ଘଟଗାଁ : ଭଲ ଦୁଇପଇସା ରୋଜଗାର କରିବା ଆଶାରେ ଫୁଲକୋବି ଲଗାଇଥିଲେ। ହଜାର ହଜାର ଟଙ୍କା ଖର୍ଚ୍ଚ କରି ସାର ଓ କୀଟନାଶକ ପ୍ରୟୋଗ କରିଥିଲେ। ହଠାତ୍ ଫୁଲକୋବି ଦର ଅହେତୁକ ଭାବେ ହ୍ରାସ ପାଇଛି। ଚାଷ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଉଠିବା ତ ଦୂରର କଥା ତୋଳିବା ବାବଦକୁ ମଜୁରି ମଧ୍ୟ ମିଳୁନି। ଫଳରେ ଚାଷୀମାନେ ଆଉ ଫୁଲକୋବି ତୋଳୁ ନାହାନ୍ତି। ସେଗୁଡ଼ିକ ବିଲରେ ରହି ଶଢ଼ିଶଢ଼ି ନଷ୍ଟ ହେଉଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ରେ।
ଘଟଗାଁ ବ୍ଲକ୍ର ବଡ଼ଜାମୁପଶି, ନଳବିଲା, କୁଣ୍ତାପିଠା, ପୋଇପାଣି, ମୁଦ୍ରାବେଡ଼ା, ମୁକ୍ତାପୁର, ପାଉଛିଆ, ଦୁବୁଲାବେଡ଼ା, ପଇଦାପାଟଣା, ବଡ଼ମସିଣାବିଲା ସମେତ ୩୦ରୁ ଊର୍ଦ୍ଧ୍ବ ଗ୍ରାମରେ ଚାଷୀମାନେ ଫୁଲକୋବି ଚାଷ କରିଥିଲେ। ଫସଲ ମଧ୍ୟ ଭଲ ହୋଇଥିଲା। ପ୍ରଥମେ ବଜାରକୁ କମ୍ ପରିମାଣର କୋବି ଆସିବାରୁ ଗୋଟିଏ ଗୋଟିଏ କୋବିର ମୂଲ୍ୟ ୭୦ରୁ ୮୦ ଟଙ୍କାରେ ବିକ୍ରି ହୋଇଥିଲା। ଚାଷୀମାନେ ଭଲ ରୋଜଗାର କରିବେ ବୋଲି ଆଶା ରଖିଥିଲେ। ଚାଷୀମାନେ ଥରେ ଦୁଇଥର କୋବି ବିକ୍ରି କରି ଭଲ ଲାଭ ପାଇଥିଲେ। ଏବେ କୋବି ଗୋଟାକର ଦର ୫ ଟଙ୍କାକୁ ଖସିଯାଇଛି। ସ୍ଥିତି ଏମିତି ହେଲା ଯେ, କୋବି ତୋଳି ତାକୁ ବଜାର ଆଣି ବିକ୍ରି କରିବା ପାଇଁ ଯେଉଁ ପରିଶ୍ରମ ଲାଗୁଛି ତାର ମୂଲ୍ୟ ମଧ୍ୟ ପାଇଲେ ନାହିଁ ଚାଷୀ। ତେଣୁ ଚାଷୀମାନେ ଫୁଲକୋବି ତୋଳିବା ଛାଡ଼ି ଦେଇଛନ୍ତି। ବିଲରେ ହଜାର ହଜାର କୋବି ପଚିଶଢ଼ି ନଷ୍ଟ ହେଉଛି। କୋବି ଗୁଡ଼ିକ କଳା ପଡ଼ିଯାଇ ଉତ୍କଟ ଗନ୍ଧ ବାହାରୁଥିବାରୁ ଚାଷୀମାନେ ବିଲକୁ ଯାଇପାରୁ ନାହାନ୍ତି। ଯାହାକୁ ନେଇ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
ବାଲିପୋଖରୀ ପଞ୍ଚାୟତ ଦୁବୁଲାବେଡ଼ା ଗ୍ରାମର କୁଳମଣି ମହାନ୍ତ ନିଜ ଜମିରେ ୩ ହଜାର ଫୁଲକୋବି ଲଗାଇଥିଲେ। ଚାଷପାଇଁ ସାର, ଖତ ଓ କୀଟନାଶକ ବାବଦକୁ ୮ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଭଲ ଅମଳ ହୋଇଥିଲା। ପ୍ରଥମ ପାଳିରେ ସେ କୋବି ବିକ୍ରି କରି ୧୨ ଶହ ଟଙ୍କା ପାଇଥିଲେ। ଏହାପରଠାରୁ ଦର କମିଗଲା। ଏବେ ବଜାରରେ କୋବି ଗୋଟା ୧୦ ଟଙ୍କାରେ ବିକ୍ରି ହେଉଛି। ସନ୍ଧ୍ୟା ହୋଇଗଲେ ୩ରୁ ୪ଟି କୋବିକୁ ୨୦ ଟଙ୍କାରେ ବିକ୍ରି କରିବାକୁ ପଡ଼ୁଛି। କୋବି ବିକ୍ରି କରି ଏଯାଏ ସେ ମାତ୍ର ୨ ହଜାର ଟଙ୍କା ପାଇଛନ୍ତି। ବିଲରେ ଆହୁରି ୧୫ ଶହରୁ ଅଧିକ କୋବି ଶଢ଼ୁଛି। ମଜୁରି ମିଳୁ ନଥିବାରୁ ସେ କୋବି ତୋଳିବା ବନ୍ଦ କରିଦେଇଛନ୍ତି ବୋଲି କୁଳମଣି ପ୍ରକାଶ କରିଛନ୍ତି। ସେହିପରି ଲକ୍ଷ୍ମଣ ମହାନ୍ତ ମିଶ୍ରିତ ଚାଷ କରିଥିଲେ। ଥାଇଲାଣ୍ଡ କୋଳି (ରେଡ୍ ଆପଲ ବେର୍) ଗଛ ମଝିରେ ସେ ୪ ହଜାର ଫୁଲକୋବି ଗଛ ଲଗାଇଥିଲେ। ଚାଷ ପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ପ୍ରଥମ ତିନିପାଳିରେ ସେ ଫୁଲକୋବି ବିକ୍ରି କରି ୩ରୁ ୪ ହଜାର ଟଙ୍କା ରୋଜଗାର କରିଥିଲେ। ଏବେ ଦର କମି ଯାଇଥିବାରୁ ସେ ଆଉ କୋବି ତୋଳୁ ନାହାନ୍ତି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଘଟଗାଁରେ ଏକ ଶୀତଳଭଣ୍ତାର ନିର୍ମାଣ ପାଇଁ ଦାବି ହୋଇଆସୁଛି। ଏହି ଦାବି ପ୍ରତି ସରକାର ଦୃଷ୍ଟି ଦେଇ ଢେଙ୍କିକୋଟଠାରେ ଏକ ଶୀତଳଭଣ୍ତାର ନିର୍ମାଣ କରିବାକୁ ୧୫ ବର୍ଷ ତଳେ ତତ୍କାଳୀନ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଶିଳାନ୍ୟାସ କରିଥିଲେ। କିନ୍ତୁ ଏଯାଏ ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଶୀତଳଭଣ୍ଡାର ନିର୍ମାଣ ହୋଇଥିଲେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା। କୋବି ଗଚ୍ଛିତ ରଖି ଉଚିତ ଦର ପାଇପାରନ୍ତେ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।