ଗୋ-ସୁରକ୍ଷା‌ ପ୍ରସଂଗକୁ ନେଇ ମାମଲା: ଗୃହ ସଚିବ, ପୁଲିସ ଡିଜିଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ଗୋ-ହତ୍ୟା ଓ ବେଆଇନ ଗୋ ଚାଲାଣ ରୋକିବା ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାରେ ହାଇକୋର୍ଟ ରାଜ୍ୟ ଗୃହ ସଚିବ, ପୁଲିସ ଡିଜି ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଗୋ ସୁରକ୍ଷା ପାଇଁ ଓଡ଼ିଶା ପ୍ରି‌ଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ଓ ଏ ସଂପର୍କିତ ୧୯୬୦ର ନିୟମାବଳୀ ରହିଛି। କିନ୍ତୁ ଆଇନ ଓ ନିୟମାବଳୀ କଡ଼ାକଡ଼ି ପାଳନ କରାଯାଉ ନାହିଁ ବୋଲି ଅଭିଯୋଗ କରି ହାଇକୋର୍ଟରେ ଏହି ମାମଲା ଦାୟର ହୋଇଛି। ଅନ୍ୟ ରାଜ୍ୟରେ ଗୋ ସୁରକ୍ଷା ପ୍ରସଂଗରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଓଡ଼ିଶାରେ କିନ୍ତୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଫଳରେ ଗୋ ହତ୍ୟା ଓ ଗୋ ଚାଲାଣ ଭଳି ଘଟଣା ରାଜ୍ୟରେ ବୃଦ୍ଧି ପାଇଛି।

ବୟସ୍କ ଗାଈ, ବଳଦ ସହିତ ବାଛୁରି ମଧ୍ୟ ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲାଣ କରାଯାଉଛି। ଏପରି ପରିସ୍ଥିତିରେ ଗୋ ସୁରକ୍ଷା ପାଇଁ ସରକାର ଆଇନରେ ସଂଶୋଧନ ଆଣିବା ସହିତ ଏ ସଂପର୍କିତ ନିୟମ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଆବେଦନକାରୀ ନିବେଦନ କରିଛନ୍ତି। ଗୋ ହତ୍ୟା ଓ ଗୋ ଚାଲାଣ ରୋକିବାକୁ ସ୍ପେଶାଲ ଟାସ୍କଫୋର୍ସ ଗଠନ କରାଯିବାର ଆବଶ୍ୟକତା ରହିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇ ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ୨୧ଟି ବେଆଇନ ଗୋଚାଲାଣ ଓ ଗୋ-ହତ୍ୟା ସଂପର୍କିତ ମାମଲାର ତଥ୍ୟ ଦାଖଲ କରାଯାଇଛି। ରାଜ୍ୟ ବାହାରକୁ ଗୋ ଚାଲାଣ ନେଇ ଏହି ସବୁ ମାମଲାରୁ ସ୍ପଷ୍ଟ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର