ଉଦଳା-୧: ପ୍ରମାଣପତ୍ର ଯାଞ୍ଚ ପାଇଁ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ଡାକ କାର୍ଯ୍ୟାଳୟର ଇନ୍ସପେକ୍ଟର ରାଜେନ୍ଦ୍ର ପୃଷ୍ଟି। ମଙ୍ଗଳବାର ରାତି ପ୍ରାୟ ୮ଟା ବେଳେ ଉଦଳା-ବାରିପଦା ରାସ୍ତାର ମଧୁମଗ୍ନା ଲଜ୍ ଛକ ନିକଟ ଭଡ଼ାଘରେ ଶ୍ରୀ ପୃଷ୍ଟି ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ତାଙ୍କୁ କାବୁ କରିଛନ୍ତି। ତେବେ, ଖବର ଲେଖା ହେବାବେଳକୁ ଉଦଳା ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଶ୍ରୀ ପୃଷ୍ଟିଙ୍କୁ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୋପବନ୍ଧୁନଗର ବ୍ଲକ୍ ସାଇଁକୁଳା ଅଞ୍ଚଳର ମଳୟ କୁମାର ବେହେରା କୁଶଳଦା ଡାକ କାର୍ଯ୍ୟାଳୟରେ ଜିଡିଏସ୍-ବିପିଏମ୍ (ଗ୍ରାମୀଣ ଡାକ ସେବକ-ବ୍ରାଞ୍ଚ ପୋଷ୍ଟମାଷ୍ଟର) ଭାବେ କାର୍ଯ୍ୟ କରନ୍ତି।
ଶ୍ରୀ ବେହେରାଙ୍କର ଶିକ୍ଷକ ଚାକିରି ହୋଇ ଯାଇଥିବାରୁ ଡାକ ବିଭାଗରୁ ଇସ୍ତଫା ଦେବାକୁ ଆବେଦନ କରିଥିଲେ। ଏ ନେଇ ତାଙ୍କର ସମସ୍ତ କାଗଜପତ୍ର ଯାଞ୍ଚ୍ ବାବଦକୁ ଉଦଳା ମୁଖ୍ୟ ଡାକ କାର୍ଯ୍ୟାଳୟର ଇନ୍ସପେକ୍ଟର ଶ୍ରୀ ପୃଷ୍ଟି ୨୦ ହଜାର ଟଙ୍କା ମାଗିଥିଲେ। ପ୍ରଥମେ ୧୦ ହଜାର ଓ କାର୍ଯ୍ୟ ହେବା ପରେ ବାକି ଟଙ୍କା ଦେବାପାଇଁ ଧାର୍ଯ୍ୟ ହୋଇଥିଲା। ତେବେ, ଏନେଇ ମଳୟ ସିବିଆଇ ସହିତ ଯୋଗାଯୋଗ କରିଥିଲେ। ଆଜି ସଂଧ୍ୟା ୮ଟା ବେଳେ ସ୍ଥାନୀୟ ମଧୁମଗ୍ନା ଲଜ୍ ଛକ ନିକଟ ଭଡ଼ାଘରେ ଶ୍ରୀ ପୃଷ୍ଟିଙ୍କୁ ଲାଞ୍ଚ ବାବଦକୁ ମଳୟ ୧୦ ହଜାର ଟଙ୍କା ଦେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ସିବିଆଇର ୧୦ ଜଣିଆ ଟିମ୍ ଚଢ଼ଉ କରିଥିଲା। ସିବିଆଇ ଟିମ୍କୁ ଦେଖି ଶ୍ରୀ ପୃଷ୍ଟି ଟଙ୍କା ଫୋପାଡ଼ି ଧାଇଁଥିଲେ। ମାତ୍ର, ତାଙ୍କୁ ପିଛା କରି ସିବିଆଇ ଟିମ୍ ମାଡ଼ି ବସିଥିଲା। ସିବିଆଇ ଡିଏସ୍ପି ଅଶୋକ କୁମାରଙ୍କ ନେତୃତ୍ୱରେ ୩ ଜଣ ଡିଏସ୍ପି ଓ ୪ ଜଣ ଇନ୍ସପେକ୍ଟର ଚଢ଼ଉରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଇନ୍ସପେକ୍ଟର ଶ୍ରୀ ପୃଷ୍ଟିଙ୍କ ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ ପୂର୍ବରୁ ତାଙ୍କ ନାଁରେ ଲାଞ୍ଚ ନେବା ଅଭିଯୋଗ ରହିଛି।