ଭୁବନେଶ୍ବର : ପରୀକ୍ଷା ରିପୋର୍ଟରେ କୋଭିଡ ପଜିଟିଭ ଆସୁଛି। କୋଭିଡ ଡାକ୍ତରଖାନାରେ ଚିକିତ୍ସା ହୋଇ ମୃତ୍ୟୁ ଘଟୁଛି। ଶ୍ମଶାନରେ କୋଭିଡ କଟକଣାରେ ଅନ୍ତିମ ସଂସ୍କାର ହେଉଛି। କିନ୍ତୁ ମୃତକଙ୍କ ମେଡିକାଲ ରିପୋର୍ଟରେ ମୃତ୍ୟୁର କାରଣ ଦେଖାଯାଉଛି ଅଣକୋଭିଡ୍ ରୋଗ। ଏଭଳି ସ୍ଥିତିରେ କୋଭିଡ ଯୋଦ୍ଧା କିମ୍ବା କୋଭିଡ ମୃତକଙ୍କ ନାବାଳକ ସନ୍ତାନ,ସ୍ତ୍ରୀଙ୍କୁ ସରକାରୀ ଯୋଜନାର ଲାଭ କିଭଳି ମିଳିବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବଲାଙ୍ଗୀର ଜିଲ୍ଲା ସାଲେଭଟ୍ଟାର ସାମ୍ବାଦିକ ଶୁଭ୍ରାଂଶୁ ମିଶ୍ର ଗତ ଏପ୍ରିଲ ମାସ ୨୦ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ସେହିଦିନ ପ୍ରଥମେ ବଲାଙ୍ଗୀର ସରକାରୀ ଡାକ୍ତରଖାନା ଏବଂ ୨୮ ତାରିଖ ଦିନ କଟକ ସ୍ଥିତ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଥିବାବେଳେ ମେ' ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। କଟକ ସ୍ଥିତ ଶ୍ମଶାନରେ ସିଏମସି ପକ୍ଷରୁ କୋଭିଡ କଟକଣା ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇ ଥିଲା। କିନ୍ତୁ ଡାକ୍ତରଖାନା ପକ୍ଷରୁ ତାଙ୍କ ମୃତ୍ୟୁର କାରଣ କୋଭିଡ୍ ବୋଲି ଉଲ୍ଲେଖ କରାଯାଇ ନାହିଁ। ଫଳରେ କୋଭିଡରେ ମୃତ ଏହି ସାମ୍ବାଦିକଙ୍କ ପରିବାର ପାଇଁ ସରକାରଙ୍କ ପକ୍ଷରୁ ଘୋଷିତ ୧୫ ଲକ୍ଷ ଟଙ୍କା ସହାୟତା ରାଶି ତାଙ୍କୁ ମିଳିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏହି ସହାୟତା ରାଶି ପାଇବା ପାଇଁ ମୃତ ସାମ୍ବାଦିକଙ୍କ ପତ୍ନୀ ଆବେଦନ କରିଛନ୍ତି, କିନ୍ତୁ ପାଖରେ କୋଭିଡ ରିପୋର୍ଟ ଥାଇ ବି ମେଡିକାଲର ଡିସଚାର୍ଜ ସାର୍ଟିଫିକେଟରେ କୋଭିଡ ଉଲ୍ଲେଖ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି।
