ପୁରୀ: ମହାପ୍ରଭୁଙ୍କ ନାଁରେ ଆସିଥିବା ଭକ୍ତଙ୍କ ଅର୍ପଣ ଚାଉଳ ଏକ ଟାଟା ଏସିଇ ଗାଡ଼ିରେ ପୁରୀ ଗୋପାଳପୁରରେ ଥିବା ଏକ ଚାଉଳ ଗୋଦାମକୁ ଯିବାବେଳେ ଧରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ଓ କିଛି ସ୍ବେଚ୍ଛାସେବୀ। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପରେ ଗାଡ଼ି ଭର୍ତ୍ତି ଏହି ଅର୍ପଣ ଚାଉଳ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପୁନର୍ବାର ଖାଲି କରାଯିବା ସହ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଗଚ୍ଛିତ ରଖାଯାଇଥିବା ଜଣାପଡ଼ିଛି। ଭକ୍ତଙ୍କ ଅର୍ପଣ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରି ଶ୍ରୀମନ୍ଦିର ଚାରିଦ୍ବାରରେ ମାଗଣାରେ ବାଣ୍ଟିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ଜରିଆରେ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତିକ୍ରମେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଗଚ୍ଛିତ ଅର୍ପଣ ଚାଉଳ ଯୋଗାଣ ବିଭାଗ ଜରିଆରେ ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରାଯାଉଛି। ଆଜି ଓଡି-୧୩ୟୁ-୦୨୮୮ ନମ୍ବର ବିଶିଷ୍ଟ ଏକ ଟାଟା ଏସି ଗାଡ଼ିରେ ଅର୍ପଣ ଚାଉଳ ଭର୍ତ୍ତିହୋଇ ଗୋପାଳପୁର ଅଭିମୁଖେ ଯାଉଥିବା ବେଳେ ସିଦ୍ଧ ମହାବୀର ରେଳ ଫାଟକ ନିକଟରେ ସ୍ଥାନୀୟ ଅଞ୍ଚଳବାସୀ ଓ କିଛି ସ୍ବେଚ୍ଛାସେବୀ ଏହି ଗାଡ଼ିକୁ ଧରିଥିଲେ। ପଚରାଉଚରା ବେଳେ ଏହି ଚାଉଳ ଗୋପାଳପୁରର ଏକ ଚାଉଳ ଗୋଦାମକୁ ଯାଉଥିବା ଚାଳକ ଜଣକ ସ୍ବୀକାର କରିଥିଲେ। ପରେ ଏହି ଗାଡ଼ି ସହ ଚାଉଳକୁ ଶ୍ରୀଗୁଣ୍ଡିଚା ମନ୍ଦିର ପାଖକୁ ଫେରାଇ ଅଣାଯାଇଥିଲା।

Advertisment

ଏସମ୍ପର୍କରେ ସ୍ବେଚ୍ଛାସେବୀ ଆଦିତ୍ୟ ନାରାୟଣ ବାରିକ କହିଛନ୍ତି, ୪/୫ ଦିନ ହେବ ଶୁଣିବାକୁ ମିଳୁଥିଲା କି ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରତିଦିନ ଏକାଧିକ ଗାଡ଼ିରେ ଅର୍ପଣ ଚାଉଳ ଭର୍ତ୍ତି ହୋଇ ଗୋପାଳପୁର ଚାଉଳ ଗୋଦାମକୁ ଯାଉଛି। ଆଜି ଅନୁଧ୍ୟାନ ପରେ ଓ ଏକ ଗାଡ଼ିର ପିଛା କରିବା ପରେ ଅଭିଯୋଗ ସତ ବୋଲି ଜଣାପଡ଼ିଛି। ଏଥିସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅପରପକ୍ଷେ, ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି ଯେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଗଚ୍ଛିତ ଚାଉଳ ପୋକଲାଗି ନଷ୍ଟ ହୋଇଗଲାଣି। ଆମେ ଚାଉଳ ଖରାପ ହୋଇଗଲେ, ଏହାର ପ୍ରୋସେସିଂ କରି ଅବା ଏହା ବଦଳରେ ଅନ୍ୟ ଚାଉଳ ଆଣିଥାଉ। ଯେହେତୁ ଚାଉଳ ନଷ୍ଟ ହୋଇଯାଇଥିଲା, ପ୍ରୋସେସିଂ ପାଇଁ ଗୋପାଳପୁର ଚାଉଳ ଗୋଦାମକୁ ପଠାଉଥିଲୁ। ଏହା ଚୋରି କି ବିକ୍ରି ହେଉନଥିଲା। ଏସମ୍ପର୍କରେ ଆମେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି ଶ୍ରୀ ମହାସୁଆର କହିଛନ୍ତି।