ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଆମ୍ବଳିଅଠା ଓ ଲକ୍ଷ୍ମଣନାଥ ଟୋଲ୍‌ ପ୍ଲାଜାଠାରେ ୨ଟି କାର୍‌ରୁ ସୁନା ଓ ଟଙ୍କା ଜବତ କରିଛନ୍ତି ଜିଏସ୍‌ଟି ଓ ପୁଲିସ ବିଭାଗ। ଗୋଟିଏ କାର୍‌ରୁ ୧ କୋଟି ଟଙ୍କାର ସୁନା ମିଳିଥିବା ବେଳେ ଅନ୍ୟ କାର୍‌ରୁ ନଗଦ ୩ ଲକ୍ଷ ଟଙ୍କା ମିଳିଛି। ତେବେ ଜବତ ସୁନା ଓ ଟଙ୍କା କେଉଁଠୁ ଆସୁଥିଲା ଏବଂ କେଉଁଠିକୁ ଯାଉଥିଲା, ସେ ବାବଦରେ ଏଯାଏ କିଛି ସ୍ପଷ୍ଟ ହୋଇପାରିନି। ରାଜ୍ୟରେ ନିର୍ବାଚନକୁ ଆଖି ଆଗରେ ରଖି ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ବେଳେ ସିଟି ଆଣ୍ଡ ଜିଏସ୍‌ଟି ଟିମ୍‌ ଓ ଜଳେଶ୍ବର ପୁଲିସ ମିଳିତ ଭାବେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ବର ଥାନା ଆମ୍ବଳିଅଠା ନିକଟସ୍ଥ ନାକା ପଏଣ୍ଟ୍‌ରେ ଗାଡ଼ିମୋଟର ଯାଞ୍ଚ କରୁଥିଲେ। ଏହି ସମୟରେ ପଶ୍ଚିମବଙ୍ଗର କୋଲ୍‌କାତାରୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଭିମୁଖେ ଯାଉଥିବା ଗ୍ଲୋବାଲ୍‌ ପ୍ରେସିଆସ୍‌ ଲଜିଷ୍ଟିକ୍‌ କମ୍ପାନିର ଡବ୍ଲ୍ୟୁବି-୧୯-ଏଲ୍‌-୭୭୭୨ ନମ୍ବର ବିଶିଷ୍ଟ କାର୍‌କୁ ଅଧିକାରୀମାନେ ଅଟକାଇଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ୧୧ଟି ପ୍ୟାକେଟ୍‌ରେ ଥିବା ୧ କୋଟି ଟଙ୍କା ମୂଲ୍ୟର ୧.୫୭୮ କେଜି ସୁନା ମିଳିଥିଲା। ଗାଡ଼ିରେ ଥିବା ଚାଳକ ଓ ଗନ୍‌ମ୍ୟାନ୍‌ଙ୍କୁ ମିଶାଇ ମୋଟ ୩ ଜଣ କର୍ମଚାରୀ ସୁନା ବାବଦ ଆବଶ୍ୟକ କାଗଜପତ୍ର ଦେଖାଇ ପାରି ନଥିଲେ। ଫଳରେ ସୁନା ସହ କାର୍‌କୁ ଜବତ କରାଯାଇଥିଲା ଏବଂ ଜଳେଶ୍ବର ଥାନାକୁ ନିଆଯାଇଥିଲା। ସେଠାରେ ସିଟି ଆଣ୍ଡ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ୍‌ର ଆସିଷ୍ଟାଣ୍ଟ କମିସନ୍‌ର ରାକେଶ ମୁଦୁଲି, ଜଳେଶ୍ୱର ଆଇଆଇସି ରଞ୍ଜନ କୁମାର ସେଠୀ ଓ ଅନ୍ୟ ପଦାଧିକାରୀମାନଙ୍କ ଉପସ୍ଥିତିରେ ସଂପୃକ୍ତ କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା। ତେବେ ଖବର ଲେଖା ହେବା ଯାଏ ଜବତ ସୁନା କେଉଁଠୁ ଆସୁଥିଲା, କେଉଁଠିକୁ ଯାଉଥିଲା ଏବଂ ତାହା କେଉଁ କାମରେ ଲାଗିଥାଆନ୍ତା; ସେନେଇ କିଛି ଜଣାପଡ଼ିନି।

Advertisment

ସେହିପରି ଡବ୍ଳ୍ୟୁବି-୦୨-ଏଏଲ୍‌-୯୫୬୭ ନମ୍ବରର ଅନ୍ୟ ଏକ କାର୍‌ କୋଲ୍‌କାତାରୁ ବାଲେଶ୍ବର ଜିଲ୍ଲା ମାର୍କୋଣା ଅଭିମୁଖେ ଯାଉଥିଲା। ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ୍‌ ବେଳେ ଷ୍ଟାଟିକ୍‌ ସର୍ଭିଲାନ୍ସ ଟିମ୍‌ ଓ ଜଳେଶ୍ବର ପୁଲିସ ଉକ୍ତ କାର୍‌କୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ବର ଥାନା ଲକ୍ଷ୍ମଣନାଥ ଟୋଲ୍‌ ପ୍ଲାଜା ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡ଼ିରୁ ସାଢ଼େ ୩ ଲକ୍ଷ ଟଙ୍କା ମିଳିଥିଲା। ଡ୍ରାଇଭର ସହ କାର୍‌ରେ ଥିବା ପଶ୍ଚିମବଙ୍ଗ ପାଉଁଶକୁଡ଼ା ଅଞ୍ଚଳର ଠିକାଦାର ତପନ ଭୂୟାଁ ଟଙ୍କା ସଂପର୍କିତ କୌଣସି ପ୍ରମାଣ ଦେଖାଇ ପାରି ନଥିଲେ। ଫଳରେ ପୁଲିସ ଟଙ୍କା ଜବତ କରିବା ସହ ତଦନ୍ତ ଚଳାଇଛି।