ସେହିପରି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ତ୍ରିଲୋଚନ ବିଶେନ(୬୦) କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଥିବାବେଳେ ମେ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିଦିନ କୋଭିଡ କଟକଣା ମଧ୍ୟରେ ବିଏମସି ପକ୍ଷରୁ ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଗଲା। ବର୍ତ୍ତମାନ ମୃତ୍ୟୁର କାରଣ ସମ୍ପର୍କରେ ଲେଖାଯାଉଛି ଅଣନିଶ୍ବାସୀ ହୋଇ ମୃତ୍ୟୁ। ଗଞ୍ଜାମ ଜିଲ୍ଲାର ଜଣେ କୋଭିଡ ଆକ୍ରାନ୍ତ ଭୁବନେଶ୍ବରରେ ଚିକିତ୍ସାଧୀନ ଥିବାବେଳେ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହେଲା। ଡାକ୍ତରଖାନା ଦେଇଥିବା ପ୍ରମାଣପତ୍ରରେ ମୃତ୍ୟୁର କାରଣ ଲାମା ବୋଲି ଲେଖାଯାଇଛି। ଘରୋଇ ଡାକ୍ତରଖାନା ନୁହେଁ; ସରକାରୀ କୋଭିଡ ଡାକ୍ତରଖାନାରେ ମୃତ୍ୟୁ ହେଲେ ମଧ୍ୟ ମୃତ୍ୟୁର କାରଣ ହୃଦଘାତ, ଅଣନିଶ୍ବାସୀ ହୋଇ ମୃତ୍ୟୁ ଆଦି ଲେଖାଯାଉଛି। ଏପରିକି ସରକାରୀ ଡାକ୍ତରଖାନାରେ କୋଭିଡ ମୃତକଙ୍କୁ ପ୍ରମାଣପତ୍ର ଦେବା ପାଇଁ ଯେଉଁ କମିଟି ଗଠନ ହୋଇଛି, ତାହା ଜରିଆରେ ସରକାର କୋଭିଡ ମୃତ୍ୟୁକୁ ଚାପୁଥିବା ନେଇ ହେଉଥିବା ଅଭିଯୋଗ ପ୍ରମାଣିତ ହେଉଛି। ଏଥିଯୋଗୁଁ କୋଭିଡ ମୃତକଙ୍କ ପରିବାରକୁ ସରକାର ପକ୍ଷରୁ ଯେଉଁ ସହାୟତା ରାଶି ଘୋଷଣା କରୁଛନ୍ତି ସେଥିରୁ ସେମାନେ ବଞ୍ଚିତ ହେବେ। ବିଶେଷକରି ଶିଶୁମାନଙ୍କୁ ଏହା ସର୍ବାଧିକ ପ୍ରଭାବିତ କରିବ। କୋଭିଡ ଯୋଗୁଁ କୌଣସି ଶିଶୁ ଅନାଥ ହେଲେ ବା ମା କିମ୍ବା ବାପାଙ୍କୁ ହରାଇଲେ, ବିଧବା ହେଲେ ସେମାନଙ୍କ ପାଇଁ ସରକାର ଅନେକ ଯୋଜନା ଘୋଷଣା କରିଛନ୍ତି। ଏହାର ଲାଭ ପାଇବା ପାଇଁ ସେମାନଙ୍କୁ ମେଡିକାଲ ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ। ଏହି ସାର୍ଟିଫିକେଟରେ ମୃତ୍ୟୁର କାରଣ ଅଣକୋଭିଡ ରହିଲେ ସେମାନେ ଏଥିରୁ ବଞ୍ଚିତ ହେବେ। ଏହାଛଡ଼ା ଅନେକ ବେସରକାରୀ କମ୍ପାନିରେ ମଧ୍ୟ କୋଭିଡ ମୃତକଙ୍କ ପରିବାର ପାଇଁ ସହାୟତା ରାଶିର ବ୍ୟବସ୍ଥା ରହିଛି। ସାର୍ଟିଫିକେଟ ଅଭାବରୁ ଏହିସବୁ ପରିବାର ଏଥିରୁ ବଞ୍ଚିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ନ ଦେଲେ ଅନାଥ ହୋଇ ଯାଇଥିବା ଅନେକ ଶିଶୁ ଏବଂ ପରିବାର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇଥିବା ଅନେକ ପରିବାର ତଳିତଳାନ୍ତ ହୋଇଯିବେ, ଏଥିରେ ସନ୍ଦେହ ନାହିଁ।