଂଚାମାଲ ଯୋଗାଇବେ ବୋଲି ଜଣାପଡିଛି। ତେବେ ଆଜି ସକାଳୁ ପ୍ଲାଣ୍ଟରେ ପୁଣି ଉତ୍ପାଦନ ଆରମ୍ଭ ହୋଇଥିବା ପ୍ଲାଣ୍ଟର ଜେନେରାଲ ମ୍ୟାନେଜର କିଶୋର କୁମାର ଜେନା ସୂଚନା ଦେଇଛନ୍ତି। ଏଥିସହ ଖୁବ୍‌ଶୀଘ୍ର ଫୁଲନଖରା ଗୋଖାଦ୍ୟପ୍ଲାଣ୍ଟରେ ମଧ୍ୟ ଉତ୍ପାଦନ ଆରମ୍ଭ ହେବ ବୋଲି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର