ଯାଜପୁର/ନଠୁଆବର: ଚାଷୀଙ୍କ ବିକାଶ ପାଇଁ ସରକାର ହଜାର ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଚାଷର ସମୃଦ୍ଧି ପାଇଁ ସରକାରଙ୍କ ଏକାଧିକ ବିଭାଗ କାର୍ଯ୍ୟ କରୁଛି। ପାରମ୍ପରିକ ଚାଷ ବଦଳରେ ନୂତନ ପ୍ରଣାଳୀରେ ଅଧିକ ଲାଭଦାୟକ ଫସଲ ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରାଯାଉଛି। ମାତ୍ର ଅମଳ ହେଉଥିବା ଫସଲର ଉପଯୁକ୍ତ ବଜାର ଓ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଯାହାର ଭୟଙ୍କର ସ୍ଥିତି ଯାଜପୁର ଜିଲ୍ଲାର ଶହ ଶହ ପରିବାଚାଷୀ ଏବେ ଭୋଗ କରୁଛନ୍ତି। କଠିନ ପରିଶ୍ରମ କରି ଚାଷ କରିଥିବା ପନିପରିବାର ବଜାର ଦର ଅପେକ୍ଷା ଖର୍ଚ୍ଚ ଅଧିକ ହୋଇଯାଉଥିବା କ୍ଷତି ସହୁଛନ୍ତି। ଫଳରେ ଶହଶହ ପରିବା ଚାଷୀ ଏବେ ସାହୁକାରଙ୍କ ଋଣଯନ୍ତାରେ ପଡିଛନ୍ତି। ଏହାଦ୍ବାରା ସରକାରଙ୍କ ସବୁଜ ବିପ୍ଲବ ଗୁରୁତର ପ୍ରଭାବିତ ହୋଇଛି।
ପ୍ରକାଶ ଥାଉକି ଶିଳ୍ପ, ଖଣିଖାଦାନ,ବ୍ୟବସାୟରେ ସମୃଦ୍ଧ ଯାଜପୁର ଜିଲ୍ଲାର ଚାଷୀମାନେ ମଧ୍ୟ କୃଷି କ୍ଷେତ୍ରରେ ବେଶ ଆଗରେ। ଯାଜପୁର ଜିଲ୍ଲାର ପନିପରିବା ଉପରେ ପଡ଼ୋଶୀ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ଢେଙ୍କାନାଳ ପ୍ରଭୃତି ଜିଲ୍ଲା ନିର୍ଭର କରୁଛନ୍ତି। ଏବେ ଶହ ଶହ ଚାଷୀ ଫୁଲକୋବି କରିଛନ୍ତି। ଗୋଟିଏ ଫୁଲକୋବି ପାଇଁ ଚାଷ, ଖତସାର, ମସଲା,ବିହନ ବାବଦରେ ପ୍ରାୟ ୫/୬ଟଙ୍କା ଖର୍ଚ୍ଚ ସହ ସହିତ ମାସମାସ ଧରି କଠିନ ପରିଶ୍ରମ କରିବାକୁ ପଡୁଛି। ମାତ୍ର ଫୁଲକୋବି ଗୋଟାକୁ ଏବେ ୩ଟଙ୍କା ରୁ ୪ଟଙ୍କାରେ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଛି। ସଂରକ୍ଷଣ ବ୍ୟବସ୍ଥା ନାହିଁ କିମ୍ବା ଉତ୍ତମ ବଜାର ନଥିବାରୁ ଚାଷୀ କ୍ଷତିର ସମ୍ମୁଖୀନ ହେଉଛି। ପରିବା ଚାଷର ପେଣ୍ଠ କୁହାଯାଉଥିବା ରସୁଲପୁର ବ୍ଲକ୍ର ଓଡିଶୋ-ଅଣ୍ଡେଇଗୋଡାର ଅର୍ତ୍ତିଆ କୁସୁନପୁର ଗ୍ରାମର ଯୁବଚାଷୀ ଅମର ପରିଡା କହନ୍ତି ଏଥର ଫୁଲକୋବି ଚାଷ କରି ବହୁତ କ୍ଷତିଗ୍ରସ୍ତ ହୋଇଛୁ।
ସରକାରଙ୍କର କୌଣସି ସହାୟତା ନାହିଁ। ସେହିପରି ଦୀପକ ପରିଡା କହନ୍ତି ୫ଏକର ଫୁଲକୋବି ଚାଷ ପାଇଁ ୫୦ହଜାର ଟଙ୍କା ସୁଧରେ ହାତ ଉଧାରି ଆଣିଥିଲେ। ଫୁଲକବି ଦର ଖସିଯିବାରୁ ଋଣ ପ୍ରରିଶୋଧ କରିପାରୁନୁ। କେବଳ ଅମର କିମ୍ବା ଦୀପକ ନୁହନ୍ତି ଜୟନ୍ତ ସାହୁ, ଉପେନ୍ଦ୍ର ସାହୁ, ମନୋଜ ମଲ୍ଲିକ, ପ୍ରବୀଣ ପରିଡ଼ା, ଅରୁଣ ସ୍ବାଇଁ, ବୀରଭଦ୍ର ପରିଡା ସମେତ ଶତାଧିକ ଚାଷୀ ଏବେ ଫୁଲକୋବି ଚାଷ କରି ଋଣଯନ୍ତାରେ ପଡିଛନ୍ତି। ଆୟ ଠାରୁ ବ୍ୟୟ ଅଧିକ ହୋଇଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷ ବିକାଶ ପାଇଁ ଚାଷୀଙ୍କୁ ବିନା ସୁଧରେ ଋଣ ପ୍ରଦାନ ଠାରୁ ଆରମ୍ଭ କରି ଜ୍ଞାନକୌଶଳ, ସାରଞ୍ଜାମ, ଜଳସେଚନ, ବିହନ, ସାର ଯୋଗାଇ ଦେବା ପାଇଁ କୃଷି ବିଭାଗ, ଉଦ୍ୟାନ ବିଭାଗ,ମୂର୍ତ୍ତିକା ସଂରକ୍ଷଣ ବିଭାଗ, ଜଳସେଚନ ବିଭାଗ, କୃଷି ଶିଳ୍ପ ନିଗମ ଓ ବ୍ୟାଙ୍କ ଗୁଡ଼ିକ ସମେତ ଅନେକ ସଂସ୍ଥା ଓ ବିଭାଗ କାର୍ଯ୍ୟ କରୁଛନ୍ତି। ଅଥଚ ପ୍ରକୃତ ଚାଷୀଙ୍କ ନିକଟରେ ସରକାରଙ୍କ ଯୋଜନା ପହଞ୍ଚି ପାରୁନାହିଁ। ଯାହାକୁ ନେଇ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତୃଣମୂଳରେ ଯୋଜନାକୁ ସଫଳ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ଆନ୍ତରିକତା ସହିତ କାର୍ଯ୍ୟ କରିବାକୁ ଦାବି ହେଉଛି।