ପ୍ରି ଆକ୍ଟିଭେଟ ସିମ୍‌ ଜବତ ମାମଲା: ମାଷ୍ଟରମାଇଣ୍ଡ ଦୁଷ୍ମନ୍ତର ୭ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କଲା କ୍ରାଇମ୍‌ବ୍ରାଞ୍ଚ

କଟକ: ପ୍ରି ଆକ୍ଟିଭେଟ ସିମ୍‌ ଜବତ ମାମଲାରେ ରିମାଣ୍ଡରେ ଥିବା ୩ ଜଣ ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚ ଆଜି ପଚରାଉଚରା କରିଛି। ଏହି ପଚରାଉଚରା ସମୟରେ କ୍ରାଇମବ୍ରାଞ୍ଚ  ଅଭିଯୁକ୍ତମାନଙ୍କ ଠାରୁ ଅନେକଗୁଡ଼ିଏ ତଥ୍ୟ ହାସଲ କରିଛି। ଏଥି ସହିତ କ୍ରାଇମ୍‌ବ୍ରାଞ୍ଚ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଉପରପାଳ ଗାଁର ଅମିତାଭ ସାହୁ (୩୮) ଓ କାମାକ୍ଷାନଗର ଅନ୍ତର୍ଗତ ଆଳୁଅଝରଣା ଛକର ଦୋଳଗୋବିନ୍ଦ ବେହେରା (୨୧)ଙ୍କୁ ମଧ୍ୟ ପଚରାଉଚରା କରିଛି। ଅମିତାଭ ହେଉଛନ୍ତି ଜଣେ ଜିଓ ଡିଷ୍ଟିବ୍ୟୁଟର। ଦଳଗୋବିନ୍ଦ ଜଣେ ଜିଓ ସେଲର।  ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତଙ୍କ ୭ଟି ବ୍ୟାଙ୍କ ଆକାଉଣ୍ଟ ଓ ଦୁଇଟି ପେଟିଏମ ଆକାଉଣ୍ଟ ଫ୍ରିଜ୍‌ ହୋଇଥିବା ନେଇ କ୍ରାଇମବ୍ରାଞ୍ଚ୍ ଏଡିଜି ସଂଜୀବ ପଣ୍ଡାଙ୍କ ସୂଚନା ଦେଇଛନ୍ତି। ଏହି ଆକାଉଣ୍ଟଗୁଡ଼ିକରେ ୯ ଲକ୍ଷ ୫୫ ହଜାର ଟଙ୍କା ଥିବା ଜଣାପଡ଼ିଥିଲା। ଅନ୍ୟ ଅପରାଧୀଙ୍କୁ ମଧ୍ୟ ଜେରା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ଆଜି କ୍ରାଇମ୍‌ବ୍ରାଞ୍ଚ ଦୁଷ୍ମନ୍ତର ୨ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିଛି। ଏହି ୨ ଆକାଉଣ୍ଟରେ ୭.୯୫ ଲକ୍ଷ ଟଙ୍କା ରହିଛି। ସେହିପରି ୧.୬ ଲକ୍ଷ ଟଙ୍କାର ଦୁଷ୍ମନ୍ତର ‌୨ଟି ପେଟିଏମ୍‌ ଆକାଉଣ୍ଟ ଫ୍ରିଜ୍‌ କରିଛି। କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି ଯେ, ଦୁଷ୍ମନ୍ତର ଶିକ୍ଷାଗତ ଯୋଗ୍ୟତା ବିଏସ୍‌ସି, ପିଜିଡିସିଏ ଓ ସେ ଡିଜିଟାଲ ‌ମାର୍କେଟିଂରେ ଇଣ୍ଟରନସିପ କରିଛି। ସେ ଏୟାରସେଲ ଓ ବିଏସ୍‌ଏନ୍‌ରେ କଲେକସନ୍‌ କମ୍‌ ମାର୍କେଟିଂ ଏଜେଣ୍ଟ ଭାବେ କାମ କରିଥିଲା।

କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ଯେ, ଦୁଷ୍ମନ୍ତ ୨୦ଟଙ୍କା ମୂଲ୍ୟର ବିଏସ୍‌ଏନ୍‌ସିମ୍‌ ୧୨୦ ଟଙ୍କାରେ ବିଏସ୍‌ଏନ୍‌ଏଲ ରିିଟେଲରଙ୍କୁ ବିକ୍ରି କରୁଥିଲା।‌ ଗୋଟିଏ ଭୋଡାଫୋନର ମୂଲ୍ୟ ୨୫ଟଙ୍କା ହୋଇଥିବା ବେଳେ ଭୋଡାଫୋନ୍‌ ରିଟେଲଙ୍କୁ ଦୁଷ୍ମନ୍ତ ୧୩୦ ଟଙ୍କାରେ ବିକ୍ରି କରୁଥିଲା। ସେହିପରି ଜିଓ ସିମ୍‌ ମାଗଣା ଥିବା ବେଳେ ଜିଓ ରିଟେଲରମାନେ ଏହାକୁ ୧୪୦ ଟଙ୍କାରେ ଦୁଷ୍ମନ୍ତଙ୍କ ଠାରୁ କିଣୁଥିଲେ।

ସୂଚନାଯୋଗ୍ୟ, ପ୍ରି ଆକ୍ଟିଭେଟ ସିମ୍‌ ଜବତ ମାମଲାରେ ଦୁଷ୍ମନ୍ତ,ସାଇପ୍ରକାଶ ଓ ଅବିନାଶ ଗିରଫ ହୋଇଛନ୍ତି। ସାଇପ୍ରକାଶ ହେଉଛନ୍ତି ଜଣେ ବିଏସ୍‌ଏନ୍‌ଏଲ୍‌ ଡିଲର୍‌ ଓ ଅବିନାଶ ତାଙ୍କର ଜଣେ କର୍ମଚାରୀ। ଅନ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ହେଉଛନ୍ତି ଏହି ବାୟର ସେଲର ଗ୍ରୁପର ମୁଖ୍ୟ ବା ମାଷ୍ଟର୍‌ମାଇଣ୍ଡ୍‌।

କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାକୁ ଖୋଳତାଡ଼ କରି ସବୁ ଜିଲ୍ଲାର ଏସ୍‌ପିଙ୍କୁ ସମସ୍ତ ବିଏସ୍‌ଏନ୍‌ଏଲ୍‌, ଜିଓ, ଭୋଡାଫୋନ୍‌ର ଡିଲର ପଏଣ୍ଟ୍‌ ଓ ସିମ୍‌ ବିକ୍ରେତାଙ୍କ ଉପରେ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦେଇଛି। ଭୋଡଫୋନର ଭୁବନେଶ୍ୱରସ୍ଥିତ ମୁଖ୍ୟ କମର୍ସିଆଲ୍ ମ୍ୟାନେଜର, ବିଏସ୍‌ଏନ୍‌ଏଲ୍‌ର ଢେଙ୍କାନାଳର ଜେନେରାଲ ମ୍ୟାନେଜର ଓ ଜିଓର ଢେଙ୍କାନାଳର ଏରିଆ ମ୍ୟାନେଜରଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ନୋଟିସ୍‌ ଜାରି କରିଛି। ପ୍ରି ଆକ୍ଟିଭେଟ ସିମ୍‌ ବିକ୍ରି ରୋକିବା ପାଇଁ ଯେଉଁ ଏସ୍‌ଓପି ଅଛି ତାହା କଡ଼ାକଡ଼ି ପାଳନ ହେଉଛି କି ନାହିଁ, ଏହାକୁ ରୋକିବା ପାଇଁ କଣ ପଦକ୍ଷେପ ନିଆ ଯାଉଛି,ଏସବୁ ସମ୍ବନ୍ଧରେ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ।

ଲୋକସଭା ସ୍ପିକର ଓମ୍ ବିର୍ଲାଙ୍କ ନାଁରେ ଫେକ ସିମ୍‌ ବାହାର କରି ଲୋକସଭା ସାଂସଦମାନଙ୍କୁ ଟଙ୍କା ମାଗୁଥିଲେ ଏହି ଠକମାନେ। ତଦନ୍ତ ବେଳେ ଜଣାପଡିଲା ଯେ ସେହି ସିମ୍‌ ଓଡ଼ିଶାର ଢେଙ୍କାନାଳରୁ କିଣା ହୋଇ ଆକ୍ଟିଭେଟ ହୋଇଥିଲା। ସେହି ମାମଲାର ତଦନ୍ତ କରି ଏହି ଫେକ ସିମ୍‌ ରାକେଟ ବିଷୟରେ କ୍ରାଇମ୍‌ବ୍ରାଞ୍ଚ୍‌କୁ ତଥ୍ୟ ମିଳିଛି।

 

ସମ୍ବନ୍ଧିତ ଖବର