ରାଉରକେଲା/ବନ୍ଧମୁଣ୍ଡା: ସ୍କ୍ରାପ୍‌ ବେପାରୀଙ୍କଠାରୁ ଲାଞ୍ଚ ନେବା ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଯବାନଙ୍କୁ ମହଙ୍ଗା ପଡ଼ିଛି। ଆଜି ସକାଳ ପ୍ରାୟ ୯ଟାରେ ରାଉରକେଲା ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ ଛକ ଫଳ ଦୋକାନ ନିକଟରୁ ଜଣେ ସ୍କ୍ରାପ୍‌ ବେପାରୀଙ୍କଠୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଆର୍‌ପିଏଫ୍‌ ଯବାନ ମହମ୍ମଦ ଅସରାରଙ୍କୁ ସିବିଆଇ ଟିମ୍‌ ଧରିଛି। ଗିରଫ ପରେ ଅସରାରଙ୍କୁ ରାଉରକେଲା ସେକ୍ଟର-୪ସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ନିଆଯାଇ ପଚରାଉଚରା କରାଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବର ସିବିଆଇ ଆଞ୍ଚଳିକ କାର୍ଯ୍ୟାଳୟକୁ ନିଆଯାଇଛି। ଲାଞ୍ଚ କାରବାରରେ ବନ୍ଧମୁଣ୍ଡା ଆର୍‌ପିଏଫ୍‌ ଥାନା ଅଧିକାରୀଙ୍କ ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ସିବିଆଇ ଟିମ୍‌ ଅପରାହ୍ଣ ସାଢ଼େ ୩ଟାରେ ବନ୍ଧମୁଣ୍ଡା ଆର୍‌ପିଏଫ୍‌ ଥାନା ଓ ଆର୍‌ପିଏଫ୍‌ ବ୍ୟାରାକ୍‌କୁ ଯାଇଥିଲା। ସେଠାରେ କାର୍ଯ୍ୟରତ କିଛି କର୍ମଚାରୀଙ୍କୁ ସିବିଆଇ ଟିମ୍‌ ପଚରାଉଚୁରା କରିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ମୁତାବକ ବନ୍ଧମୁଣ୍ଡା ରେଳବାଇ ଅଞ୍ଚଳରେ ଜଣେ ମହିଳା ପ୍ଲାଷ୍ଟିକ୍‌, ସ୍କ୍ରାପ୍‌ ସଂଗ୍ରହ କରି ବିକ୍ରି କରୁଥିଲେ। ଆର୍‌ପିଏଫ୍‌ ଥାନାର ଜଣେ ଅଧିକାରୀ ଉକ୍ତ ମହିଳା ଓ ତାଙ୍କ ସ୍ବାମୀଙ୍କଠାରୁ ମାସକୁ ମାସ କୁଆଡ଼େ ୨୦ ହଜାର ଟଙ୍କା ନେଉଥିଲେ। ନ ଦେଲେ ବ୍ୟବସାୟ ବନ୍ଦ କରିଦେବାକୁ ଧମକଚମକ ଦେଉଥିଲେ। ଧରା ନପଡ଼ିବା ଲାଗି ଅଧିକାରୀ ଜଣକ ତାଙ୍କ ସହକର୍ମୀଙ୍କ ସହାୟତାରେ ମାସିକିଆ ବଟି ବେପାରୀଙ୍କଠୁ ଆଦାୟ କରୁଥିଲେ। ମହିଳା ଜଣକ ନିରୁପାୟ ହୋଇ ସିବିଆଇ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଯୋଜନାମୁତାବକ ମହିଳା ବେପାରୀଙ୍କ ସ୍ବାମୀ ଆର୍‌ପିଏଫ୍‌ ଅଧିକାରୀଙ୍କୁ ବିର୍ସା ମୁଣ୍ଡା ଛକ ନିକଟକୁ ଆସିବାକୁ କହିଥିଲେ। ଅଧିକାରୀ ନିଜେ ନ ଆସି ମହମ୍ମଦ ଅସ୍‌ରାରଙ୍କୁ ପଠାଇଥିଲେ। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୧ ତାରିଖରେ ରାଉରକେଲା ରେଳ ଷ୍ଟେସନ୍‌ର ପାର୍ସଲ କିରାଣି ରାଜୀବ ନନ୍ଦନ ଜଣେ ଅଭିଯୋଗକାରୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡ଼ିଥିଲେ। କେବଳ ଏ ଦୁଇଟି ମାମଲା ନୁ‌ହେଁ, ପୂର୍ବରୁ ମଧ୍ୟ ରାଉରକେଲା ଓ ବନ୍ଧମୁଣ୍ଡା ରେଳ ଷ୍ଟେସନ୍‌ରେ କାର୍ଯ୍ୟରତ ଆର୍‌ପିଏଫ୍‌ ଯବାନଙ୍କ ନାଁରେ ଅନେକ ଅଭିଯୋଗ ଆସିଛି।