ବାଲେଶ୍ବର/ବାହାନଗା/ଖନ୍ତାପଡ଼ା: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଛକରେ ଗତକାଲି ବିଳମ୍ବିତ ରାତିରେ ଗୋରୁ ମାଫିଆ ଆତଙ୍କ ସୃଷ୍ଟି କରିଛନ୍ତି। ମାଫିଆମାନେ ଢେଲାପଥର ମାଡ଼ ସହ ଖଣ୍ଡା ବୁଲାଇବା ଓ ଗୁଳି ଚାଳନା କରି ଲୋକଙ୍କୁ ଭୟଭୀତ କରିଛନ୍ତି। ଲୋକଙ୍କ ଦୋକାନ ସହ ଏକାଧିକ ଗାଡ଼ିକୁ ଭାଙ୍ଗି ଦିଆଯାଇଛି। ତେବେ ପୁଲିସ ବିଳମ୍ବରେ ସେଠାରେ ପହଞ୍ଚିବାରୁ ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ରାସ୍ତାରୋକ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବାସୁଦେବପୁରରୁ ବାଲେଶ୍ବର ଭାୟା ବାହାନଗା ଦେଇ ଗତକାଲି ରାତିରେ ଏକ ଗୋରୁ ବୋଝେଇ ଗାଡ଼ି ଆସୁଥିବା ବେଳେ କିଛି ଯୁବକ ଅଟକାଇବାକୁ ଚେଷ୍ଟା କରିଥିଲେ। ଗୋରୁ ମାଫିଆ ମାରଣାସ୍ତ୍ର ଧରି ସେମାନଙ୍କୁ ଆକ୍ରମଣ କରୁଥିବା ବେଳେ ଭାରସାମ୍ୟ ହରାଇ ଗୋରୁ ବୋଝେଇ ଗାଡ଼ିଟି ଶ୍ରୀଜଙ୍ଗ ଛକ ରାସ୍ତାପାର୍ଶ୍ବରେ ଥିବା ଏକ ସେଲୁନ୍ ଉପରେ ଚଢ଼ି ଯିବାରୁ ଦୋକାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଫଳରେ ସ୍ଥାନୀୟ ଲୋକ ଏକାଠି ହୋଇ ଗୋରୁ ମାଫିଆଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ତେବେ ଗୋରୁ ମାଫିଆଙ୍କୁ ସୁରକ୍ଷା ଦେବାପାଇଁ ଅଧଘଣ୍ଟା ମଧ୍ୟରେ ୨୦ରୁ ଊର୍ଦ୍ଧ୍ବ ବାଇକ୍ରେ ବିଭିନ୍ନ ମାରଣାସ୍ତ୍ର
ଧରି ୩୦ରୁ ଅଧିକ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ସ୍ଥାନୀୟ ଲୋକଙ୍କ ୫ଟି ବାଇକ୍ ଓ ଏକ କାର୍କୁ ଖଣ୍ଡାରେ ହାଣିବା ସହ ବନ୍ଧୁକରୁ ଗୁଳି ଫୁଟାଇଥିଲେ। ଏହି ସମୟରେ ଯାତ୍ରା ଦେଖି ଫେରୁଥିବା ଲୋକଙ୍କୁ ମଧ୍ୟ ମାଫିଆମାନେ ଆକ୍ରମଣ କରିଥିଲେ। ଲୋକମାନେ ଭୟଭୀତ ହୋଇପଡ଼ିବାରୁ ଗୋରୁ ବୋଝେଇ ଗାଡ଼ି ନେଇ ସେଠାରୁ ଫେରାର ହୋଇଯାଇଥିଲେ।
ପୁଲିସ ନିଷ୍କ୍ରିୟତା ବିରୋଧରେ ରାସ୍ତାରୋକ, ଭଙ୍ଗାରୁଜା
ଘଟଣା ସମ୍ପର୍କରେ ଜୟଦେବକସବା ଫାଣ୍ଡି ଏବଂ ଖନ୍ତାପଡ଼ା ଥାନାକୁ ଖବର ଦିଆଯାଇଥିଲେ ମଧ୍ୟ ପୁଲିସ ବହୁସମୟ ପର୍ଯ୍ୟନ୍ତ କୌଣସି ତତ୍ପରତା ଦେଖାଇନଥିଲା। ଫଳରେ ଲୋକେ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ପୁଲିସ ପହଞ୍ଚିବାରୁ ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। କିଛି ଅସାଧୁ ପୁଲିସ କର୍ମଚାରୀ ମାଫିଆଙ୍କଠାରୁ ଅର୍ଥ ନେଇ ବେଆଇନ୍ କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା ଲୋକେ ଖୋଲାଖୋଲି ଅଭିଯୋଗ କରିଥିଲେ। ଶ୍ରୀଜଙ୍ଗଠାରୁ ଥାନା ମାତ୍ର ୧୦ କିଲୋମିଟର ଦୂରରେ ଥିବା ସତ୍ତ୍ବେ ପୁଲିସ ଆସିବାକୁ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ନେଇଥିଲା। ଯାହାଫଳରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା ଓ ସାଧାରଣ ଲୋକେ ଆକ୍ରମଣର ଶିକାର ହେଲେ ବୋଲି ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ସକାଳ ଠାରୁ ରାସ୍ତାରୋକ କରିଥିଲେ।
ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବଜ୍ୟୋତି ଦାସ, ସଦର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ନାୟକ, ଖନ୍ତାପଡ଼ା ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଟାଉନ ଥାନା ଏସ୍ଆଇ ବିରଞ୍ଚି ନାରାୟଣ ସାହୁ ଓ ଶୁଭେନ୍ଦୁ ମିଶ୍ର ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସଲ୍ଟ ରୋଡ୍ରେ ନାଇଟ୍ ପାଟ୍ରୋଲିଂ, ଗୋରୁ ମାଫିଆଙ୍କ ଦ୍ବାରା ନଷ୍ଟ କରାଯାଇଥିବା ଦୋକାନ ଓ ଗାଡ଼ିଗୁଡ଼ିକର ସମ୍ପୂର୍ଣ୍ଣ କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଫଳରେ ୬ ଘଣ୍ଟା ଧରି ଚାଲିଥିବା ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।